ବାଲେଶ୍ୱର : ପାଣି ଛାଡ଼ିଛି ହେଲେ ଦୁର୍ଦ୍ଦଶା ବଢ଼ିଛି । ଟଳିଛି ବଡ ବନ୍ୟା କିନ୍ତୁ ଟଳିନି ବିପଦ । ବାଲେଶ୍ବରରେ ବୁଡିଛି ୮୫ଟି ପଞ୍ଚାୟତର ଦୁଇଶହରୁ ଅଧିକ ଗାଁ । ବନ୍ୟା ପାଣି ପଶି ଘର ଅବସ୍ଥା ଅତ୍ୟନ୍ତ ଦୟନୀୟ କରିଦେଇଛି । ଘର ଭିତରେ କାଦ ପଚପଚକୁ ପଟୁ ମାଟି ଜମି ରହିଛି । ଚୁଲି ଭିତରେ ପାଣି । ଅଳିଆ ଆବର୍ଜନା ଆସି ଘର ଭିତରେ ଜମିଛି । ସୁବର୍ଣ୍ଣରେଖା ବନ୍ୟାରେ ଜଳେଶ୍ବର ବ୍ଲକର ୨୮ଟି ପଞ୍ଚାୟତର ୧୩୪ଟି ଗାଁ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି ।
ସେହିଭଳି ଭୋଗରାଇ ବ୍ଲକରେ ମଧ୍ୟ ସମାନ ସ୍ଥିତି । ତଳିଆ ଅଞ୍ଚଳର ଦୁର୍ଦ୍ଦଶା ବଢ଼ି ବଢ଼ି ଚାଲିଛି । ବ୍ଲକର ୫୦ ରୁ ଅଧିକ ଗାଁର ୩୦ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଭୋଗରାଇ ବ୍ଲକର ୨୪ ପଞ୍ଚାୟତ ଏହି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ, ସେଥିମଧ୍ୟରୁ ୧୯ଟି ପଞ୍ଚାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଆସନ୍ତା ୨୯ରେ ବଙ୍ଗୋପସାଗରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ସେପ୍ଟେମ୍ବର ୧ ରୁ ୩ ଯାଏ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ସେପଟେ ୨୩ ରୁ ୨୫ ତାରିଖ ଯାଏ ଉପାନ୍ତରୁ ଉପକୂଳ ସବୁଠି ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଆଭ୍ୟନ୍ତରିଣ ଓଡ଼ିଶା ବର୍ଷା ଦ୍ବାରା ଅଧିକ ପ୍ରଭାବିତ ହେବା ନେଇ ସତର୍କତା ଜାରି କରାଯାଇଛି । ଆଜି ୧୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତାକାଲି ୧୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ତାଣ୍ଡବ ଚାଲିଥିବା ବେଳେ ଏହି ବର୍ଷା ସମସ୍ୟାକୁ ଦ୍ବିଗୁଣିତ କରିବାର ଆଶଙ୍କା ରହିଛି ।
