ଭୁଟଭୁଟିରେ ବୁହାହେଲା ଶବ, ସରକାରୀ ଆମ୍ବୁଲାନ୍ସ ଯୋଜନା ତେବେ କାହା ପାଇଁ ?

ବାଲିଆପାଳ : ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାନ କରିଥିବା କହି ଡିନ୍ଡିମ ପିଟୁଥିବା ବେଳେ, ଏହାର ନଗ୍ନ ଉଦାହରଣ ଆଜି ଦେଖିବାକୁ ମିଳିଛି । ମୃତ୍ୟୁ ପରେ ମଧ୍ୟ ଶବକୁ ସମ୍ମାନ ମିଳିନାହିଁ ଓ ଶବ ବ୍ୟବଚ୍ଛେଦ ପାଇଁ ଶବକୁ ଦଶ କିଲୋମିଟର ପର୍ଯ୍ୟନ୍ତ ଭୁଟଭୁଟି ରିକ୍ସାରେ ନିଆଯାଇଛି । ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ବାଲେଶ୍ଵର ଜିଲ୍ଲାର ବିକଶିତ ବାଲିଆପାଳ ବ୍ଲକର ଘଟଣା ।

ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବୋଳଂ ଗ୍ରାମର ଗୁଣନିଧି ମଲ୍ଲିକ (୬୫) ଆଜି ଘରେ ମନିସା ପୂଜା ପାଇଁ ମାନସିକ ଥିବାବେଳେ ଯେହେତୁ ଗରିବ ପରିବାର ମାନସିକ ପୂରଣ ପାଇଁ ବଳରାମପୁର ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଚାଉଳ ତଥା ଆର୍ଥିକ ସହାୟତା ମାଗୁଥିଲେ । ତେବେ ବେତନା ଗ୍ରାମରେ ମାଗି ଫେରୁଥିବାବେଳେ ମଣ୍ଡ ବୁଲିବାରୁ ରାସ୍ତା କଡ଼ରେ ହଠାତ୍ ପଡିଯାଇଥିଲେ । ତେବେ ଗ୍ରାମବାସୀ ତାଙ୍କୁ ପାଣି ପିଆଇଥିବା ବେଳେ କିଛି ସମୟ ପରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଏନେଇ ବାଲିଆପାଳ ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ସେଠାରେ ନପହଁଚି ଜଣେ ଚୌକିଦାରଙ୍କୁ ପଠାଇଥିଲେ । ତେବେ ଶବକୁ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ନମିଳିବାରୁ ପରିବାର ଲୋକେ ବାଧ୍ୟହୋଇ ଭୁଟଭୁଟି ରିକ୍ସାରେ ବାଲିଆପାଳ ଇଡ୍କୋ ହସ୍ପିଟାଲ ନେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠେ ସରକାରୀ ଆମ୍ବୁଲାନ୍ସ ଯୋଜନା ତେବେ କାହା ପାଇଁ ? ଶବକୁ ଶେଷରେ ଆମ୍ବୁଲାନ୍ସ ନମିଳିବାରୁ ଭୁଟଭୁଟିରେ ନେବାକୁ ପଡିଲା । ତେବେ ରାଜ୍ୟର ଉପାନ୍ତ ଜିଲ୍ଲାର ଅବସ୍ଥା କେମିତି ଏଇଥିରୁ ଜଳଜଳ ଦିଶୁଛି ।

Leave a Reply

Your email address will not be published. Required fields are marked *