ନୂଆଦିଲ୍ଲୀ : ପ୍ରବଳ ବର୍ଷା ଲାଗି ଭୁସ୍ଖଳନ ଓ ବନ୍ୟା ଲାଗି ଦେଶର ବିଭିନ୍ନ ସ୍ଥାନରେ ମୃତ୍ୟୁ ସଂଖ୍ୟା ବଢିଛି । ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡିଶା, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି । ଆଗକୁ ଏହି ସଂଖ୍ୟା ବଢିବାରେ ମଧ୍ୟ ଆଶଙ୍କା କରାଯାଉଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କିଛି ଅଞ୍ଚଳରେ ରବିବାର ଓ ସୋମବାର ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଗୁଆ ସତର୍କ ସୂଚନା ଦେଇଛି ।
ତେବେ ଉତ୍ତରାଖଣ୍ଡରେ ଲଗାତର ବାଦଲ ଫଟା ବର୍ଷା ଲାଗି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ନିଖୋଜ ଅଛନ୍ତି । ଅନେକ ଲୋକ ଏବେବି ପାଣି ଘେରରେ ଥିବା ସୂଚନା ରହିଛି । ଯେଉଁମାନଙ୍କୁ ଉଦ୍ଧାର ଲାଗି ପ୍ରଶାସନ ଉଦ୍ୟମ ଜାରି ରଖିଛି । ସେହିପରି ଓଡିଶା ମଧ୍ୟ ପ୍ରବଳ ବର୍ଷା ଲାଗି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ବିଭିନ୍ନ ନଦୀରେ ଜଳସ୍ତର ବଢିବା ଲାଗି ୫୦୦ ଗାଁର ପ୍ରାୟ ୪ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଖାସ୍ କରି ବାଲେଶ୍ୱର, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାମାନଙ୍କରେ ସ୍ଥିତି ସଙ୍ଗୀନ ରହିଛି ।
ଅନ୍ୟପଟେ ହିମାଚଳ ପ୍ରଦେଶରେ ଲଗାତର ବର୍ଷା ଲାଗି ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଖାସ୍ କରି ପାହାଡିଆ ଅଞ୍ଚଳମାନଙ୍କରେ ଲଗାତର ବର୍ଷା ଓ ଭୁସ୍ଖଳନ ଲାଗି ଅନେକ ଲୋକ ନିଜ ବାସସ୍ଥାନ ହରାଇଛନ୍ତି । ଝାଡଖଣ୍ଡରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ପ୍ରବଳ ବର୍ଷା ଲାଗି ଅନେକ ଲୋକେ ଏବେବି ପାଣି ଘେରରେ ଅଛନ୍ତି । ଏପିରିକି ଶନିବାର ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଅଞ୍ଚଳରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
