ବ୍ୟାରିକେଡ୍‌ ନ‌ଲାଗିବା ଯୋଗୁଁ ଅପବିତ୍ର ହେଉଛି ଶରଧାବାଲି

ପୁରୀ : ଶରଧାବାଲିର ପ୍ରତିଟି ରେଣୁ ପବିତ୍ର ବୋଲି ବିବେଚନା କରାଯାଏ । ମହାପ୍ରଭୁ ନାକଚଣା ଦ୍ବାର ବାଟେ ପହଣ୍ଡି ହୋଇ ଏହି ବାଲିରେ ରଥ ଉପରେ ବାହୁଡ଼ା ବିଜେ କରୁଥିବାରୁ ଭକ୍ତ ଏହାକୁ ମୁଣ୍ଡରେ ବୋଳିହୁଅନ୍ତି । କାନ‌ିରେ ବାନ୍ଧି ନିଅନ୍ତି । ମାତ୍ର ଶ୍ରୀମନ୍ଦିର ପ୍ରଶାସନର ବେପରୱା କାର୍ଯ୍ୟ ଯୋଗୁ ପବିତ୍ର ଶରଧାବାଲି ଅପବିତ୍ର ହେଉଛି । କିଛି ଅମାନିଆ ଓ ଅସଚେତନ ନାଗରିକ ଏହାକୁ ମୁକ୍ତ ଶୌଚାଳୟ ଭାବେ ବ୍ୟବହରା କରୁଥିବା ବେଳେ ବିନା ଦ୍ବିଧାରେ କାର୍‌, ବସ୍‌ ପାର୍କିଂ କରାଯାଉଛି । ମହାପ୍ରମୁଙ୍କ ବାହୁଡ଼ା ରଥଯାତ୍ରା ସରିବା ମାସେରୁ ଅଧିକ ସମୟ ଅତିକ୍ରାନ୍ତ । ଅଥଚ ଶରଧାବାଲିକୁ ସୁରକ୍ଷା ଦେବାକୁ ସେଠାରେ ଏଯାଏ ବ୍ୟାରିକେଡ୍‌ ‌ବୁଲାଗଲା ନାହିଁ । ଇତିମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି, କିନ୍ତୁ ଏ ସମ୍ପର୍କରେ କେହି ପ୍ରଶ୍ନ ଉଠାଇ ନାହାନ୍ତି କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ କୌଣସି ଆନ୍ତରିକତା ପ୍ରକାଶ ପାଇନାହିଁ ।

ମହାପ୍ରଭୁ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବାର କିଛିଦିନ ମଧ୍ୟରେ ଶରଧାବାଲିକୁ ବ୍ୟାରିକେଡ୍‌ କରାଯାଏ । ଏହି ସ୍ଥାନର ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ତ୍ବ ଦୃଷ୍ଟିରୁ ଏହାର ସ୍ବଚ୍ଛତା ବଜାୟ ରଖିବା ଲାଗି ଏହା ଚାରିପଟେ ବାଡ଼ା ବୁଲାଯାଏ । ଫଳରେ ଲୋକେ ଏହା ମଧ୍ୟରେ ଗାଡ଼ି ପାର୍କିଂ କରିବାକୁ ସୁଯୋଗ ପାଆନ୍ତି ନାହିଁ । ସାଧାରଣ ଲୋକେ ମଧ୍ୟ ଲୁହା ବାଡ଼ା ଅତିକ୍ରମ କରି ଭିତରକୁ ଯାଆନ୍ତି ନାହିଁ । କିନ୍ତୁ ଚଳିତ ବର୍ଷ ଏଯାଏ ବ୍ୟାରିକେଡ୍‌ ଲାଗିନାହିଁ । ଫଳରେ କିଛି ବ୍ୟକ୍ତି ଏହାକୁ ପାର୍କିଂ ସ୍ଥଳ ଭାବେ ନିୟମିତ ବ୍ୟବହାର କରୁଛନ୍ତି । ଅଧିକାଂଶ ସମୟରେ କିଛି ବସ୍‌ ଓ ୪୦୭ ମିନିଟ୍ରମ୍‌ ଏଠାରେ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି ।

କିଛି ବ୍ୟକ୍ତିବିଶେଷଙ୍କର ହୀନ ମାନସିକତାକୁ ଦୃଷ୍ଟିରେ ରଖି ପୂର୍ବରୁ ଦଶାବତାର ମଠ କାନ୍ଥକୁ ଆଧ୍ୟାତ୍ମିକ ଚିତ୍ରରେ ସୁସଜ୍ଜିତ କରାଯାଇଥିଲା । କଡ଼ରେ ଫୁଲଗଛ ଲଗାଯାଇଥିଲା । ଉଦ୍ଦେଶ୍ୟ ଥିଲା, ପବିତ୍ରତା ଦୃଷ୍ଟିରୁ ଲୋକେ ଏହାକୁ ସମ୍ମାନ ଦେଇ ଏଠାରେ ପରିସ୍ରା କରିବେ ନାହିଁ । କିନ୍ତୁ ପ୍ରଶାସନ ପକ୍ଷରୁ ଏନେଇ ଯେଉଁ ଅଭିନବ ଚିନ୍ତା କରାଗଲା, ତାହା ବଜାୟ ରଖାଗଲା ନାହିଁ । ଶ୍ରୀମନ୍ଦିର ପାର୍ଶ୍ବକୁ ଫୁଲଗଛରେ ସଜା ଯାଇପାରିଲା, କିନ୍ତୁ ଶରଧାବାଲିର ପବିତ୍ରତା ବଜାୟ ରଖିବା ଲାଗି ଏଯାଏ କୌଣସି ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ନାହିଁ ।

ଜନ ଜାଗରଣ ମଞ୍ଚର ଆବାହକ ଜ୍ୟୋତିରଂଜନ ନାୟକ କହିଛନ୍ତି, ବାହୁଡ଼ା ଯାତ୍ରା ପରେପରେ ବ୍ୟାରିକେଡ୍‌ କରିବା ନିତାନ୍ତ ଆବଶ୍ୟକ । ତଥାପି ଖାଲି ବ୍ୟାରିକେଡ୍‌ କରିଦେଲେ ମଧ୍ୟ ଏ ସମସ୍ୟାରେ ଅନ୍ତ ହେବନାହିଁ । ଏଠାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବା ଉଚିତ। ତେବେ ଯାଇ ଅମାନିଆଙ୍କୁ ଏଠାରୁ ଦୂରେଇ ରଖାଯାଇପାରିବ । ଅଠରନଳା ସୌନ୍ଦର୍ଯ୍ୟୀକରଣ ପାଇଁ କୋଟିକୋଟି ଟଙ୍କା ସରକାର ତହବିଲରୁ ଖର୍ଚ୍ଚ ହେଲା । ଫୁଲ ଓ ସାଜସଜା ଗଛରେ ଏହାର ସୌନ୍ଦର୍ଯ୍ୟୀକରଣ ସହ ଏହାକୁ ସୁରକ୍ଷିତ ରଖିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇପାରିଲା । ଅଥଚ ଶରଧାବାଲିର ମହତ୍ତ୍ବ ଦୃଷ୍ଟିରୁ ଏହାର ପବିତ୍ରତା ବଜାୟ ରଖିବା ପାଇଁ ଦୁଇଜଣ ସୁରକ୍ଷା କର୍ମୀ ନିୟୋଜିତ କରାଯିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *