ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟରେ ବୈଠକ । ନାଇଜର ଭୁବନେଶ୍ୱରରେ ୬୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହସ୍ପିଟାଲ ନିର୍ମାଣରେ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ପକ୍ଷରୁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅତିରିକ୍ତ ୧୦ ଏକର ପରିମିତ ଜମି ଯୋଗାଇବ ।
ଆଗାମୀ ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କ୍ୟାମ୍ପସରେ ମେଡ଼ିକାଲ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ମଧ୍ୟ ଖୋଲାଯିବ । ନୂଆଦିଲ୍ଲୀରେ ବସିଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଟାଟା ମେମୋରିଆଲ ସେଣ୍ଟରର ଅଧିକାରୀ, ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ ଆଟୋମିକ ଏନର୍ଜି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
