ବାଲିଆପାଳ : ବାଲିଆପାଳ ବ୍ଲକରେ ଲଘୁଚାପ ଜନିତ ବର୍ଷା ଓ ପବନରେ ଖଗଡାପାଳ ଗ୍ରାମରେ ଘରେ ଶୋଇଥିବା ବେଳେ କାନ୍ଥ ପଡ଼ି ସାବିନା ଖାତୂନ ନାମକ ଜଣେ ଚାରି ବର୍ଷର ଶିଶୁ କନ୍ୟାର ମ୍ରୁତ୍ଯୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଆଉ ଦୁଇ ଶିଶୁ । ଗୁରୁତର ଶିଶୁଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ଲଘୁଚାପ ଜନିତ ବର୍ଷା ଓ ପବନ ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିଲା । ରାତି ବଢିବା ସହିତ ବର୍ଷା ଓ ପବନର ବେଗ ମଧ୍ୟ ବଢିଥିଲା । ମଧ୍ୟ ରାତ୍ରିରେ ବ୍ଲକର ମଧୂପୂରା ପଞ୍ଚାୟତର ଖଗଡା ପାଳ ବସ୍ତିରେ ଥିବା ଏକ ପୁରୁଣା ବଡ଼ ଗଛ ହଠାତ ଭାଙ୍ଗିଯାଇ ଅନସାର ଅଲି ଘର ଉପରେ ପଡ଼ିଥିଲା ।

ଫଳରେ ଘରର କାନ୍ଥ ଓ ପାଚେରୀ ଭାଙ୍ଗି ଯାଇଥିଲା । ଭଙ୍ଗା କାନ୍ଥ ତଳେ ଅନସାର ଅଲିର ଦୁଇ ଝିଅ ଓ ଜଣେ ପୁଅ ଚାପି ହୋଇଯାଇଥିଲେ । ତୁରନ୍ତ ଖବର ପାଇ ସ୍ଥାନୀୟ ସମାଜସେବୀ ରବୀନ୍ଦ୍ର ନାଥ ଅଣ୍ଡିଆ, ମଧୂପୂରା ଓ ବାଲିଆପାଳ ସରପଞ୍ଚ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ତିନି ଗୁରୁତରକୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ମାତ୍ର ଚାରି ବର୍ଷର ସାମୀନା ଖାତୂନର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଓ ପରେ କଟକ ନେଇ ଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇ ଯାଇଥିଲା । ଅନ୍ୟ ଦୁଇ ଗୁରୁତର ଶେଖ ଆରାମ ଓ ଆମୀନା ଖାତୂନ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଛୋଟ ଶିଶୁଟିର ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ, ଜନ ପ୍ରତିନିଧିମାନଙ୍କ ସାହାର୍ଯ୍ୟ ପାଇ ଦୁଇଟି ଅମୂଲ୍ୟ ଜୀବନ ବଂଚିଗଲା । ବାଲିଆପାଳ ତହସିଲଦାରଙ୍କ ତରଫରୁ ରେଡ କ୍ରସ ଦ୍ୱାରା କିଛି ପଇସା ପିଲାର ବାପାଙ୍କୁ ପ୍ରଦାନ କରିଥିଲେ ।
