ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲାର ୧୩ ବ୍ଲକରେ ୪ ବର୍ଷରେ କେବଳ ପଞ୍ଚାୟତିରାଜ ବିଭାଗର ଯନ୍ତ୍ରୀ ଓ କର୍ମଚାରୀଙ୍କ ନାମରେ ୪୫୦ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ଅମାନତ ଜମା ବାବଦରେ କେତେକ ବ୍ଲକରେ ୨ ପ୍ରତିଶତ, ଆଉ କେତେକ ବ୍ଲକରେ ୩ ପ୍ରତିଶତ ଅର୍ଥ କଟାଯାଇଛି । ଅଡିଟ୍ ପରେ କାର୍ଯ୍ୟାଦେଶ ପାଇଥିବା ଯନ୍ତ୍ରୀମାନେ ଏହି ଅର୍ଥକୁ ଉଠାଇ ନେଇଛନ୍ତି । ଅର୍ଥାତ୍ ଏ ପର୍ଯ୍ୟନ୍ତ ଅମାନତ ଜମା ଉଠାଣ ବାବଦରେ ସେମାନଙ୍କ ପକେଟ୍କୁ ପ୍ରାୟ ୯ କୋଟି ଟଙ୍କାର ସରକାରୀ ଅର୍ଥ ଯାଇଛି ।
ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଥିବା ଏହି ଚିତ୍ରକୁ ଯଦି ଭାତହାଣ୍ଡିରୁ ଗୋଟିଏ ବୋଲି ବିଚାର କରାଯାଏ, ତେବେ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଏହି ସମୟ ମଧ୍ୟରେ ୨୦୦ କୋଟିରୁ ଅଧିକ ଟଙ୍କା ଯନ୍ତ୍ରୀଙ୍କ ପକେଟ୍କୁ ଯାଇଥିବା ଅଭିଯୋଗକୁ ଅମୂଳକ ବୋଲି କୁହାଯାଇପାରିବ ନାହିଁ ।
ବ୍ଲକ ଓ ସରକାରୀ କାର୍ଯ୍ୟରେ ପିସି କାରବାରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଆହୁରି ଆଚମ୍ବିତ କଥା ହେଲା, ଏ ସଂକ୍ରାନ୍ତରେ ବିଧାନସଭାରେ ବିଧାୟକମାନେ ପ୍ରଶ୍ନ କଲେ, ଅଧିକାରୀମାନେ ତଥ୍ୟ ଦେବାକୁ କୁନ୍ଥ କୁନ୍ଥ ହେଉଛନ୍ତି । ଅଥଚ ସମାନ ତଥ୍ୟ ସୂଚନାଧିକାର କର୍ମୀଙ୍କୁ ଦିଆଯାଉଛି । ବିଧାନସଭାକୁ ଗୋଟିଏ ଉତ୍ତର ଓ ସୂଚନାଧିକାର କର୍ମୀଙ୍କୁ ଆଉ ଗୋଟିଏ ଉତ୍ତର ଦେବାକୁ ବାବୁମାନେ ଆଦୌ କୁଣ୍ଠା ପ୍ରକାଶ କରୁନାହାନ୍ତି ବା ଦୁଃସାହସ କରିବାକୁ ପଛାଉନାହାନ୍ତି ।
ଗୋଟିଏ ପଟେ ବୁକ୍ ସର୍କୁଲାର ୪୭ କୁ ନେଇ ତମ୍ବିତୋଫାନ ଚାଲିଛି । ଠିକ୍ ସେହି ସମୟରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାରେ ସରକାରୀ ବାବୁମାନଙ୍କର କାଳକ୍ଷେପଣ ନୀତି ସଙ୍କେତ ଦେଉଛି ଯେ ଓଡ଼ିଶା ପ୍ରଶାସନରେ ବିଧାନସଭା ପ୍ରତି ଅଧିକାରୀମାନଙ୍କର ସମ୍ଭବତଃ ସାମାନ୍ୟତମ ଆଉ ସମ୍ମାନ ନାହିଁ । ରାଜ୍ୟ ଶାସନରେ ଦେଖାଯାଇଥିବା ଏହି ବିଲକ୍ଷଣ ରାଜନୈତିକ ତଥ୍ୟାଭିଜ୍ଞ ମହଲ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସର୍ବୋପରି ବିଧାୟକମାନଙ୍କୁ ମଧ୍ୟ ବିସ୍ମିତ କରୁଛି ।
ଉଲ୍ଲେଖଥାଉକି, ଯନ୍ତ୍ରୀମାନଙ୍କ ପ୍ରତି ସରକାର ଅଧିକ ଆସ୍ଥା ପ୍ରକଟ କରି ୪ ବର୍ଷ ତଳେ ଗୋଟିଏ ବଡ଼ ନିଷ୍ପତ୍ତି ନେଇଥିଲେ । ତାହା ହେଲା, ସେମାନେ ଠିକାଦାରଙ୍କ ଭଳି ସିଧାସଳଖ ଉନ୍ନୟନ କାମ କରିପାରିବେ । ୨୦୧୮ ଜୁଲାଇ ୧୩ରେ ବିଭାଗୀୟ କାମ ନାମରେ ନୂଆ ନୀତିର ପ୍ରଣୟନ ହେଲା । ପଞ୍ଚାୟତ ସ୍ତରରେ ୫ ଲକ୍ଷ ଟଙ୍କା ଓ ବ୍ଲକ୍ ସ୍ତରରେ ୧୦ ଲକ୍ଷ ଟଙ୍କା ମୂଲ୍ୟଯାଏ ଠିକାକୁ ବିଭାଗୀୟ କାମ ନାମରେ ଯନ୍ତ୍ରୀ/କର୍ମଚାରୀ କାର୍ଯ୍ୟାଦେଶ ନେଇପାରିବେ, ବୋଲି ସରକାର ବିଧିବଦ୍ଧ ଅନୁମତି ଦେଲେ । ସରକାରଙ୍କ ଉଦ୍ଦେଶ୍ୟ ଥିଲା, ଏହା ଦ୍ବାରା ପିସି ଆପଣଛାଏଁ ବନ୍ଦ ହୋଇଯିବ ଏବଂ ଉନ୍ନୟନମୂଳକ କାମ ଗୁଣାତ୍ମକ ମାନର ହେବ ଓ ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହେବ । ହେଲେ ଦେଖାଗଲା ଯେ ଯନ୍ତ୍ରୀମାନେ ନିଜେ କାମ କରୁଥିବା କଥା କହୁଥିଲେ ହେଁ ଛଦ୍ମ ଠିକାଦାର ନିଯୁକ୍ତି ଦେଇ କୋଟି କୋଟି ଟଙ୍କାର କାର୍ଯ୍ୟ କରିବାକୁ ଲାଗିଲେ । କାମ ଶେଷ ପରେ ଚୂଡ଼ାନ୍ତ ବିଲ୍ ଉଠାଇ ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେଲେ । ପ୍ରତି ବଦଳରେ ପୂର୍ବ ଭଳି ପିସି ଗଣିନେଲେ ।
ଅର୍ଥାତ୍ ପିସି ତ ବନ୍ଦ ହେଲା ନାହିଁ, ବରଂ ଠିକା କାମର ମୂଲ୍ୟ ବାବଦରେ କଟିଥିବା ୨% ରୁ ୩% ଅମାନତ ଜମା ଅର୍ଥ କାର୍ଯ୍ୟାଦେଶ ପାଇଥିବା ଯନ୍ତ୍ରୀ/କର୍ମଚାରୀ ଅଡ଼ିଟ୍ ପରେ ଉଠାଇ ନେଲେ । ବିଭାଗୀୟ କାମ ନାମରେ ଦୀର୍ଘ ୪ ବର୍ଷ ଧରି ଚାଲିଥିବା ଡବଲ୍ ଫାଇଦା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ଚୈତନ୍ୟ ଉଦୟ ହେଲା । ଗତ ଜୁଲାଇ ୧୨ ତାରିଖରେ ଅର୍ଥାତ୍ ପ୍ରାୟ ମାସେ ତଳେ ଏହି ବ୍ୟବସ୍ଥାକୁ ପଞ୍ଚାୟତିରାଜ ବିଭାଗ ରଦ୍ଦ କରିଛନ୍ତି ।
ହେଲେ ଅମାନତ ଜମା ବାବଦରେ ଯନ୍ତ୍ରୀ/କର୍ମଚାରୀଙ୍କ ପକେଟ୍କୁ ଯାଇଥିବା ବିପୁଳ ସରକାରୀ ଅର୍ଥ କେମିତି ଅସୁଲ ହେବ ; ସେ ସମ୍ପର୍କରେ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ । ଏଭଳି ଏକ ସଙ୍ଗିନ୍ ପ୍ରସଙ୍ଗ ପୂରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି । ସରକାରଙ୍କର ଏଭଳି ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ବିଭାଗୀୟ କାମରେ ଅମାନତ ଜମା ଉଠାଣ ବାବଦରେ ଯନ୍ତ୍ରୀ/କର୍ମଚାରୀଙ୍କ ପକେଟ୍କୁ କେତେ ଅତିରିକ୍ତ ଅର୍ଥ ଯାଇଛି ? ଏକଥା ଜାଣିବା ପାଇଁ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ପୂର୍ତ୍ତ ମନ୍ତ୍ରୀଙ୍କୁ ସଦ୍ୟ ସମାପ୍ତ ବିଧାନସଭା କାଳରେ ପ୍ରଶ୍ନ କରିଥିଲେ । ଗତ ଜୁଲାଇ ୧୮ରେ ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଥିଲେ ‘‘ ପୂର୍ତ୍ତ ବିଭାଗରେ ବିଭାଗୀୟ କାମ ହେଉ ନାହିଁ, ଅନ୍ୟାନ୍ୟ ଇଞ୍ଜିନିୟରିଂ ବିଭାଗରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି’’ । ମନ୍ତ୍ରୀଙ୍କ ‘ତଥ୍ୟ ସଂଗ୍ରହ’ ଉତ୍ତରରେ ବିଚଳିତ କରୁଥିବା ଦିଗଟି ହେଲା-ପୂର୍ତ୍ତ ମନ୍ତ୍ରୀଙ୍କୁ ଅନ୍ୟ ବିଭାଗ ବିଧାନସଭାରେ ପ୍ରଦାନ ଲାଗି ଏହି ତଥ୍ୟ ଦେଇନଥିଲେ ହେଁ ଏହାର ସପ୍ତାହେ ପୂର୍ବରୁ ସୂଚନା କର୍ମୀଙ୍କୁ ଉତ୍ତର ମିଳିବା ଆରମ୍ଭ ହୋଇଥିଲା ।
ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ନିର୍ମାଣ ସାମଗ୍ରୀଠାରୁ ଆରମ୍ଭ କରି ଶ୍ରମିକଙ୍କ ମଜୁରି ନିର୍ଦ୍ଧାରଣ ଓ ସର୍ବୋପରି ଠିକା କାମ ନିର୍ବାହ ଲାଗି ପୂର୍ତ୍ତ କୋଡ୍ (OPWD)ରେ ବ୍ୟବସ୍ଥା ରହିଛି । ଏଣୁ ବିଭାଗୀୟ ଠିକା କାମ ନାମରେ ନୂଆ ନୀତି କାର୍ଯ୍ୟକାରୀ ପୂର୍ବରୁ ଏହି କୋଡ୍ର ଆବଶ୍ୟକ ସଂଶୋଧନ ନହେଲା କେମିତି ? ଏହା ଏକ ଗୁରୁତର ପ୍ରଶ୍ନ । ପୁଣି କୌଣସି ବୈଷୟକ ବିଭାଗରେ ବୈଷୟିକ ଅଭିଜ୍ଞତାସମ୍ପନ୍ନ ଅଧିକାରୀଙ୍କୁ ଶାସନ ସଚିବ ପାହ୍ୟା ପ୍ରଦାନ ବ୍ୟବସ୍ଥା ନଥିବାବେଳେ କେବଳ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କୁ ଏହି ସର୍ବୋଚ୍ଚ ପଦ ମିଳିଥାଏ । ଏହା ସତ୍ତ୍ବେ ବିଭାଗୀୟ କାମ ନାମରେ ଉପରୋକ୍ତ ଅସଂଗତିଗୁଡ଼ିକୁ ଦୀର୍ଘ ୪ ବର୍ଷ ଧରି ପ୍ରଶ୍ରୟ ଦିଆଯିବା ରହସ୍ୟଜନକ ନୁହେଁ କି ?
ଗତ ଜୁଲାଇ ୧୨ରେ ସୂଚନା କର୍ମୀ ସଞ୍ଜୟ ପାତ୍ରଙ୍କୁ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୪ ବର୍ଷରେ ୧୩ଟି ବ୍ଲକ ସଇଁତଳା, ରାସଗୋବିନ୍ଦପୁର, ହରଭଙ୍ଗା, ଜଗତସିଂହପୁର, ଟିକାବାଲି, ରଙ୍ଗେଇଲୁଣ୍ଡା, କଣ୍ଟାପଡା, ବଡ଼ଚଣା, ନରସିଂହପୁର, ଘଷିପୁରା, ବିଞ୍ଝାରପୁର, ଉମରକୋଟ, ଛତ୍ରପୁରର ଯନ୍ତ୍ରୀ ଓ କର୍ମଚାରୀଙ୍କ ନାମରେ ପ୍ରାୟ ୪୫୦ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ଅଡିଟ୍ ପରେ ୯ କୋଟି ଟଙ୍କା ସରକାରୀ ଅର୍ଥ ଯନ୍ତ୍ରୀଙ୍କ ପକେଟ୍ରେ । ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଏହି ତଥ୍ୟ ଲେଖିଛନ୍ତି । ସବୁ ଜିଲ୍ଲାପାଳଙ୍କୁ ବିଭାଗ ଲେଖିଥିବା ଚିଠି (ନଂ ୧୨୮୦୯/ତା ୧୨-୦୭-୨୨)ରେ ଦର୍ଶାଯାଇଛି ଯେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିବା ପରେ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ବିଭାଗୀୟ ଠିକା କାମରୁ ଅମାନତ ଜମା କାଟିବା ବ୍ୟବସ୍ଥାକୁ ତୁରନ୍ତ ରଦ୍ଦ କରାଗଲା । କେବଳ ଓପିଡବ୍ଲୁଡି କୋଡ୍ଅନୁଯାୟୀ ଟେଣ୍ଡର ଜରିଆରେ ହେଉଥିବା ଠିକା କାମରୁ ଅମାନତ ଜମା କଟାଯିବ । ବ୍ଲକ୍ ବ୍ୟତୀତ ରାଜ୍ୟରେ ଥିବା ୬,୭୯୪ ପଞ୍ଚାୟତରେ ବର୍ଷକୁ ଅତି କମ୍ରେ ହାରାହାରି ୧୦ ଲକ୍ଷ ଟଙ୍କାର ବିଭାଗୀୟ ଠିକା କାମ ହେଉଥିବାରୁ ସେଥିରେ କେତେ ଟଙ୍କାର ଅମାନତ ଜମା ହଡ଼ପ ହୋଇଥିବ, ତାହା ଏବେ ଅନୁସନ୍ଧାନ ସାପେକ୍ଷ । ଏହାଛଡ଼ା ବିଭିନ୍ନ ଜରୁରି ଆବଶ୍ୟକତା ଦର୍ଶାଇ ରାଜ୍ୟର ଅନ୍ୟାନ୍ୟ ଇଞ୍ଜିନିୟରିଂ ବିଭାଗଗୁଡ଼ିକ ମଧ୍ୟ ବିଭାଗୀୟ କାମ ନାମରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ସେସବୁ କାମରେ କେତେ ଟଙ୍କାର ଅନିୟମିତା ହୋଇଥିବ ତାହା ମଧ୍ୟ ତଦନ୍ତ ସାପେକ୍ଷ ।
ଏହି ଘଟଣାକୁ ଅତି ସମ୍ବେଦନଶୀଳ ବୋଲି ଦର୍ଶାଇ ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ଠିକା କାମରେ ଠିକାଦାରଙ୍କ ଠାରୁ ପ୍ରତିଶତ (ପିସି) ଅସୁଲ କର୍କଟ କୋଷ ଭଳି କାହିଁ କେଉଁ କାଳରୁ ମାଡ଼ିଚାଲିଛି । ପରିଣାମସ୍ବରୂପ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟରେ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପ ବାଟବଣା ହେବା ସହ ଜନସାଧାରଣଙ୍କ ଉପକାରରେ ଆସୁନାହିଁ । ବହୁ ବିଳମ୍ବରେ ହେଲେ ‘ପିସି ଅପସଂସ୍କୃତି’ ସଂପର୍କରେ ହେଜିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୭ ଜୁନ୍ ୧୧ରେ ଅନୁଷ୍ଠିତ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ଅପସଂସ୍କୃତି ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳମାନେ ଏ କ୍ଷେତ୍ରରେ କେତେ ସଫଳ- ତାହା ଭିନ୍ନ କଥା, ମାତ୍ର ଏବେ ବି ସେହି ବିକାଶ-ବିରୋଧୀ ପ୍ରକ୍ରିୟା ଜାରି ରହିବା ସହ କ୍ରମଶଃ ପଞ୍ଚାୟତ ସ୍ତରକୁ ଏହା ସଂକ୍ରମିତ ହୋଇଛି । ‘‘କୋଟିପତି ଯନ୍ତ୍ରୀ ଭିଜିଲାନ୍ସ ଜାଲରେ’’- ବର୍ଷ ବର୍ଷ ଧରି ଗଣମାଧ୍ୟମରେ ଏଭଳି ଖବର ପ୍ରାୟତଃ ଦୈନନ୍ଦିନ ପ୍ରକାଶ ପାଉଛି ।
