ପ୍ରସୂତୀ ମହିଳାଙ୍କୁ ଚିକିତ୍ସା ନକରି ହସ୍ପିଟାଲରୁ ତଡିଦେଲେ ଡାକ୍ତର

ନୀଳଗିରି : ହସ୍ପିଟାଲକୁ ରୋଗୀମାନେ ସ୍ବାସ୍ଥ୍ୟ ସେବା ପାଇଁ ଆସିଥାନ୍ତି । ହେଲେ ଡାକ୍ତର ଯଦି ସ୍ବାସ୍ଥ୍ୟସେବା ଯୋଗାଇବା ବଦଳରେ ଗୁରୁତର ରୋଗୀଙ୍କୁ ହସ୍ପିଟାଲରୁ ବାହାର କରିଦିଅନ୍ତି ତାହେଲେ ଅଭିଯୋଗ କରାଯିବ କାହାକୁ ? ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଦେଖିବାକୁ ମିଳିଛି ।

ନୀଳଗିରି ବ୍ଲକ ଅଧିନ ବେଗୁନିଆ ଅଞ୍ଚଳର ରାମଚନ୍ଦ୍ର ପଲେଇଙ୍କ ସ୍ତ୍ରୀ ମିନତୀ ଗର୍ଭଯନ୍ତ୍ରଣା ପରେ ଘରୁ ଆମ୍ବୁଲାନ୍ସରେ ହସ୍ପିଟାଲ ଆସିଥିଲେ । ବାଟରେ ପ୍ରସବ ହୋଇଯିବା ପରେ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକତ୍ସା ପାଇଁ ସ୍ଥାନୀୟ ଆଶା ତାଙ୍କୁ ଭିତରକୁ ନେଉଥିବା ବେଳେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ । ଟେଷ୍ଟ ରିପୋର୍ଟ କାହିଁ ବୋଲି କହି ତାଙ୍କୁ ଜରୁରୀ ଚିକିତ୍ସା ନଯୋଗାଇବାରୁ ରୋଗୀ ଜଣଙ୍କ ପ୍ରବଳ ରକ୍ତସ୍ରାବ ପାଇଁ ଗୁରୁତର ହୋଇ ପଡ଼ିଥିଲେ ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ଉପସ୍ଥିତ ରୋଗୀ ସମ୍ପର୍କୀୟମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ । ପରେ ଡାକ୍ତର ଶୁଭ୍ରାଂଶୁ ଶେଖର ପରିଡା ଘଟଣାରେ ହସ୍ତକ୍ଷେପ କରିବା ପରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ତେବେ ଡାକ୍ତର ଅଶାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିବା ବେଳେ ଡାକ୍ତରଙ୍କ ଏତାଦୃଶ କାର୍ଯ୍ୟକୁ ନିନ୍ଦା କରାଯାଇଛି । ସେପଟେ ସମ୍ପୃକ୍ତ ଡାକ୍ତର ଜଣକ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Leave a Reply

Your email address will not be published. Required fields are marked *