ଭୁବନେଶ୍ୱର : ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ ରୂପ ନେବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ତାହା ସହ ଆସନ୍ତାକାଲି ରାଜ୍ୟରେ ଏହାର ସର୍ବାଧିକ ପ୍ରଭାବ ଦେଖାଦେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଦିଆଯାଇଛି । ୨୦ ତାରିଖରେ ପଶ୍ଚିମ ଓଡି଼ଶାରେ ମଧ୍ୟ ଅତିପ୍ରବଳ ବର୍ଷା ହେବା ନେଇ କୁହାଯାଇଛି ।
ପାଣିପାଗ କେନ୍ଦ୍ରର ଆକଳନ କହିଛି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲାରେ ୭ ରୁ ୧୧ ସେମି ବର୍ଷା ହୋଇପାରେ । ଲଘୁଚାପ ଜନିତ ବର୍ଷା ପ୍ରଭାବରେ ୧୯ ଓ ୨୦ରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିପାରେ ।
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ଏବଂ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ସତର୍କ ରହିବା ନିମନ୍ତେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ବନ୍ୟାବିପନ୍ନଙ୍କ ପାଇଁ ଆହୁରି ସଙ୍ଗୀନ ହୋଇପାରେ ।
