ପୁରୀ : ଦିନକୁ ଦିନ ରତ୍ନଭଣ୍ଡାର ପ୍ରସଙ୍ଗ ବିବାଦ ବଢ଼ିବାରେ ଲାଗିଛି । କିଛିଦିନ ତଳେ ରତ୍ନଭଣ୍ଡାର ଯାଞ୍ଚ କରିବା ନେଇ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିବା ବେଳେ ଗତକାଲି ହାଇକୋର୍ଟ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆମିଅସକ୍ୟୁରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ରେ ଶ୍ରୀମନ୍ଦିର ସୁରକ୍ଷା ଓ ମରାମତି ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଥିଲା । ତେବେ ୨୦୧୮ ମାର୍ଚ୍ଚ ୨୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୧୭ ଜଣିଆ ଟିମ୍ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବାବେଳେ ଚାବି ହଜିବା ନାଟକ କରି ରତ୍ନଭଣ୍ଡାର ଯାଞ୍ଚ ନକରି ଫେରି ଆସିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲା ହୋଇନଥିବା ବେଳେ ରତ୍ନ ଅଳଙ୍କାର ଅସୁରକ୍ଷିତଥିବା ନେଇ ଚର୍ଚ୍ଚା ହେଉଛି ।
ଏଠି ପ୍ରଶ୍ନ ଉଠୁଛି ପୂର୍ବରୁ ହାଇକୋର୍ଟ ୨୦୧୮ ମାର୍ଚ୍ଚ ୨୨ ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ରତ୍ନଭଣ୍ଡାର ନଖୋଲି ୧୭ ଜଣିଆ ଟିମ୍ ଫେରିଆସିଥିଲେ । ତେବେ ପୂର୍ବରୁ ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିଥିଲେ ତେବେ ବର୍ତ୍ତମାନ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମିଅସକ୍ୟୁରୀ ରତ୍ନଭଣ୍ଡାର ଯାଞ୍ଚ କରିବେ ତ ? ନା ପୁଣି ନୂଆ ନାଟକ କରିବେ ।
ଦ୍ୱିତୀୟରେ ଏଏସଆଇ ରତ୍ନଭଣ୍ଡାର ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିବା ବେଳେ ବର୍ତ୍ତମାନ କ’ଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ଚିଠି ଲେଖିନାହିଁ, କି ପରିଚାଳନା କମିଟି ବସିନାହିଁ ।
