୭୦ ବର୍ଷ ପରେ ବି ସରୁନି ଆର୍‌ଏସ୍‌ପି ବିସ୍ଥାପନ ସମସ୍ୟା

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସ୍ଥାପନ ହେବାର ପ୍ରାୟ ୭୦ ବର୍ଷ ହୋଇ ଗଲାଣି, କିନ୍ତୁ ବିସ୍ଥାପିତଙ୍କ ସମସ୍ୟା ତୁଟୁନି । ଫଳରେ ଜାତୀୟ ଜନଜାତି କମିସନଙ୍କ ହସ୍ତକ୍ଷେପ ଯୋଗୁ ସହରରେ ଆଗେଇପାରୁନି ଅନେକ ପ୍ରକଳ୍ପ । ବର୍ଷ ବର୍ଷ ଧରି ଅଟକିଛି ଅନେକ ମେଗା ପ୍ରକଳ୍ପ । ରାଉରକେଲାରୁ ଭୁବନେଶ୍ବର ଓ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ବସୁଛି । ସମସ୍ୟା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି । କିନ୍ତୁ, ସମାଧାନର ବାଟ ବାହାରିପାରୁନି । ନିକଟରେ ଜାତୀୟ ଜନଜାତି କମିସନର ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ନୋଟିସ୍‌ କରିଥିଲେ । ଏହାପରେ ମାମଲା ଟିକିଏ ବି ଆଗେଇ ନାହିଁ ।

୨୦୦୯ରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଥମ ପର୍ଯ୍ୟାୟରେ ୮୭ ଓ ୨୦୧୦ରେ ଦ୍ବିତୀୟ ପର୍ଯ୍ୟାୟରେ ୬୬, ଏମିତି ମୋଟ୍‌ ୧୬୩ ଜଣଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ପରବର୍ତ୍ତୀ ସମୟରେ ଜଣେ ହେଲେ ବିସ୍ଥାପିତଙ୍କୁ ଆରଏସ୍‌ପିରେ ନିଯୁକ୍ତି ମିଳିନଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, ଆଜି ପର୍ଯ୍ୟନ୍ତ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ୬ଥର ଆରପିଡିଏସି ବୈଠକ ବସିଛି । ବିସ୍ଥାପିତଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି । ତା’ସତ୍ତ୍ବେ ଆଜି ଯାଏ ବିସ୍ଥାପିତଙ୍କ ସମସ୍ୟାର ଯେମିତିକୁ ସେମିତି ରହିଯାଇଛି । ଏଥିପାଇଁ ସହରବାସୀଙ୍କ ବହୁ ପ୍ରତୀକ୍ଷିତ ଦୁଇଟି ମେଗା ପ୍ରକଳ୍ପ ଅଧପନ୍ତରିଆ ହୋଇ ପାଚେରିରେ ସୀମିତ ରହିଯାଇଛି । ପ୍ରଥମଟି ହେଉଛି ବାଲୁଘାଟସ୍ଥ ହୋଲସେଲ୍‌ କୃଷକ ବଜାର । ଗତ ୨୦୧୪ରେ ମୁଖ୍ୟମନ୍ତ୍ରୀ ଏହାକୁ ଶିଳାନ୍ୟାସ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପର୍ଯ୍ୟାୟରେ ୯୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ନିକଟରେ ସ୍ମାର୍ଟସିଟି ପକ୍ଷରୁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା‌ । କିନ୍ତୁ, ସେଠାରେ ବିସ୍ଥାପିତଙ୍କ ଘର ଥିବାରୁ ସ୍ମାର୍ଟସିଟି ସେ ପ୍ରକଳ୍ପରୁ ଓହରି ଯାଇଛି । ପୂର୍ବରୁ ଆସିଥିବା ପ୍ରାୟ ୯୮ କୋଟି ଟଙ୍କାରୁ ୨୦% ଖର୍ଚ୍ଚ ହୋଇଛି । ଅବଶିଷ୍ଟ ଟଙ୍କା ସେମିତି ବ୍ୟାଙ୍କରେ ପଡିଛି ।

ସେମିତି ଆଉ ଏକ ପ୍ରକଳ୍ପ ହେଉଛି ସେକ୍ଟର-୧୩ ଓମ୍‌ଫେଡ୍‌ ଡାଏରୀ ପଛପାର୍ଶ୍ବ କୃଷି ବିଜ୍ଞାନ କେନ୍ଦ୍ର । ୫୦ ଏକର ଜାଗାରେ ସୁନ୍ଦରଗଡ଼ ଜିଲ୍ଲାର ଦ୍ବିତୀୟ କୃଷି ବିଜ୍ଞାନ କେନ୍ଦ୍ର ପାଚେରି ନିର୍ମାଣ ପାଇଁ ୧ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ପାଚେରି ନିର୍ମାଣ କାମ ଆରମ୍ଭରୁ ପ୍ରତିବାଦ କରିଥିଲେ ସେଠାରେ ରହୁଥିବା ବିସ୍ଥାପିତ ପରିବାର । ଜମି ବଦଳରେ ଜମି ଓ ଆର୍‌ଏସ୍‌ପିରେ ନିଯୁକ୍ତି ଦାବିରେ ନିର୍ମାଣ କାମକୁ ଜୋରଦାର ବିରୋଧ କରିଥିଲେ । ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ ହୋଇଥିଲା । ବିସ୍ଥାପିତ ପରିବାର ଜିଲ୍ଲା ପ୍ରଶାସନ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ରହିତାଦେଶ ଜାରି କରିଥିଲେ । ସେବେଠୁ କୃଷି ବିଜ୍ଞାନ କେନ୍ଦ୍ର ସେମିତି ଅଧଖଣ୍ଡିଆ ପାଚେରୀରେ ସୀମିତ ରହିଛି । ବନ୍ଧମୁଣ୍ଡା କୁକୁଡା ଗେଟ୍‌ ରେଳ ଓଭରବ୍ରିଜ୍‌ରେ ମଧ୍ୟ ସେହି ସମାନ ସ୍ଥିତି ସୃଷ୍ଟି ହୋଇଛି । ଜମି ସମସ୍ୟାର ସମାଧାନ ହୋଇ ପାରୁନଥିବାରୁ ରେଳ ଓଭରବ୍ରିଜ୍‌ କାମ ଧିମେଇ ଚାଲିଛି । ସହର ଓ ଏହାର ଆଖପାଖରେ ଏମିତି ଅନେକ ପ୍ରକଳ୍ପ ବିସ୍ଥାପିତ ସମସ୍ୟାରୁ ଅଟକିଛି । ସେପଟେ ସମସ୍ୟାର ସମାଧାନ ପାଇ ଜାତୀୟ ଜନଜାତି କମିଶନ ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଅନେକ ବାର ଦାଗିଦ୍‌ କରିଛନ୍ତି । ପ୍ରର୍ଯ୍ୟାୟକ୍ରମେ ବିସ୍ଥାପିତ ପରିବାରଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କିନ୍ତୁ କିଛି ଫଳ ମିଳିନାହିଁ । ବିସ୍ଥାପିତଙ୍କ ସମସ୍ୟା ଓ ତା ଭିତରେ ଅଟକି ଯାଉଥିବା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ସଂପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *