ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ୭ ବର୍ଷର କୁନି ପିଲା ଦୁଇଟି ଯାକ ହାତ ହରାଇଲା

ଲକ୍ଷ୍ମୀପୁର : ବିଦ୍ୟୁତ ବିଭାଗର ଚରମ ଅବହେଳା । ହାତ ହରାଇଲା ମୁନା । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ କଣ୍ଟାବାହାଳ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମରେ ଘଟିଛି ଏଭଳି ଦୁର୍ଭାଗ୍ୟଜନକ ଘଟଣା । ବିଦ୍ୟୁତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଗୁଣ ପାଇଁ ୭ ବର୍ଷର ପିଲା ମୁନା ତାର ଦୁଇଟି ଯାକ ହାତ ହରାଇଛି । ଆଜକୁ ୨୮ ଦିନ ହେବ ଘଟଣା ଘଟିଥିଲେ ମଧ୍ୟ ଏଭଳି ଦୁଃଖ ସମୟରେ ପ୍ରଶାସନ ଓ ସରକାର ନିଦାବିଷ୍ଣୁ ସାଜିଛନ୍ତି । ବିଦ୍ୟୁତ୍ ବିଭାଗ କୌଣସି ସହାୟତା କରିବା ତ ଦୂରର କଥା ପାଖରେ ପହଞ୍ଚି ପାରି ନଥିବା ବେଳେ ଲୋକ ଲଗାଇ ବିଦ୍ୟୁତ ତାରକୁ ହଟାଇ କାମ ସାରି ଦେଇଛି ।

ଗତ ଜୁଲାଇ ୧ ତାରିଖ ରଥଯାତ୍ରା ଦିନ ମୁନାକୁ ଧରି ପରିବାର ଲୋକ ସମ୍ପର୍କୀୟ ପବନୀ ବେହେରା ଘରକୁ ଯାଇଥିଲେ । ଅପରାହ୍ନ ୩ଟା ସମୟରେ ତାଙ୍କ ଘର ଛାତ ଉପରକୁ ମୁନା ଖେଳିବାକୁ ଚଢି ଥିଲା । ଛାତ ନିକଟ ଦେଇ ହେଭି କରେଣ୍ଟ ଥିବା ବିଦ୍ୟୁତ ତାର ଟଣା ହୋଇଥିଲା । ଖେଳିବା ସମୟରେ ମୁନା ସେହି ତାରକୁ ଧରି ପକେଇଥିଲା । ବିଦ୍ୟୁତ ଅଘାତ ପାଇ ହାତ ଦୁଇଟି ଜଳି ଯାଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକ ଛତାବର ପରେ ଦେବଗଡ, ବୁର୍ଲା, କଟକ ଓ ପରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଜାରି କରିଥିଲେ ।

୧୦ ଦିନରୁ ଅଧିକ ଦିନ ଚିକିତ୍ସା ଜାରି ପରେ ହାତ ଭଲ ହୋଇ ନଥିଲା । ଗତ ୨୦ ତାରିଖ ଦିନ ହାତ ଦୁଇଟି କଟାଯାଇଥିଲା । ପୁଅର ଏଭଳି ଅବସ୍ଥା ଦେଖି ବାପା ଓ ମା’ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି । ୨୪ ଦିନ ହନ୍ତସନ୍ତ ହୋଇ ବହୁ ଖର୍ଚ୍ଚାନ୍ତ ହୋଇ ସର୍ବସାନ୍ତ ହୋଇ ପଡିଛନ୍ତି ପରିବାର । ପୁଅର ଭବିଷ୍ୟତ କ’ଣ ହେବ ସେ ନେଇ ପୁରା ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଯଥା ଶୀଘ୍ର ରାଜ୍ୟ ସରକାର ଏ ଉପରେ ନଜର ପକାଇ ମୁନାକୁ ଆର୍ଥିକ ଅବସ୍ଥା ସହ କୁତ୍ରିମ ହାତ ଲଗାଇବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ପରିବାର । ପୁଅକୁ କିଭଳି ଆର୍ଥିକ ସହାୟତା ମିଳିପାରିବ ଏନେଇ ଦେବଗଡ ବିଦ୍ୟୁତ କାର୍ଯ୍ୟାଳୟ ଓ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *