ଲଗାଣ ବର୍ଷାରେ ଉଛୁଳିଲା ବଡ଼ଦାଣ୍ଡ

ପୁରୀ : ବର୍ଷାରେ ପୁରୀ ସହର ଅବସ୍ଥା ଖରାପ। ବର୍ଷା ଓ ନାଳ ପାଣିରେ ଉବୁଟୁବୁ ହୋଇଛି ବଡ଼ଦାଣ୍ଡ । ବୁଡ଼ିଯାଇଛି ସହରତଳି ଅଞ୍ଚଳ । ଶନିବାର ପୂର୍ବାହ୍‌ଣରୁ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନିଧୁମ ଛେଚିଥିଲା । ଲଗାଣ ବର୍ଷା ଫଳରେ ସିଂହଦ୍ବାରରୁ ବଡ଼ ମେଡିକାଲ୍‌ ଜଳାର୍ଣ୍ଣବ ହୋଇଯାଇଥିଲା । ବଡ଼ଦାଣ୍ଡରେ ପାଣି ପ୍ରାୟ ୨ ଫୁଟ ପର୍ଯ୍ୟନ୍ତ ଜମି ରହିଥିଲା । ଫଳର ବଡ଼ଦାଣ୍ଡରେ ଯାତାୟାତ ଠପ୍‌ ହୋଇଇଥିଲା । ନାଳ ସଫା କରାଯାଇଥିଲେ ମଧ୍ୟ ବର୍ଷା ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରିନଥିଲା । ବର୍ଷା ଜଳ ନିଷ୍କାସନ ହେବାକୁ ବହୁ ସମୟ ଲାଗିଯାଇଥିଲା । ପୁରୀ ଜିଲ୍ଲାରେ ୮୪.୪ ମିଲିମିଟର ବର୍ଷା ହୋଇଥିବା ବ‌େଳେ କେବଳ ପୁରୀ ସହରରେ ୨୫ ମିଲିମିଟର ବର୍ଷା ହୋଇଥିଲା । ସାକ୍ଷୀଗୋପାଳରେ ସର୍ବାଧିକ ୩୨ ମିଲିମିଟର ବର୍ଷା ହୋଇଥିଲା । ସହରର ବିଭିନ୍ନ ଗଳିକନ୍ଦିରେ ବର୍ଷାର ପାଣ ନଈ ସୁଅ ଛୁଟିଥିଲା । ବହୁ ସମୟ ପର୍ଯ୍ୟନ୍ତ ବଡ଼ଦାଣ୍ଡ ଓ ବିଭିନ୍ନ ସାହି ନଦୀର ଭ୍ରମ ସୃଷ୍ଟି କରିଥିଲା ।

ବଡ଼ଦାଣ୍ଡରେ ଶନିବାର ଦିନ ପାଣି ଜମିବା ସହ ନାଳ ଉପରେ ପାଣିର ସୁଅ ଚାଲିବାରୁ ଘରେ ଓ ଦୋକାନରେ ପାଣି ପଶି ଯାଇଥିଲା । ତଳିଆ ଘରଗୁଡ଼ିକରେ ପାଣି ଜମି ରହିବାରୁ ଲୋକଙ୍କୁ ପାଣି ଉଝାଳିବାକୁ ପଡ଼ିଥିଲା । ନାଳ ଉପରେ ବର୍ଷା ପାଣି ଚାଲିବାରୁ ନାଳ ଓ ବର୍ଷା ପାଣି ଏକାକାର ହୋଇଯାଇଥିଲା । ଏଣେ ରଥଯାତ୍ରା ବେଳେ ବାଲି ବସ୍ତା ଦେଇ ରାସ୍ତାରୁ ନାଳକୁ ପଡ଼ିଥିବା ବାଟକୁ ବନ୍ଦ କରାଯାଇଥିଲେ ହେଁ ଏଯାଏ ଏହାକୁ ଖାଲି କରାଯାଇ ନାହିଁ । ତେଣୁ ବର୍ଷା ଜଳ ବଡ଼ଦାଣ୍ଡରୁ ନିଷ୍କାସନ ହେବାରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି । ଜାଲିର ବ୍ୟବସ୍ଥା ନକରି ଅସ୍ଥାୟୀ ଭାବେ ବାଲି ବସ୍ତା ରଖାଯାଇଥିବାରୁ ବର୍ଷା ଜଳ ନିଷ୍କାସନ ପାଇଁ ଘଣ୍ଟାଘଣ୍ଟା ସମୟ ଲାଗିଥିଲା । ଫଳରେ ଘଣ୍ଟା ଘଣ୍ଟା ଧରି ବଡ଼ଦାଣ୍‌ହ ସହ କଳିକନ୍ଦିରେ ଯାତାୟାତ ଠପ୍‌ ହୋଇଯାଇଲା। ଲୋକେ ଏକପ୍ରକାର ଜଳବନ୍ଦୀ ହୋଇ ରହିଯାଇଥିଲେ ।

ବର୍ଷା ଯୋଗୁ ସାହି, ଗଳିକନ୍ଦିରେ ସ୍ଥିତି ବିଗିଡ଼ିଯାଇଥିଲା । ବାଲିସାହିରେ ଆଜି ବର୍ଷା ଜଳ ନିଷ୍କାସନ ବେଳେ ଏକ ବାଇକ୍‌ ଭାସିଯାଉଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ପ୍ରବଳ ବର୍ଷାରେ ସହର ତଳି ଅଞ୍ଚଳ ବୁଡ଼ିଯିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ପୁରୀ ସହରର ଅଧିକାଂଶ ତଳି ଅଞ୍ଚଳରେ ବିଷମ ଅବସ୍ଥା ସହ ଯୁଝୁଛନ୍ତି ହଜାର ହଜାର ବାସିନ୍ଦା । ବିଶେଷକରି ୩୦ ନମ୍ବର ୱାର୍ଡର ଜଗନ୍ନାଥ ଲେନ୍‌, କମୁଟି ପାଟଣା ନିମ୍ନ ଭାଗ, ସେନାପତି ବଗିଚା, ଶୈଳଶ୍ରୀ ବିହାର, ଭାରତୀପୁର, ବାଲିଘାଟ, ପିଡବ୍ଲୁଡି ଅଫିସ୍‌ ପଛପାର୍ଶ୍ବ ଇନ୍ଦିରା ମାର୍ଗ କଲୋନି, ସିଦ୍ଧମହାବୀର ଅଞ୍ଚଳର ସାହିଗୁଡ଼ିକ ଜଳାର୍ଣ୍ଣବ ହୋଇଛି । ବର୍ଷା ଛାଡ଼ିଥିଲେ ବି ନାଳ ନଥିବାରୁ ଏ ସମସ୍ତ ଅଞ୍ଚଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପୌରାଞ୍ଚଳ ପରିସରରେ ଆସୁଥିଲେ ବି ଏ ଅଞ୍ଚଳ ପ୍ରତି ଯେମିତି ପୌରପାଳିକା ଆଖି ବୁଜି ଦେଇଛି । ପୁରୀରେ ୨୫ ମିଲିମିଟର ବର୍ଷା ହୋଇଥିଲେ ହେଁ ଏତିକିରେ ପୁରୀ ସହର ତଳି ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି । ଭାରତୀପୁର ମୌଜାରେ ରାସ୍ତାରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବାରୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ମୁଦୁଲି ଜାଗା ଓ ତତ୍‌ସଂଲଗ୍ନ ଜନବସତି ନୀଳଚକ୍ର ଲେନ୍‌ରେ ମଧ୍ୟ ବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି । ସେହିଭଳି ବାଲିଘାଟ ସମଙ୍ଗରା ରାସ୍ତାରେ ମଧ୍ୟ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *