ନବରଙ୍ଗପୁର : ନବରଙ୍ଗପୁର ଜିଲା ସଦର ମହକୁମା ସହର ହୋଇଥିଲେ ହେଁ ଅଳିଆ ଆବର୍ଜନାରେ ଭରି ରହୁଥିବାରୁ ପରିମଳ ବ୍ୟବସ୍ଥାରେ ସୁଧାର ଆସୁନି । ଏହି ସହରରେ ୧୭ଟି ୱାର୍ଡ ରହିଛି । ଏହି ୱାର୍ଡର ସମସ୍ତ ସାହି ଓ ଗଳିରେ ନିୟମିତ ଭାବେ ପୈାରପାଳିକା ପକ୍ଷରୁ ସଫେଇ କାମ କରାଯାଉନଥିବାରୁ ପରିବେଶ ଅଧିକ ଖରାପ ହେଉଛି । ସହରବାସୀଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହର ପରିମଳ ବିପର୍ଯ୍ୟସ୍ଥ ନେଇ ବାରମ୍ବାର ଖବର ପ୍ରକାଶିତ ହୋଇଆସୁଛି । ତେବେ ‘ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପଡା କାଠ’ ନ୍ୟାୟରେ ଏହାର କୈାଣସି ସୁଫଳ ମିଳିପାରୁନି । ଫଳରେ ବିଭିନ୍ନ ସାହି ଓ ଗଳିରେ କୁଢକୁଢ ମଇଳା, ଆବର୍ଜନା ପଡିରହୁଛି । ଏହି ପୈାରପାଳିକାରେ ଦୀର୍ଘ ବର୍ଷ ଧରି କଟକରେ ଗୋଟିଏ କମ୍ପାନୀ ମଞ୍ଜୁଷା ସର୍ଭିସ ଦ୍ୱାରା ସହରର ପରିମଳ ପାଇଁ ଟେଣ୍ଡର ନେଇ ସଫେଇ କାମ କରାଯାଉଛି । ଏଥିପାଇଁ ମାସକୁ ପ୍ରାୟ ୧୭ ଲକ୍ଷ ଟଙ୍କାନେଉଥିବା ଅଭିଯୋଗ ହୋଇଛି ।
ପ୍ରତି ୱାର୍ଡରୁ ଏକ ଲକ୍ଷ ଟଙ୍କା ନେଉଥିବା ଜଣାପଡିଛି । ତେବେ ଚୁକ୍ତିନାମା ପ୍ରକାରେ ସେ ୯୦ଟି ସଫେଇ ଶ୍ରମିକ ଓ ୪ଟି ଟ୍ରାକ୍ଟର ଲଗାଇବା ସହିତ ପ୍ରତି ୱାର୍ଡରେ ୪ ଜଣ ଶ୍ରମିକ, ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷଙ୍କୁ ସଫେଇ ପାଇଁ ନିୟୋଜିତ କରିବା କଥା । କିନ୍ତୁ ଏହା କରାଯାଉନଥିବାବେଳେ କେବଳ ପୈାରପାଳିକାର ଟ୍ରାକ୍ଟର ସହିତ ନିୟମିତ ସଫେଇ କର୍ମଚାରୀ ୧୬ ଜଣଙ୍କୁ ନେଇ ସଫେଇ କରାଯାଉଥିବାନେଇ ପୂର୍ବତନ କାଉନସିଲର ଉତ୍ତମ ତ୍ରିପାଠୀ ଗୁରୁତର ଅଭିଯୋଗ ହୋଇଛି । ଏହି ମଞ୍ଜୁଷା ସର୍ଭିସ ଦୀର୍ଘ ୨୦ ବର୍ଷ ହେଲା ଏଠାରେ ସଫେଇ କାମ କରୁଥିବା କୁହାଯାଉଛି । ତେବେ ନିୟମିତ ଭାବେ ସଠିକ ସଫେଇ କାମ କରୁନଥିବାରୁ ସହରରେ ମଳମୁତ୍ର, ଅଳିଆ, ଆବର୍ଜନା ଭରି ରହୁଥିବାରୁ ପରିମଳ ପ୍ରଦୂଷିତ ହେଉଥିବା ଜଣାଯାଇଛି ।
ସହରର ଅଧିକାଂଶ ସାହି, ବସ୍ତି, ବସଷ୍ଟାଣ୍ଡ, ଦୈନିକ ବଜାର ମାଛମାଂସ ବଜାରରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡି ଯାଇଛି । ଫଳରେ ଏହି ଅଞ୍ଚଳଗୁଡିକ ପଚାଗନ୍ଧ, ଦୁର୍ଗନ୍ଧରେ ନାକ ଫାଟିପଡୁଛି । ଏବେ ବର୍ଷାଦିନ କାରଣରୁ ଏହା ଅଧିକ ସଂଗୀନ ହୋଇ ପଡିଛି । କେତେକ ସାହିର ଅଧିକାଂଶ ନାଳ ଓ ରାସ୍ତା ଖରାପ ହୋଇପଡିଛି । ଫଳରେ ନାଳର ଆବର୍ଜନା ପାଣି ନାଳଉପରେ ପ୍ରବାହିତହୋଇ ସାହିର ରାସ୍ତା ଉପରେ ବୋହୁଛି । ଏହି ପାଣି ଉପରେ ଲୋକମାନେ ଯାତାୟାତ କରୁଥିବାବେଳେ, ଏହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ତେବେ ଜିଲା ସଦର ମହକୁମା ସହରରେ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ରହୁଥିବାବେଳେ ନବରଙ୍ଗପୁର ବିଧାୟକ ପୈାରାଧ୍ୟକ୍ଷ ଓ ପୈାର ଉପାଧ୍ୟକ୍ଷା ମଧ୍ୟ ରହୁଛନ୍ତି । ଏହା ସହିତ ୧୭ଟି ୱାର୍ଡରେ ୧୭ ଜଣ କାଉନସିଲର ଅଛନ୍ତି ।
ତେବେ ଏଭଳି ପରିସ୍ଥିତିରେ ମଧ୍ୟ ପରିମଳରେ ସୁଧାର ନଆସିବା ସାଧାରଣରେ ଚିନ୍ତାର ବିଷୟ ହୋଇଛି । ପୈାରାଞ୍ଚଳରେ ଦୀର୍ଘ ମାସ ହେଲା ପୈାର ନିର୍ବାହୀ ଅଧିକାରୀ ନଥିବାବେଳେ ଉପଜିଲାପାଳ ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି । ସ୍ଥାୟୀ ପୈାର ନିର୍ବାହୀ ଅଧିକାରୀ ନଥିବା ଫଳରେ ସହର ବିପର୍ଯ୍ୟୟ ପରିମଳ ସମସ୍ୟା ବୁଝିବାକୁ କେହି ନାହାନ୍ତି । ତେବେ ଏହି ସମସ୍ୟା ସଂପର୍କରେ ଭାରପ୍ରାପ୍ତ ପୈାର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରୁ ପରିମଳ ସମସ୍ୟା ସଂପର୍କରେ ଜିଲାପାଳ ଅବଗତ ଥିବାବେଳେ ତାଙ୍କୁ ଡାକି ଆଲୋଚନା କରିଥିବାବେଳେ କଡା ପଦକ୍ଷେପ ସ୍ୱରୂପ ମଞ୍ଜୁଷା ସର୍ଭିସର ଏଗ୍ରିମେଣ୍ଟ ବାତିଲ ପାଇଁ ପଦକ୍ଷେପ ନିଆଯାଉଥିବା କହିଥିଲେ । ଏହା ପରେ ନୂତନ ଟେଣ୍ଡର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏହା ପରେ ପରିସ୍ଥିତିରେ ସୁଧାର ଆସିବ ବୋଲି ସେ ଆଶାପ୍ରକାଶ କରିଥିଲେ । ତେବେ ଏହା କେବେ କାର୍ଯ୍ୟକାରୀ କରାଯିବ ଓ ସହରବାସୀ କେବେ ଅଳିଆ ଆବର୍ଜନାରୁ ମୁକ୍ତି ପାଇବେ ତାହା ଦେଖିବା କଥା ।
