ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଜନଶୁଣାଣି

ଔପଦା : ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ, ଏସ୍ପି ଓ ବିଡ଼ିଓ ଅନୁପସ୍ଥିତ ନେଇ ଉତେଜନା ପ୍ରକାଶ ପାଇଥିଲା । କିଛି ସମୟ ପାଇଁ ଜନଶୁଣାଣି ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । ଔପଦା ଥାନା ଅଧିକାରିଣୀ କମଳିନୀ ତାଣ୍ଡି ଲୋକମାନଙ୍କୁ ବୁଝାସୁଝା କଲାପରେ ପରିସ୍ଥିତ ଶାନ୍ତ ପଡ଼ିଥିଲା । ଆଜି ଏହି ଶିବିରରେ ଜିଲ୍ଲାପାଳ, ଏସ୍ପି ଓ ବିଡ଼ିଓଙ୍କ ଅନୁପସ୍ଥିତରେ ସହକାରୀ ଜିଲ୍ଲାପାଳ ସ୍ୱାଗତିକା ଦାସ, ଔପଦା ତହସିଲଦାର ଶରତ କୁମାର ମଲ୍ଲିକ, ଈଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ କୈଳାସ ଚନ୍ଦ୍ର ବେହେରା, ଔପଦା ଥାନା ଅଧିକାରିଣୀ କମଳିନୀ ତାଣ୍ଡି ଅଧ୍ୟକ୍ଷା ବିସି ବୀସ୍ପା ପାତ୍ର, ଉପାଧ୍ୟକ୍ଷ ପ୍ରଭାକର ସାହୁ, ଜିଲ୍ଲାପରିଷଦ ସଦସ୍ୟା ମୁନି ସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ ପପୁ ଭୂୟାଁ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ଜିଲ୍ଲାପାଳ, ଏସ୍ପି ଓ ବିଡ଼ିଓଙ୍କ ଅନୁପସ୍ଥିତ ଯୋଗୁଁ ଏ ଜନଶୁଣାଣୀ ପ୍ରହସନ କହି ସ୍ଥାନୀୟ ଜନସାଧାରଣ କିଛି ସମୟ ପାଇଁ ଜନଶୁଣାଣୀ ବନ୍ଦ ରଖି ଜିଲ୍ଲାପାଳଙ୍କ ଉପସ୍ଥିତ ଦାବୀ କରିଥିଲେ । ଯଦି ବନ୍ୟା ପରିସ୍ଥିତିରେ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରତ ଥିଲେ, ତା’ହେଲେ ଏ ଶିବିର ଘୁଞ୍ଚା ଯାଇପାରିଥାନ୍ତା । ଏ ଘଟଣାକୁ ନେଇ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଦାସ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜନଶୁଣାଣୀ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ତହସିଲଦାର ଶ୍ରୀ ଶରତ କୁମାର ମଲ୍ଲିକ ମଧ୍ୟ ବାହାରକୁ ଆସି ଅଭିଯୋଗକାରୀଙ୍କୁ ପୁନର୍ବାର ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ଜନଶୁଣାଣୀ ହେବ ବୋଲି ପ୍ରତିଶ୍ରୁତି ଦେଲା ପରେ ଜନଶୁଣାଣୀ ଚାଲିଥିଲା । ଏହି ଜନଶୁଣାଣୀରେ ମୋଟ ୨୦୮ ଜଣଙ୍କ ନାମ ପଞ୍ଜିକୃତ ହୋଇଥିଲା । ଏହି ଶିବିରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ, ଭତ୍ତାରେ ଅଧିକ ସଂଖ୍ୟକ ଅଭିଯୋଗକାରୀ ଅଂଶ ଗ୍ରହଣ କରିଥିଲେ । ବିଡ଼ିଓ ଅଭିଷେକ ଦାସଙ୍କୁ ତୁରନ୍ତ ସ୍ଥାୟୀ ବିଡ଼ିଓ ନିଯୁକ୍ତି ନକଲେ ପୁନର୍ବାର ଆନ୍ଦୋଳନ ହେବା ନେଇ ପଞ୍ଚାୟତ ପ୍ରତିନିଧି ଦଳ ଜିଲ୍ଲାପାଳ ଉଦେଶ୍ୟରେ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଦାସଙ୍କୁ ଲିଖିତ ଭାବେ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *