ଆଧାରକାର୍ଡ ନ ଥିବାରୁ ପାଠପଢ଼ା ବନ୍ଦ : ଭିକ୍ଷା କଲେ ଭୋକ ମେ‌ଣ୍ଟେ

ଦଶପଲ୍ଲା : ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ନଥିବାରୁ କୈାଣସି ସରକାରୀ ସହାୟତା ମିଳିପାରୁନି । ସ୍ବାମୀଙ୍କ ମୃତ୍ୟୁ ପରେ ୫ଟି ଛୁଆଙ୍କ ପେଟକୁ ଆହାର ମୁଠେ ଯୋଗାଇ ଦେବାକୁ ସକାଳୁ ଉଠି ଗାଁ ଗାଁ ବୁଲି ଭିକ୍ଷା ମାଗିବାକୁ ପଡ଼ୁଛି । ପାଠ ପଢ଼ିବା ପାଇଁ ପିଲାଙ୍କ ମନରେ ଆଗ୍ରହ ରହିଥିଲେ ମଧ୍ୟ ଆଧାରକାର୍ଡ ନଥିବା ହେତୁ ବିଦ୍ୟାଳୟରେ ପାଠପଢ଼ି ପାରୁନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଖମାରସାହି ପଞ୍ଚାୟତର ସୁବଳୟାସ୍ଥିତ ଟୁବୁରୀ ପାହାଡ଼ରେ ଅବସ୍ଥିତ ମୁଣ୍ତପୋତା କେଳା ସମୁଦାୟର ଶାନ୍ତି ପ୍ରଧାନଙ୍କ କ୍ଷେତ୍ରରେ

ଶାନ୍ତିଙ୍କ କହିବା ଅନୁଯାୟୀ, ସ୍ବାମୀ କୈଳାସ ବିଭିନ୍ନ ସ୍ଥାନକୁ ଯାଇ ନିଜର କଳାକୌଶଳ ପ୍ରଦର୍ଶନ କରି ପରିବାର ଚଳାଇ ଆସନ୍ତି । ଏହା ମଧ୍ୟରେ ୨ ବର୍ଷ ତଳେ ବ୍ରହ୍ମପୁରରେ ରହୁଥିବାବେଳେ କିଛି ବ୍ୟକ୍ତି ଡାକିନେଇ ତଣ୍ଟିକାଟି ହତ୍ୟା କରିଥିଲେ । ଏହା ପରେ ୩ଟି ପୁଅ ଓ ୨ଟି ଝିଅଙ୍କୁ ଧରି ସୁବଳୟା ଚାଲି ଆସିଥିଲେ । ପାହାଡ଼ ଉପରେ ଝାଟିମାଟିରେ ଏକ କୁଡ଼ିଆ କରି ଆଶ୍ରୟ ନେଉଛନ୍ତି । ଏହି ପାହାଡ଼ରେ ରହୁଥିବା ଅନ୍ୟ ପରିବାରର ଆଧାରକାର୍ଡ ରହିଥିବା ବେଳେ ସେମାନଙ୍କୁ ରାସନ ସାମଗ୍ରୀ ମିଳୁଛି । ମାତ୍ର ତାଙ୍କର ଆଧାର କାର୍ଡ କିମ୍ବା ଭୋଟ୍‌ ପରିଚୟପତ୍ର ନଥିବା ହେତୁ କୈାଣସି ସରକାରୀ ସହାୟତା ମିଳିପାରୁନି । ଏ ସମ୍ପର୍କରେ ବହୁବାର ପଞ୍ଚାୟତର ସରପଞ୍ଚଙ୍କୁ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି । ପିଲାଙ୍କ ପାଠ ପଢିବା ପାଇଁ ଆଗ୍ରହ ରହିଥିଲେ ମଧ୍ୟ ଆଧାରକାର୍ଡ ନଥିବା ହେତୁ ବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ଶିକ୍ଷକ ମନା କରିଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ଏହା ମଧ୍ୟରେ ସକାଳୁ ଉଠି ଗାଁଗଣ୍ତା ବୁଲି ଚାଉଳ ମୁଠେ ସଂଗ୍ରହ କରିବା ସହ ପିଲାଙ୍କ ପାଇଁ ମଗାଯଚା କରି ପୋଷାକପତ୍ର ଖଣ୍ଡେ ନେଲେ ସେଥିରେ ଦେହ ଢାଙ୍କିବାକୁ ପଡୁଛି । ବଡକଥା ହେଉଛି, ରାଜ୍ୟରେ ସରକାର ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଆଜିର ସମାଜରେ ଏଭଳି ପରିଚୟ ବିହୀନ ସମୁଦାୟର ଏକ ପରିବାର ଦାରିଦ୍ର୍ୟ ମଧ୍ୟରେ ଜୀବନ ଅତିବାହିତ କରିବା ସରକାରୀ ବିଧିବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ଜରୁରୀ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *