ଭୁବନେଶ୍ବର : ରାଜ୍ୟରେ ଶିଶୁ ମୃତ୍ୟୁକୁ ନେଇ ଆଉ ଏକ ଉଦ୍ବେଗଜନକ ଚିତ୍ର ସାମ୍ନାକୁ ଆସିଛି । ପ୍ରତିବର୍ଷ ରାଜ୍ୟରେ ଯେତିକି ସଂଖ୍ୟକ ଶିଶୁ(୫ ବର୍ଷରୁ କମ୍)ଙ୍କ ମୃତ୍ୟୁ ହେଉଛି ତାହାର ୫ ପ୍ରତିଶତ ଶିଶୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଜୀବନ ହାରୁଛନ୍ତି । ଏହି ତଥ୍ୟ କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନର ସର୍ବେକ୍ଷଣ ନୁହେଁ, ଖୋଦ୍ ସରକାରଙ୍କ ରିପୋର୍ଟ । ବିଭିନ୍ନ କାରଣ ପାଇଁ ଶିଶୁଙ୍କ ଏଭଳି ମୃତ୍ୟୁ ହେଉଥିବା କୁହାଯାଉଛି । ଗତ ୫ ବର୍ଷରେ ରାଜ୍ୟରେ ଏହି ଚିତ୍ରରେ କୌଣସି ପ୍ରକାର ପରିବର୍ତନ ଆସିନାହିଁ । ଜାତୀୟ ସ୍ତରରେ ଯେଉଁ କେତୋଟି ରାଜ୍ୟର ସହରାଞ୍ଚଳରେ ୫ ବର୍ଷରୁ କମ୍ ଶିଶୁ ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି ତହିଁରେ ଓଡ଼ିଶା ଶୀର୍ଷରେ ରହିଛି । ତେଣୁ ରାଜ୍ୟରେ ୫ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁକୁ କିଭଳି ରୋକାଯିବ ତାହା ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ ପାଲଟିଛି ।
ଶିଶୁ ମୃତ୍ୟୁ ହାର ବା ଆଇଏମ୍ଆରରେ ଓଡ଼ିଶା ବେଶ୍ ଭଲ ପ୍ରଦର୍ଶନ କରିଛି । ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରେ ଓଡ଼ିଶାରେ ୧ ହଜାର ଜୀବନ୍ତ ଶିଶୁଙ୍କ ମଧ୍ୟରେ ୩୬ ଜଣଙ୍କ ମୃତ୍ୟୁ ହେଉଥିବା ଦର୍ଶାଯାଇଛି । ସେହିପରି ଜନ୍ମର ୨୮ ଦିନ ଭିତରେ ହେଉଥିବା ମୃତ୍ୟୁ ବା ନିଓ ନାଟାଲ ମୃତ୍ୟୁହାର(ଏନ୍ଏମ୍ଆର) ଓଡ଼ିଶାରେ ୨୮ ରହିଛି । ତେବେ ୫ ବର୍ଷରୁ କମ୍ ଶିଶୁଙ୍କ କ୍ଷେତ୍ରରେ ଏହି ଚିତ୍ର ବଦଳି ଯାଉଛି । ୨୦୧୯/୨୦ରେ ପ୍ରକାଶ ପାଇଥିବା ଜାତୀୟ ପରିବାର କଲ୍ୟାଣ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଗ୍ରାମାଞ୍ଚଳରେ ୫ବର୍ଷ ରୁ କମ୍ ସର୍ବାଧିକ ୬୧ ଜଣ ଶିଶୁଙ୍କ ମୃତ୍ୟୁ ହେଉଛି । ଏହି ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ୪୯ ଜଣ ଶିଶୁଙ୍କ ମୃତ୍ୟୁ ହେଉଥିବାବେଳେ ସହରାଞ୍ଚଳରେ ୩୭ ଜଣ ପ୍ରାଣ ହରାଉଛନ୍ତି । ଓଡ଼ିଶାର ସହରାଞ୍ଚଳରେ ପ୍ରାଣ ହରାଉଥିବା ଶିଶୁଙ୍କ ମୃତ୍ୟୁ ଦେଶରେ ସର୍ବାଧିକ ରହିଛି ।
ସରକାରୀ ତଥ୍ୟ କହୁଛି ଯେ ରାଜ୍ୟରେ ଇନ୍ ଟ୍ରାଞ୍ଜିଟ୍ ବା ଅଧବାଟରେ ପ୍ରାଣ ହରାଉଥିବା ଶିଶୁଙ୍କ ହାର ୫-୬ ପ୍ରତିଶତ ରହିଛି । ୨୦୧୭/୧୮ରେ ୯୮୦, ୨୦୧୮/୧୯ରେ ୮୩୯, ୨୦୧୯/୨୦ରେ ୧୦୧୭, ୨୦୨୦/୨୧ରେ ୯୭୯ ଓ ୨୦୨୧/୨୨ରେ ୭୯୮ ଶିଶୁଙ୍କ ମୃତ୍ୟୁ ହୋଇଛି । ଶିଶୁକନ୍ୟାଙ୍କ ଅପେକ୍ଷା ଶିଶୁପୁତ୍ର ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି । ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ଭଦ୍ରକ ଆଦି ଜିଲ୍ଲାରେ ଏହାର ସ୍ଥିତି ଉଦ୍ବେଗଜନକ ରହିଛି । ସେହିପରି ରାଜ୍ୟରେ ପ୍ରାୟ ଶହେ ଜଣ ମା’ଙ୍କ ପ୍ରତିବର୍ଷ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହେଉଛି । ୨୦୨୦/୨୧ରେ ଏହା ୯୭ ଥିବା ବେଳେ ୨୦୨୧/୨୨ରେ ୯୩ ଜଣ ଏଥିରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ଜନନୀ ଏକ୍ସପ୍ରେସ୍ ଚଳାଚଳ କରୁଛି । ସବୁ ଜିଲ୍ଲାକୁ ମିଶାଇ ଏହାର ୫ ଶହଟି ଆମ୍ବୁଲାନ୍ସ ଚାଲୁଛି । ତଥାପି ଶିଶୁ ମୃତ୍ୟୁକୁ ରୋକିବାରେ ଏହା ସଫଳ ହୋଇପାରୁ ନାହିଁ । ଏହାସହ ରାଜ୍ୟ ସରକାର ମାତୃ ଓ ଶିଶୁ ମୃତ୍ୟୁହାରକୁ ରୋକିବା ଲାଗି ସୁରକ୍ଷିତ ମାତୃତ୍ବ ଆଶ୍ବାସନା ବା ସୁମନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏଥିପାଇଁ ଏସ୍ସିବି ମେଡିକାଲ କଲେଜର ଓ ଏଣ୍ଡ ଜି ବିଭାଗକୁ ଉତ୍କର୍ଷ କେନ୍ଦ୍ର ଭାବେ ନିକଟରେ ଘୋଷଣା କରାଯାଇଛି । ଏହା ମଧ୍ୟ ସେତେଟା ଫଳପ୍ରଦ ହୋଇପାରୁ ନାହିଁ ।
ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଆଇଏମ୍ଆରକୁ ହ୍ରାସ କରିବା ଦିଗରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି । ଓଡ଼ିଶାରେ ୫ବର୍ଷ ରୁ କମ୍ ପ୍ରାଣ ହରାଉଥିବା ଶିଶୁଙ୍କ ସଂଖ୍ୟା ୪୧ ରହିଛି । ତେବେ ଇନ୍ ଟ୍ରାଞ୍ଜିଟ୍ ବା ବାଟରେ ଶିଶୁ ପ୍ରାଣ ହରାଇବା ପାଇଁ ଅଧିକ ମାତ୍ରାରେ ପରିବାର ଲୋକ ହିଁ ଦାୟୀ । ଅନେକ ସମୟରେ ପିଲାର ଦେହ ଖରାପ ହେଲେ ସେମାନେ ଡାକ୍ତରଙ୍କ ଅପେକ୍ଷା ସ୍ଥାନୀୟ ଅଞ୍ଚଳରେ ଯେଉଁ ଚିକିତ୍ସାକୁ ଆପଣାଉଛନ୍ତି । ଡାକ୍ତରଙ୍କ ପରାମର୍ଶ ନ ନେଇ ପିଲାକୁ ଔଷଧ ଖାଇବାକୁ ଦେଉଛନ୍ତି । ଯାହା ଫଳରେ ଏଭଳି ସ୍ଥିତି ଉପୁଜୁଛି । ରାଜ୍ୟରେ ଶିଶୁ ମୃତ୍ୟୁର ଶତ ପ୍ରତିଶତ ରିପୋର୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । କାରଣ ପ୍ରତି ୧ ହଜାର ଜୀବନ୍ତ ମୃତ୍ୟୁରେ ଯେଉଁ ଶିଶୁଙ୍କ ମୃତ୍ୟୁ ହେଉଥିବା ଘୋଷଣା ହେଉଛି, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣରେ ଏହାର ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଏ ଦୃଷ୍ଟିରୁ ରାଜ୍ୟରେ ହୁଏତ ଶତ ପ୍ରତିଶତ ଶିଶୁ ମୃତ୍ୟୁର ରିପୋର୍ଟିଂ ହେଉ ନଥିବା ଆଶଙ୍କା କରାଯାଉଛି । ଶିଶୁ ମୃତ୍ୟୁର ରିପୋର୍ଟିଂ ପାଇଁ ଆଶା କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଇନ୍ ଟ୍ରାଞ୍ଜିଟ୍ ମୃତ୍ୟୁ ରୋକିବାକୁ ହେଲେ ଗୋଷ୍ଠୀସ୍ତରରେ ଏଥିପାଇଁ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି ।
ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ଗୋଷ୍ଠୀସ୍ତରରେ ଯଦି କୌଣସି ପିଲା ଅସୁସ୍ଥ ଅଛନ୍ତି ତା’ହାଲେ ତାହାକୁ ଆଗୁଆ ଚିହ୍ନଟ କରିବା ଲାଗି ଏଏନ୍ଏମ୍ ଓ ଆଶାକର୍ମୀଙ୍କୁ ତାଲିମ୍ ଦିଆଯାଇଛି । ଯଦି ପରିବାର ଲୋକ ସତର୍କ ହେବେ ତା’ହାଲେ ଶିଶୁଟି ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିପାରିବ । ଏହାସହ ଆମ୍ବୁଲାନ୍ସରେ ମଧ୍ୟ ଜୀବନ ରକ୍ଷାକାରୀ ସୁବିଧା ରହିଥିବା ସେ କହିଛନ୍ତି ।
