ରାସ୍ତା ନିର୍ମାଣର ଏକ ମାସ ନପୁରୁଣୁ ଉଠିଗଲା ପିଚୁ

ଚାନ୍ଦିପୁଟ : ମାସେ ବି ଗଲାନି ପିଚୁ ରାସ୍ତା । ରାସ୍ତାର ଅଧିକାଂଶ ସ୍ଥାନରୁ କେଉଁଠି ଉଠିଗଲାଣି ଗୋଡି ତ, ଅନ୍ୟ କେଉଁଠି ପିଚୁ ଉପରେ ଉଠିଛି ଘାସ । ନିମ୍ନମାନର କାମ ଯୋଗୁଁ ଚକଡା ଚକଡା ହୋଇ ଉଠିପଡୁଛି ପିଚୁ । ଉଠିଯାଉଥିବା ପିଚୁକୁ ହାତରେ ଧରି ରାସ୍ତା ନାଁ ମାଣ୍ଡିଆ ପିଠା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ? ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତରେ ନିମ୍ନମାନର ରାସ୍ତା କାମ କରି ଅଧପନ୍ଥାରିଆ ଭାବେ ଠିକାଦାର ଛାଡି ଚାଲିଯାଇଥିବା ଅଭିଯୋଗ ଆସିଛି । ଲୋକଙ୍କ ସିଧାସଳଖ ଅଭିଯୋଗ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ପାଇଁ ହରିଲୁଟ ହୋଇଛି ଏଠି ସରକାରୀ ଅର୍ଥ ।

ଲୋକେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଥିବା ବେଳେ ସେପଟେ ନିଜ ଦୋଷ ଲୁଚାଇବାକୁ ଯାଇ ଲୋକଙ୍କ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରୁଛନ୍ତି ବିଭାଗୀୟ ଅଧିକାରୀ । ରାସ୍ତା କାମ ଏଭଳି ଯେ ହାତ ମାରିଦେଲେ ରାସ୍ତାରୁ ଉଠିଯାଉଛି ପିଚୁ । ମାତ୍ର ମାସେ ତଳେ ନିର୍ମାଣ ହୋଇଥିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା । ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ସୁବଲଡା ଗ୍ରାମପଞ୍ଚାୟତ ଠାରୁ କୁରୁକୁରୁ ଗ୍ରାମକୁ ସଂଯୁକ୍ତ କରୁଥିବା ରାସ୍ତା ନିର୍ମାଣ କାମ ସରିଛି । ଆଶା ଥିଲା ଏହି ରାସ୍ତା ନିର୍ମାଣ ହେଲେ ଚାରି ଖଣ୍ଡ ଗ୍ରାମବାସୀଙ୍କ ଗମନାଗମନର ସୁବିଧା ହୋଇପାରିବ ।

ହେଲେ ଠିକାଦାର ନିମ୍ନମାନର କାମ କରି ଅଞ୍ଚଳବାସୀଙ୍କୁ ଠକିଦେଇଥିବା ଅଭିଯୋଗ ହୋଇଛି । ପାଞ୍ଚ କିମି ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କୌଣସି ଫଳକ ଲଗାଯାଇନାହିଁ । ନିର୍ମାଣର ଏକ ମାସ ନପୁରୁଣୁ ରାସ୍ତା ଏବେ ଦୟନିୟ ପରିସ୍ଥିତି ଦେଖାଦେଇଛି । ହାତ ମାରିଦେଲେ ମାଣ୍ଡିଆପିଠା ଭଳି ଚକଡା ଚକଡା ହୋଇ ପିଚୁ ଉଠିଯାଉଥିବାକୁ ନେଇ ହାତରେ ଧରି ଅଭିଯୋଗ କରିଛନ୍ତି ଲୋକେ ।

ମାଟି ଉପରେ ମେଟାଲ ପକାଇବା ସ୍ଥଳେ କେବଳ ପିଚୁ ଓ ବଜିରି ବିଛାଯାଇଥିବା ଯୋଗୁଁ ଅନେକ ସ୍ଥାନରେ ଏବେ ଘାସ ଉଠିଗଲାଣି ବୋଲି ଅଭିଯୋଗ କରିଛନ୍ତି ସୁବଲଡା ଗ୍ରାମବାସୀ । ସୁବଲୋଡା ଗ୍ରାମ ପଞ୍ଚାୟତ ଠାରୁ କୁରୁକୁର ପର୍ୟ୍ୟନ୍ତ ସଂପୁର୍ଣ୍ଣ ରାସ୍ତା ହେବା ପରିବର୍ତ୍ତେ ଗାଁ ଠାରୁ ଅଧକିମି ଦୁରରେ ରାସ୍ତା କାମ ଆରମ୍ଭ କରାଯାଇଛି । ଅଣ ଓସାରିଆ ଖାଲଖାମା ରାସ୍ତାରେ ଯାତାୟତ ସମ୍ଭବ ହୋଇପାରୁନାହିଁ । ଠିକାଦାର ରାତାରାତି ରାସ୍ତା କାମକୁ ଅଧପନ୍ଥାରିଆ ଭାବେ କରି ଚାଲିଯାଇଥିବା ବେଳେ ଢୋଲକଟା ଗ୍ରାମ ନିକଟରେ କେବଳ ମେଟାଲ ବିଛାଇ କାମ ଛାଡିଦେଇଥିବା ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ଅଞ୍ଚଳରେ ବୃଦ୍ଧି ପାଉଛି ଜନଅସନ୍ତୋଷ । ତେବେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ନକଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ସେପଟେ ଘଟଣା ସଂପର୍କରେ ଚନ୍ଦ୍ରଗିରି ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସହକରୀ ନିର୍ବାହୀ ଯନ୍ତ୍ରୀ ବିପ୍ର ଚରଣ ବେହେରା ଲୋକଙ୍କ ଅଭିଯୋଗ କୋପୋଳ କଳ୍ପିତ ଏବଂ ଲୋକେ ନିଜ ବଳ ପୂର୍ବକ ତାଡି ଏଭଳି ଅଭିଯୋଗ କରିଛନ୍ତି ବୋଲି କହିବା ସହ ରାସ୍ତା କାମ ସଂପୁର୍ଣ୍ଣ ଠିକ ଥିବାରୁ ବିଲ କରିଥିବା କହିଛନ୍ତି । ନିମ୍ନମାନର କାମ ଯୋଗୁଁ ରାସ୍ତା ପାଲଟିଛି ଏବେ ମରଣଯନ୍ତା । ଏଭଳି ପରିସ୍ଥିତିରେ ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ମରାମତି କରିବାକୁ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *