ରେଳବାଇ ଚାକିରୀ କରାଇ ଦେବେ କହି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା, ଦୁଇ ଠକ ଗିରଫ

ଭଦ୍ରକ : ଚାକିରୀ କରାଇ ଦେବାକୁ କହି ଟଙ୍କା ନେଲେ, ପରେ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ମଧ୍ୟ ଦେଲେ । କିନ୍ତୁ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ନେଇଥିବା ଆଶାୟୀ ଚାକିରୀରେ ଯୋଗ ଦେବାକୁ ଯାଇ ଜାଣିଲେ  ଯେ ଏହି କାଗଜ ପତ୍ର ନକଲି । ପୁଣି ଟଙ୍କା ଫେରାଇବାକୁ କହିବାରୁ ଦିନ ପରେ ଦିନ ଗଡି ଚାଲିଲା । ଶେଷରେ ଥାନାର ଦ୍ବାରସ୍ଥ ହେବାରୁ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ । ଦୁଇ ଅଭିଯୁକ୍ତ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ କହି ଚାକିରୀ କରାଇଦେବା ପାଇଁ ଯୁବକଙ୍କ ନିକଟରୁ ଟଙ୍କା ନେଇଥିଲେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୋଡ଼କ ଅଞ୍ଚଳର ଜ୍ୟୋତିରଞ୍ଜନ ବେହେରାଙ୍କର ବୋଡ଼କ ଅଞ୍ଚଳର ବିଶ୍ବଜିତ ମାଝୀ ଓ ଟାଟା ନଗର ଅଞ୍ଚଳର ବିଶ୍ବଜିତ ପାନଙ୍କ ସହ ଯୋଗାଯୋଗ ହୋଇଥିଲା । ସେମାନେ ରେଳବାଇରେ ଚାକିରୀ କରାଇ ଦେବାକୁ କହି ପ୍ରଥମେ ୨ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ପରେ ଅନ୍ୟମାନଙ୍କ ନିକଟରୁ ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ନିଯୁକ୍ତି ପତ୍ର ଓ ପରିଚୟପତ୍ର ଦେଇଥିଲେ । କିନ୍ତୁ ସେ ସବୁ ନକଲି ବୋଲି ଜଣାପଡିଥିଲା । ତେବେ ଦୁଇ ଅଭିଯୁକ୍ତ ଟଙ୍କା ନଫେରାଇବାରୁ ଅଭିଯୋଗ କ୍ରମେ ପୋଲିସ ଦୁହିଁକୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ଏମିତି ଭାବେ ଅନେକ ଅଞ୍ଚଳରୁ ଠକେଇ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *