ଶିଳାନ୍ୟାସକୁ ୭ ବର୍ଷ ବିତିଲା ପରେ ମଧ୍ୟ ଅଧାରେ ଅଟକିଛି ଚାନ୍ଦବାଲି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ

ଚାନ୍ଦବାଲି : ବ୍ୟବସାୟିକ ପେଣ୍ଠସ୍ଥଳୀ ଚାନ୍ଦବାଲିରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ କାହାରି ଆଗ୍ରହ ନାହିଁ । ସ୍ଥାୟୀ ବସଷ୍ଟାଣ୍ଡ ନ ଥିବାରୁ ସହରକୁ ପ୍ରତିଦିନ ଆସୁଥିବା ଶହ ଶହ ଗାଡି ମୋଟର ଏଣେତେଣେ ପାର୍କିଂ କରୁଥିବାରୁ ଦିକୁ ଦିନ ସହରରେ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି । ଚାନ୍ଦବାଲିର ମୁଖ୍ୟରାସ୍ତାରେ ଗାଡ଼ିଗୁଡ଼ିକ ଛିଡା ହୋଇ ରହିବା ଯୋଗୁ  ସମସ୍ୟା ସୃଷ୍ଟି କରୁଛି । ବଜାର ମଧ୍ୟଭାଗରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାନ୍ଦବାଲିରେ ଏକ ସ୍ଥାୟୀ ବସଷ୍ଟାଣ୍ଡର ଆବଶ୍ୟକତା ଥିବାବେଳେ ଏଥିପ୍ରତି ପ୍ରଶାସନିକ ଅଧିକାରୀ କି ଜନପ୍ରତିନିଧି କେହି ଦୃଷ୍ଟି ଦେଉନାହାନ୍ତି ।

ଗତ ୨୦୧୫ ମସିହାରୁ ଚାନ୍ଦବାଲିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶୁଭ ଦିଆଯାଇ କାମ ଚାଲୁ ରହିଥିିବା ବେଳେ ଏହି କାମ କିନ୍ତୁ ମନ୍ଥର ଗତିରେ ଚାଲୁଥିବାରୁ ଏହା କେବେ ପୂର୍ଣ୍ଣାଙ୍ଗ ହେବ ତାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅସ୍ଥାୟୀ ଭା‌େବ ଯେଉଁ ପୁରୁଣା ବସଷ୍ଟାଣ୍ଡଟି ଥିଲା ତାର ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗି ଦିଆଯିବା ପରେ ଯାତ୍ରୀବାହୀ ବସଗୁଡିକ ରାସ୍ତା ଉପରେ ଛିଡା ହୋଇ ରହୁଛନ୍ତି । ଚାନ୍ଦବାଲିରୁ ପ୍ରତିଦିନ କୋଲକାତା, କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଓ ରାଉରକେଲା ଆଦି ଦୂର ସ୍ଥାନକୁ ଅନେକ ବସ ଯାତାୟତ କରୁଛି । ହେଲେ ସ୍ଥାୟୀ ବସଷ୍ଟାଣ୍ଡ ନ ଥିବାରୁ ବସଗୁଡିକ ଏଣେତେଣେ ରହୁଥିବାରୁ ଯାତ୍ରୀମାନେ ନାନା ହଇରାଣ ହେଉଛନ୍ତି । ନିର୍ମାଣ ହେଉଥିବା ବସଷ୍ଟାଣ୍ଡର ଭିତ୍ତିଭୂମି ପାଇଁ ୨ଟି ପର୍ଯ୍ୟାୟରେ ଅର୍ଥ ମଂଜୁର ହୋଇଥିଲେ ବି ନିର୍ମାଣରେ ସେତେଟା ଅଗ୍ରଗତି ହୋଇନାହିଁ । ଶିଳାନ୍ୟାସର ୭ ବର୍ଷ ପରେ ବି ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ । ଏହାର ନିର୍ମାଣ କାର୍ଯ୍ୟ ଶେ‌ଷ ହେବା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଭାଗିରଥୀ ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଲେ ଏହା ପୁରୁଣା କାମ । ବିଡିଓଙ୍କ ଠାରେ ଏହାର ସମସ୍ତ ତଥ୍ୟ ରହିଛି ।

Leave a Reply

Your email address will not be published. Required fields are marked *