ବାଲିଆପାଳ : ବାଲିଆପାଳ କମର୍ଦ୍ଦା ରାସ୍ତା ବାଲିଆପାଳ ସନ୍ତୋଷିମା ମନ୍ଦିର ନିକଟରେ ଆଜି ଦିନ ୧୨ଟା ସମୟରେ ବାଇକ ଓ ବୁଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଥିବା ଜଣାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଲେରୋ ଓ ଖଣ୍ଡଖଣ୍ଡ ହୋଇଯାଇ ଥିବା ଭଙ୍ଗା ବାଇକକୁ ଥାନାକୁ ଆଣିଛନ୍ତି । ମାତ୍ର କେହି ଏତଲା ଦେଇ ନଥିବା ବାଲିଆପାଳ ଆଇଆଇସି ସୁବ୍ରତ ବେହେରା କହିଛନ୍ତି ।

ଘଟଣାରୁ ପ୍ରକାଶ ଯେ ବାଲିଆପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁବଳ ମଲ୍ଲିକ ତାଙ୍କ ଘର ଭୋଗରାଇରୁ ଓଡ଼ି ୦୧ଜି ୧୦୨୪ ନମ୍ବର ଥିବା ଏକ ବଲେରୋ ଗାଡ଼ିରେ ବାଲିଆପାଳ ବ୍ଲକକୁ ଆସୁଥିବା ବେଳେ ବାଲିଆପାଳ ବ୍ଲକ ମଧୁପୁରା ଗ୍ରାମର ଅଭିମନ୍ୟୁ ଦାସଙ୍କ ପୁତ୍ର ଦୀପକ ଦାସ ଦ୍ରୁତ ବେଗରେ ଯାଇ ସନ୍ତୋଷିମା ମନ୍ଦିର ନିକଟରେ ବୁଲେରୋକୁ ଧକ୍କା ଦେଇ ଛିଟିକି ପଡିଥିଲା । ଦୀପକର ମୁଣ୍ଡ ଓ ହାତରେ ଗଭୀର ଭାବରେ ମାଡ଼ ହୋଇଥିବା ବେଳେ ବୁଲେରୋରେ ଥିବା ଜେଇ ଶ୍ରୀ ମଲ୍ଲିକଙ୍କ ପୁତ୍ରଙ୍କ ମୁଣ୍ଡରେ ମାଡ଼ ହୋଇ ଫାଟି ଯାଇଛି । ବୁଲେରୋର ବାମପଟ କାଚ ଓ ବଡି ଭାଙ୍ଗି ଚୁନା ହୋଇଯାଇଛି । ଉଭୟ ଗୁରୁତରଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇ ବାଲେଶ୍ୱରକୁ ପଠାଯାଇଥିବା ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ବେଣୁଧର ହୋଇ କହିଛନ୍ତି । ତେବେ ଅଧିକ ସମୟରେ ଏଠାରେ ଦୁର୍ଘଟଣା ଘଟୁଥିବାରୁ ପୋଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି ।
