ଔପଦା : ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ନହୋଇ ବର୍ଷ ବର୍ଷ ଧରି ବିଲ୍ ଆସିବା ଓ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଔପଦା ବ୍ଲକ ତଳକିଆ ପଞ୍ଚାୟତ ପ୍ରତାପପୁର ରାଜସ୍ୱ ଗ୍ରାମର ଡାଳିଆଶୁଣି ବସ୍ତିରେ ।
୨୦୧୯ ମସିହାରେ ଏକ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ବିଭାଗୀୟ ଅଧିକାରୀଙ୍କୁ କାମ ସରିଥିବା ଦର୍ଶାଇଥିଲେ ଠିକାଦାର । ଫଳରେ ପ୍ରକଳ୍ପ କମିଟିର ସଭାପତି ଶରତ ଚନ୍ଦ୍ର ଦାଶଙ୍କ ନାମରେ ୨୦୧୯ ମସିହାରୁ ମାସକୁ ୪୬୦ ଟଙ୍କା ହିସାବରେ ୨୦୨୨ ଜୁଲାଇ ପର୍ଯ୍ୟନ୍ତ ୪୬ ହଜାର ୮୯୪ ଟଙ୍କାର ମିଛ ବିଲ ଆସିଥିବା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି । ସେତେବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ଶ୍ରୀ ଦାଶ ଅଭିଯୋଗ କରିଥିଲେ ହେଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା । ଏହି ଘଟଣାର ଖବର ମଧ୍ୟ ସେତେବେଳେ ପ୍ରକାଶ ପାଇଥିଲା । ଗତ ୨୫ ତାରିଖରେ ଏ ସମ୍ପର୍କରେ ଶ୍ରୀ ଦାଶ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଓ ଆସନ୍ତାକାଲି ବାଲେଶ୍ବର ସ୍ଥିତ ଦୁର୍ନୀତି ନିବାରଣ ବିଭାଗରେ ମଧ୍ୟ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଏପରିକି ଏହି ବିଲ୍ ପ୍ରତ୍ୟାହାର କରିବା ସହ ପ୍ରକଳ୍ପ କାର୍ଯ୍ୟକ୍ଷମ ନହେଲେ ଶ୍ରୀ ଦାଶ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।
ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ସତୀଶ ଦାଶଙ୍କ ମତାମତ ନେବାରୁ ସେ କହିଛନ୍ତି, ଏହା ପ୍ରୋଭିଜିନାଲ ବିଲ୍ ହୋଇଥିବା ବେଳେ ରହିଥିବା ତ୍ରୁଟି ଦୃଷ୍ଟିଗୋଚରକୁ ଆସିବା ପରେ ତାକୁ ସଂଶୋଧନ କରାଯାଇଛି ।
