ଭୁବନେଶ୍ବର : ପୂର୍ବତଟ ରେଳପଥରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି । ତାହାକୁ କିଭଳି ଅଧିକ କ୍ରିୟାଶୀଳ କରାଯାଇପାରିବ ସେନେଇ ସମୀକ୍ଷା କରାଯାଇଛି । ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ‘ରେଳସଦନ’ ଠାରେ ରେଳପଥର ପରିସୀମା ମଧ୍ୟରେ ଚାଲୁରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ସମ୍ବନ୍ଧରେ ସମୀକ୍ଷା କରିବା ସହ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରମୁଖ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ ଉପରେ ଅଧିକ ବିଚାର ଆଲୋଚନା କରାଯାଇଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି ରେଳ ପ୍ରକଳ୍ପ ଅଧୀନରେ ଚାଲିଥିବା ୪୭ କିମି କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ୩୦୧ କିମିର ଖୋର୍ଧାରୋଡ-ବଲାଙ୍ଗୀର ରେଳପଥ ନୂଆ ଲାଇନ୍ର ୪ଟି ସ୍ଥାନରେ ଏବେ ନୂତନ ରେଳ ଲାଇନ୍ ବିଛା କାର୍ଯ୍ୟ ଚାଲିଛି । ସେଥିମଧ୍ୟରୁ ଚଳିତ ମାସରେ ବିଚ୍ଛୁପାଲ୍ଲୀ-ଝରତରଭା ପର୍ଯ୍ୟନ୍ତ ୧୦.୩୫ କିମି ରେଳ ଲାଇନ୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନୂଆଗାଁରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୫.୪୪୫ କିମି ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ୨୦୨୩ ଫେବ୍ରୁଆରିରେ ଶେଷ କରାଯିବ । ସେହିପରି ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସୋନପୁର-ଖମ୍ବେଶ୍ବରପାଲ୍ଲି ୧୦.୩୦ କିମି ରେଳ ଲାଇନ୍ ଏବଂ ଖମ୍ବେଶ୍ବରପାଲ୍ଲି-ଝରତରଭା ପର୍ଯ୍ୟନ୍ତ ୧୧.୪୦ କିମି ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଛି । ୨୦୦୩-୦୪ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନ୍ କାର୍ଯ୍ୟର ମଧ୍ୟ ସମୀକ୍ଷା ହୋଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସୁନାକାହାନି-ସାମଲ-ପରବିଲ୍ ପର୍ଯ୍ୟନ୍ତ ୧୬.୩୧ କିମି ଏବଂ ୨୦୨୩ ଜାନୁଆରି ସୁଦ୍ଧା ପରବିଲ୍-ଖାମର ପର୍ଯ୍ୟନ୍ତ ୧୪.୨୦ କିମି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହା ବ୍ୟତୀତ ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ ନୂତନ ରେଳ ଲାଇନ, ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ, କୋତ୍ତଭାଲାସା-କୋରାପୁଟ-କିରନ୍ଦୁଲ ଦୋହରୀକରଣ ଓ ଅନୁଗୁଳ-ସମ୍ବଲପୁର ମଧ୍ୟରେ ଦୋହରୀକରଣ କାର୍ଯ୍ୟର ସମୀକ୍ଷା ହୋଇଛି । ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟଗୁଡିକ ଦୋହରୀକରଣ, ତୃତୀୟ ଲାଇନ, ରାସ୍ତା ଉପର ପୋଲ, ଉପମାର୍ଗ ପ୍ରକଳ୍ପଗୁଡ଼ିକର ସଫଳତା ପାଇଁ ଆବଶ୍ୟକ ପଦକ୍ଷେପ ଭାବେ ବିସ୍ତୃତ ଓ ସଠିକ ଯୋଜନା, କୁଶଳ ଟେଣ୍ଡର ପ୍ରକ୍ରିୟା ଏବଂ ନିର୍ମାଣ କାର୍ଯ୍ୟର ତଦାରଖ ପ୍ରତି ବିଶେଷ ଧ୍ୟାନ ଦେବାକୁ ଶ୍ରୀ ଶ୍ରୀବାସ୍ତବ ଆଜି ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ତଳସ୍ତରରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ମଚାରୀଙ୍କ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି । ଏହି ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସହିତ ୱାଲଟିୟର, ସମ୍ବଲପୁର, ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ରେଳ ବିକାଶ ନିଗମ ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଥିଲେ ।
