ସୋର : ଗାଁ ମଜଲିସ୍ ସାହିତ୍ୟ ସଂସଦର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଏହି ଉତ୍ସବରେ ସୋର ବିଧାୟକ ପର୍ଶୁରାମ ଧଡ଼ା ଉଦ୍ଘାଟକ ଭାବେ ଯୋଗଦେଇ କବୀ ଅଞ୍ଜଳି କୁମାରୀ କରଙ୍କ ଗ୍ରନ୍ଥାବଳୀ ‘ଅଞ୍ଜଳି ରଚନାବଳୀ’କୁ ଲୋକାର୍ପଣ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଲୋଚକ ଡ. ନଟବର ଶତପଥୀ ଯୋଗଦେଇ ଭାଷା ସାହିତ୍ୟ ଅବହେଳିତ ହେବା ମୂଳରେ ଆମ ଶାସକମାନଙ୍କ ଅନୁଶାସନହୀନତା ହିଁ ମୁଖ୍ୟ ପ୍ରତିବନ୍ଧକ ବୋଲି କହିଥିଲେ । 
ଶାସିତ ଶାସକ ଓ ଅନୁଶାସନ ସମନ୍ୱିତ ହେଲେ ଗୋଟିଏ ଜାତିର ଯଥାର୍ଥ ପ୍ରତିପାଦିତ ହୁଏ । ସମ୍ମାନିତ ଅତିଥି ଭାବେ ‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା ଯୋଗଦେଇ କହିଲେ ଭାଷା ସାହିତ୍ୟର ଉନ୍ନତି ହେଲେ ଆମ ଜାତିର ବିକାଶ ହୋଇପାରିବ । ସମୀକ୍ଷକ ଭାବେ ଡ.ରବୀନ୍ଦ୍ର ବିହାରୀ ଯୋଗଦେଇ ରାଧାନାଥଙ୍କ ପରେ ଓଡ଼ିଆ କାବ୍ୟଧାରାରେ ଯେଉଁ ପରିବର୍ତ୍ତନ ଆସିଥିଲା, ଅଞ୍ଜଳି କରଙ୍କ କାବ୍ୟ ସମଗ୍ରର ଅନ୍ତର୍ନିହିତ ଚେତନା ବୋଲି କହିଥିଲେ । ଅଧ୍ୟାପକ ମହେଶ୍ୱର ପାଢ଼ୀ ଯୋଗଦେଇ ଭାଷା ସାହିତ୍ୟରେ ହୀନମନ୍ୟତା ଓ ତୋଷାମଦ ରହିଲେ ତାହା ସଦ୍ସାହିତ୍ୟ ହୋଇ ପାରିବ ନାହିଁ ବୋଲି ଅଞ୍ଜଳି କରଙ୍କ ଗ୍ରନ୍ଥାବଳୀରୁ ସ୍ପଷ୍ଟ ଅନୁମେୟ । କବୀ ଅଞ୍ଜଳି କୁମାରୀ କର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଏହି ଅବସରରେ ସଂସଦର ପୂର୍ବତନ ସଭାପତି ରଜନୀକାନ୍ତ ମହାନ୍ତି, ପ୍ରଥମ ସଂପାଦକ ,ଯୋଗେଶ ଚନ୍ଦ୍ର ଦାସ ଓ ପ୍ରତିଷ୍ଠାତା ସଦସ୍ୟ ଦୁର୍ଯ୍ୟୋଧନ ମଲ୍ଲିକ ସମାଜସେବୀ ସୁବାସିନୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଦାମୋଦର ମହାପାତ୍ର ମଞ୍ଚ ଆହ୍ୱାନ କରିଥିବା ବେଳେ ବିକାଶ ଶତପଥୀ ବେଦପାଠ କରିଥିଲେ । ଅଶୋକ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ ବିବରଣୀପାଠ କରିଥିଲେ । ପୁରୁବାଈ କନ୍ୟାଶ୍ରମର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ପରିଚାଳନାରେ ସରଶଂଖ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ମହେଶ୍ୱର ପଣ୍ଡା ଧନ୍ୟବାଦ ଦେଇଥିଲେ । ଚନ୍ଦ୍ରମୋହନ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର କୁମାର ଦାସ, ଯଦୁନାଥ ସାହୁ, କମଳାକାନ୍ତ ପରିଡ଼ା, ଉଦ୍ଧବ ବିଶ୍ୱାଳ, ପଦ୍ମାବତୀ ଷଡ଼ଙ୍ଗୀ, ଡା. ଅସୀମା ଶତପଥୀ, ଡା. ଧୀରେଶ କୁମାର ଷଢ଼ଙ୍ଗୀ, ପ୍ରୀତିପ୍ରଭା ଷଢ଼ଙ୍ଗୀ ଏବଂ ନଟବର ଶତପଥୀ ସହାୟତା କରିଥିଲେ ।
