ରାଜ୍ୟ‌ରେ ଏମିତି ଚାଲିଛି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ତିନି ମାସ ହେଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁଳପତି ନାହାନ୍ତି । ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ୍‌ ବିବାଦ ଭିତରେ ଛନ୍ଦି ହୋଇ ଲମ୍ବା ଛୁଟିରେ ଯାଇଛନ୍ତି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) କୁଳପତି ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣି ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଲେଣି । ଉଚ୍ଚଶିକ୍ଷା ଭିତ୍ତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ମାନ ବଢ଼ାଇବାକୁ ତତ୍ପର । ମାତ୍ର କିଛି ମାସ ହେଲା ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟର ସ୍ଥିତି ଖରାପ ହେବାରେ ଲାଗିଛି । ବିଶ୍ବବିଦ୍ୟାଳୟ ଏକ ସାମୂହିକ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଯେଉଁଭଳି ଅବ୍ୟବସ୍ଥା ଦେଇ ଗତି କରୁଛି ତାହାକୁ ଦେଖିଲେ କେହି ବି କହିବନି ଯେ ସବୁ କିଛି ଠିକ୍‌ ଚାଲିଛି ବୋଲି । କେଉଁଠି କୁଳପତିଙ୍କ ମନମାନି ତ ଆଉ କେଉଁଠି ମୁରବି ଶୂନ୍ୟ । ପାଠପଢ଼ା ତ ଯେନତେନ ପ୍ରକାରେ ଚାଲିଛି । ମାତ୍ର ଗବେଷଣା ଓ ସମ୍ପ୍ରସାରଣ ଠପ୍‌ । ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନରେ ବର୍ଷ ବର୍ଷ ହେଲା ପିଏଚ୍‌ଡି ନାମଲେଖା ହୋଇପାରୁ ନାହିଁ ।

ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣା ଲାଗି ପ୍ରତିଷ୍ଠା ହୋଇଥିବା ଏକମାତ୍ର ଶିକ୍ଷାନୁଷ୍ଠାନ ଓୟୁଏଟିରେ ଏବେ ସ୍ଥାୟୀ କୁଳପତି ନାହାନ୍ତି । ଏପ୍ରିଲରେ କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରାଜ୍ୟ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି । ଶ୍ରୀ ଚୋପ୍ରା ଗୃହ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ବି ସମ୍ଭାଳୁଛନ୍ତି । ତେଣୁ ଓୟୁଏଟି ପାଇଁ ସେ କେତେ ସମୟ ଦେଉଥିବେ, ତାହା ସହଜରେ ଅନୁମେୟ । ତିନି ମାସ ମଧ୍ୟରେ ସେ କେତେ ଦିନ କାର୍ଯ୍ୟାଳୟ ଆସିଛନ୍ତି ତାହା କାହାକୁ ବି ଜଣାନାହିଁ । ଏବେ ସେ ୧୫ ଦିନିଆ ଛୁଟିରେ ଅଛନ୍ତି । ତାଙ୍କ ସ୍ଥାନରେ କୃଷି ବିଭାଗ ଦାୟିତ୍ବରେ ଥିବା ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଥିଭାତନନ୍‌ ଏବେ ଓୟୁଏଟିର ଭାରପ୍ରାପ୍ତ କୁଳପତି ଦାୟିତ୍ବ ମଧ୍ୟ ସମ୍ଭାଳୁଛନ୍ତି । ନୂତନ କୁଳପତି ଚୟନ ନେଇ ୬ ମାସ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ହାଇକୋର୍ଟରେ ମାମଲା ଥିବାରୁ ଚୟନ ପ୍ରକ୍ରିୟା ଆଗକୁ ବଢ଼ିପାରୁ ନାହିଁ ।

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ୍‌ ଦାୟିତ୍ବ ନେବା ଦିନ ଠାରୁ ହିଁ ବିବାଦରେ ରହିଥିଲେ । ବିନା ଅନୁମତିରେ କ୍ୟାମ୍ପସ ଭିତରେ ଗଛ କାଟିବାକୁ ନେଇ ସେ ପ୍ରଥମେ ବିବାଦ ଘେରକୁ ଆସିଥିଲେ । ପରବର୍ତୀ ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କୁ ଗାଳିଗୁଲଜ ଏବଂ ସେ ଆତ୍ମହୁତି କରିବା ଘଟଣା ପାଇଁ ପ୍ରଫେସର ମିତ୍ତଲ୍‌ ହାଇକୋର୍ଟଙ୍କୁ ଟଣା ହୋଇଥିଲେ । ଏଲ୍‌ ଆର ଲ’ କଲେଜର ୬୨ ଲକ୍ଷ ଟଙ୍କାକୁ ବେଆଇନ ଭାବେ ବିଶ୍ବବିଦ୍ୟାଳୟ ଖାତାକୁ ଆଣି ଚର୍ଚ୍ଚାର ପରିସରକୁ ଆସିଥିଲେ । ବିଶ୍ବବିଦ୍ୟାଳୟର ୨୯ ଲକ୍ଷ ଟଙ୍କାର ହେର୍‌ଫେର୍‌ କରି ଧରାପଡ଼ିବା ତାଙ୍କୁ ମହଙ୍ଗା ପଡ଼ିଛି। ଟଙ୍କ‌ା ଫେରାଇବା ସହ ଏବେ ଛୁଟିରେ ଯାଇଛନ୍ତି ।

ବିପିୟୁଟି ନିଯୁକ୍ତିରେ ଅନିୟମିତତା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରି ଭୁବନେଶ୍ବରରେ ଆନ୍ଦୋଳନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି ଯେ ବର୍ତମାନର କୁଳପତି ପ୍ରଫେସର ତ୍ରିପାଠୀ ପୂର୍ବରୁ ଭିସୁଟ୍‌ ବୁର୍ଲାର କୁଳପତି ରହିଥିଲେ । ତେଣୁ ସେଠାରେ ଥିବା ତାଙ୍କ ଅନୁଗତମାନଙ୍କୁ ବିପିୟୁଟିରେ ନିଯୁକ୍ତି ଦେଉଛନ୍ତି । ଏବେ ବିପିୟୁଟିର ତିନିଟି ପ୍ରମୁଖ ପଦବିରେ ଭିସୁଟ୍‌ରେ ତାଙ୍କ ଅନୁଗତ ଥିବା ୩ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ମସୁଧା କରୁଛନ୍ତି । ବିପିୟୁଟି ଅଧୀନ କେନ୍ଦୁଝର ଓ କଳାହାଣ୍ଡି ଜିଇସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨୦୧୯ ରୁ ସରିଯାଇଥିଲେ ମଧ୍ୟ ସେମାନଙ୍କୁ ଦୁଇ ବର୍ଷ ବୃଦ୍ଧି କରାଯାଇଛି । ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା, ପ୍ଲେସମେଣ୍ଟରେ ବି ଦୁର୍ନୀତି ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଅତ୍ୟାଧୁନିକ ଲ୍ୟାବ୍‌, ଲାଇବ୍ରେରି ନାହିଁ । କିନ୍ତୁ କୁଳପତି ନିଜ ବାସଭବନ ସୌନ୍ଦର୍ଯ୍ୟୀକରଣ କରୁଛନ୍ତି ।

ଅପର ପକ୍ଷରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମା‌ସେରୁ ଅଧିକ ସମୟ ହେଲା ଛୁଟିରେ ଅଛନ୍ତି । ନିଜର ବ୍ୟକ୍ତିଗତ କାର୍ଯ୍ୟଲାଗି ଲମ୍ବା ଛୁଟିରେ ଅଛନ୍ତି । ଅଗଷ୍ଟ ମାସରେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଉତ୍କଳ ବିଶ୍ବବିଦ୍ୟାଳୟରେ ୫୦୦ କୋଟି ଟଙ୍କା ପଡ଼ି ରହିଥିବା ବେଳେ କର୍ତୃପକ୍ଷ ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାରଙ୍କୁ ଟଙ୍କା ମାଗିବା ଘଟଣାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗିରହିଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ଚଣ୍ଡୀଖୋଲରେ ବିଶ୍ବବିଦ୍ୟାଳୟର ରୁରାଲ୍‌ କ୍ୟାମ୍ପସର ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗିରହିଛି । ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ନୂତନ କୁଳପତି ଚୟନ ଲାଗି ଚାଲିଥିବା ପ୍ରକ୍ରିୟା ଏବେ ଅଧାରେ ଅଟକିଛି ।

Leave a Reply

Your email address will not be published. Required fields are marked *