କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଗୋନାସିକାରୁ ବାହାରିଥିବା ବୈତରଣୀ ନଦୀ କେନ୍ଦୁଝର ସମେତ ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଜିଲ୍ଲାର ଜୀବନରେଖା । ଓଡ଼ିଶାର ଗଙ୍ଗା କୁହାଯାଉଥିବା ବୈତରଣୀକୁ ଶୁଷ୍କ କରିବା ପାଇଁ ରଚାଯାଇଛି ବିରାଟ ଷଡ଼୍ଯନ୍ତ୍ର । ଏହାର ମୁକାବିଲା ପାଇଁ ପୁଣି ଏକ ଆନ୍ଦୋଳନ ମୁଣ୍ଡ ଟେକୁଛି । ବୈତରଣୀ ବଞ୍ଚାଅ ସମ୍ମିଳନୀ ନାମରେ ଆଜି ଏକାଠି ହେଉଛନ୍ତି ବିଭିନ୍ନ ଜିଲ୍ଲାର ଲୋକ ।
କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ସୂଚନା ଅନୁସାରେ, କେନ୍ଦୁଝରରେ ୮୧ଟି ଶିଳ୍ପସଂସ୍ଥା ଗଭୀର ନଳକୂପ ଖୋଳି ନଦୀରୁ ଜଳ ସଂଗ୍ରହଣ କରିବା ପାଇଁ ଅନୁମତି ପାଇଛନ୍ତି । ବୈତରଣୀ କୂଳରେ ଥିବା ଏସବୁ ଶିଳ୍ପସଂସ୍ଥାଗୁଡ଼ିକ ବ୍ୟାପକ ପରିମାଣରେ ଭୂତଳ ଜଳ ସଂଗ୍ରହ କରିବା ଦ୍ବାରା ବୈତରଣୀ ସିଧାସଳଖ ପ୍ରଭାବିତ ହେଉଛି । ଏହାଛଡ଼ା କିଛିବର୍ଷ ତଳେ ହାତଗଣତି କିଛି ଶିଳ୍ପସଂସ୍ଥା ସ୍ଲରି ପାଇପ୍ଲାଇନ୍ ଯୋଗେ ନିଜର ଲୁହାପଥର ଗୁଣ୍ଡ ପାରାଦୀପ ଏବଂ କଳିଙ୍ଗନଗର ଠାରେ ଥିବା କମ୍ପାନିକୁ ପଠାଉଥିଲେ । ଏଥିପାଇଁ ସେମାନେ ବୈତରଣୀ ପାଣିକୁ ବ୍ୟବହାର କରୁଥିଲେ । ଏବେ ୪ ରୁ ଊର୍ଦ୍ଧ୍ବ କମ୍ପାନି ନିଜର ସ୍ଲରି ପାଇପ୍ଲାଇନ୍ ନିର୍ମାଣ ଆରମ୍ଭ କଲେଣି । ସ୍ଲରି ପାଇପ୍ଲାଇନ୍ କାର୍ଯ୍ୟକ୍ଷମ ହେବା ଦ୍ବାରା ବୈତରଣୀର ବ୍ୟାପକ ଜଳକୁ ଶିଳ୍ପସଂସ୍ଥାମାନେ ଶୋଷି ନେବେ ।
ଷଡ଼୍ଯନ୍ତ୍ରର ସମ୍ମୁଖୀନ ହୋଇଥିବା ବୈତରଣୀର ସୁରକ୍ଷା ପାଇଁ ଆଜି ବୈତରଣୀ ବଞ୍ଚାଅ ସମ୍ମିଳନୀ କେନ୍ଦୁଝରରେ ଆୟୋଜିତ ହେବ । ଏହି ସମ୍ମିଳନୀ ପୂର୍ବରୁ କେନ୍ଦୁଝର ସଂସ୍କୃତି ଭବନରେ ହେବ ବୋଲି ଚୂଡ଼ାନ୍ତ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ସଂସ୍କୃତି ଭବନରେ କାର୍ଯ୍ୟକ୍ରମ ଆୟୋଜନ ଅନୁମତିକୁ ପ୍ରଶାସନ ରଦ୍ଦ କରିଦେବାରୁ ଏହା ରୋଟାରି ଭବନରେ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଭାରତୀୟ ପେନିନସୁଲାର ରିଭର ବେସିନ୍ କାଉନ୍ସିଲର ଆବାହକମଣ୍ଡଳୀ ସଦସ୍ୟ ଡ. ସ୍ନେହଲ ଡୁଣ୍ଡେଙ୍କ ଭଳି ବକ୍ତିତ୍ବ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ନଦୀଗୁଡ଼ିକର ସୁରକ୍ଷା ପାଇଁ ସରକାର ଏବଂ ସମାଜ ମିଳିତ ଆଗେଇ ନ ଆସିଲେ ଏସବୁ ମୃତନଦୀର ଆଖ୍ୟା ପାଇବେ । ଯଦି ଏପରି ହୁଏ ତେବେ ନଦୀ ଅବବାହିକାରେ ଥିବା ଜନଜୀବନ ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ ବୋଲି ସେ କହିଛନ୍ତି ।
