ଦୀର୍ଘ ୨୪ ଘଣ୍ଟା ଧରି ବିଦ୍ୟୁତ୍‍ ସେବା ବ୍ୟାହତ, ଅନ୍ଧାରରେ ୧୭ ପଞ୍ଚାୟତବାସୀ

ଗୁରୁଡ଼ିଝାଟିଆ : ବିଦ୍ୟୁତ୍‍ ସେବା ଦୀର୍ଘ ୨୪ ଘଣ୍ଟା ଧରି ନିରବର୍ଚ୍ଛିନ୍ନ ଭାବରେ ଗତକାଲି ସନ୍ଧ୍ୟା ୭ଟା ରୁ ଆଜି ରାତି ୮ଟା ପର୍ଯ୍ୟନ୍ତ ବ୍ୟାହତ ହେବା ଫଳରେ ୧୭ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସହଜେ ଲଗାଣ ବର୍ଷା, ଗାଁ ରାସ୍ତା, ସାହିଗଳି ବର୍ଷା ପାଣିରେ ପୁରି ରହିଛି । ଏଭଳି ସ୍ଥିତିରେ ସରୀସୃପମାନେ ମଧ୍ୟ ରାସ୍ତାଘାଟକୁ ଉଠିଆସୁଛନ୍ତି । ଅନ୍ଧକାର ଭିତରେ ୨୪ଘଣ୍ଟା ଧରି ଜନସାଧାରଣ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଜୀବନ ବିତାଇଲେ । ଅନ୍ଧକାରରୁ ମୁକ୍ତି ପାଇଁ କିରୋସିନ ଟିକିଏ ମିଳୁନାହିଁ । ବିଦ୍ୟୁତ୍‍ ବିଭାଗର ଏଭଳି ଅଘୋଷିତ ବିଜୁଳିକାଟ ଜନସାଧାରଣଙ୍କୁ ଘୋର ଦୁର୍ଦ୍ଦଶା ଦେଇଛି । ପ୍ରକାଶଯୋଗ୍ୟ ଗତକାଲି ରାତି ୭ଟାରେ ହଠାତ୍‍ ଝିପିଝିପି ବର୍ଷା ହେଉଥିବା ଅବସ୍ଥାରେ କଟିଯାଇଥିଲା । ଆଶାଥିଲା ଘଣ୍ଟାଏ ଦୁଇଘଣ୍ଟା ଭିତରେ ପୁନର୍ବାର ବିଦ୍ୟୁତ୍‍ ଆସିବ । ହେଲେ ରାତିଯାଇ ଆଦି ଦିନ ବିତିଯାଇଥିଲା । ହେଲେ ବିଦ୍ୟୁତ୍‍ ଆସିନଥିଲା । ଆଜି ରାତି ୮ଟା ସମୟରେ ବିଦ୍ୟୁତ୍‍ ଆସିଥିଲା । କୁଷ୍ପଙ୍ଗି, ମଞ୍ଚେଶ୍ୱର, ଓରନ୍ଦା, କଖଡି, ଘଣ୍ଟିଖାଲ, ଧୁରୁଷିଆ, ଅନନ୍ତପୁର, କଟକିଆସାହି, ମେଘା, କୁମାରପୁର, ଛଅଗାଁ, ଗୋବରା, ଗୁରୁଡ଼ିଝାଟିଆ, ରାଧାକିିଶୋରପୁର, ରାଧାକୃଷ୍ଣପୁର, ଡାଳଭାଗ, ଖୁଣ୍ଟୁଣୀ ପ୍ରଭୃତି ପଞ୍ଚାୟତ ଅନ୍ଧକାର ଭିତରେ ରହିଥିଲା । ଏପରିକି ବିଦ୍ୟୁତ୍‍ ବିଭାଗର ଯନ୍ତ୍ରୀମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଫୋନ ଉଠାଇନଥିଲେ । ଏ ସଂପର୍କରେ ଆଠଗଡ଼ ବିଦ୍ୟୁତ୍‍ ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର ମୋହନ ସାହୁଙ୍କୁ ପଚାରିବାରୁ ଚୌଦ୍ୱାରରୁ ଛତିଶା ମଧ୍ୟରେ ଏକାଧିକ ସ୍ଥାନରେ ବିଦ୍ୟୁତ୍‍ ଲାଇନରେ ବିଭ୍ରାଷ୍ଟ ଦେଖାଯାଇଥିଲା । ଯାହାକୁ ଅସହ୍ୟ ଲଗାଣ ବର୍ଷାରେ ପାଣି ଭିତରେ ପଶି କାମ କରିବା ସମୟ ସାପେକ୍ଷ ଥିଲା ।

 

Leave a Reply

Your email address will not be published. Required fields are marked *