ରାସ୍ତା କାମ ସରିବାର ମାସ କେଇଟାବି ଗଲାନି, ବର୍ଷାରେ ରାସ୍ତା ଫାଟି ଆଁ କରିଛି

ଫୁଲବାଣୀ : ଯନ୍ତ୍ରୀ ଓ ଠିକାଦାର ମିଳିମିଶି ନିମ୍ନମାନର କାମ କରି ପଇସା ସବୁ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ରାସ୍ତା କାମ ସରିବାର ମାସ କେଇଟାବି ଗଲାନି । ଚଳିତ ଲଗାଣ ବର୍ଷାରେ ରାସ୍ତା ଫାଟି ଆଁ କରିବା ସହ ଗାତ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଅଭିଯୋଗ ହେବାପରେ ଯନ୍ତ୍ରୀଙ୍କ ମୋବାଇଲ ସୁଇଚ ଅଫ ଦେଖାଉଥିବା ବେଳେ ଠିକାଦାର କହୁଛନ୍ତି ବର୍ଷା ପୂର୍ବରୁ କାମ ସାରିବା ଲାଗି ବିଭାଗ ତରବର କରିବାରୁ ରାସ୍ତା କାମରେ କିଛିଟା ତ୍ରୁଟି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଅଭିଯୋଗ ଆସିଛି କୋଟଗଡ଼ ଅଂଚଳରୁ ।

ସୂଚନା ଯୋଗ୍ୟ ଯେ, କୋଟଗଡ଼ ରାଜ୍ୟ ରାଜପଥ ରଡ଼ିଗୁମାରୂ ସିନାଗୁଡ଼ା ଯାଏ ଏକ କୋଟି ଅଶି ଲକ୍ଷ ବ୍ୟୟ ଅଟକଳରେ ରାସ୍ତା କାର୍ଯ୍ୟ ବାଲିଗୁଡା ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କରାଯାଇଥିଲା । ସମ୍ପୃକ୍ତ ଅଂଚଳ ଏକ ମାଓ ଇଲାକା ତଥା ଦୁର୍ଗମ ଅଂଚଳ ଭାବେ ପରିଗଣିତ ହେଉଥିବାରୁ ବଡ ବଡ ବାବୁମାନଙ୍କ ପାଦ ପଡ଼େନି ଏଠାରେ ।

ଫଳରେ ଏହାର ସୁଯୋଗରେ ଯନ୍ତ୍ରୀ ଓ ଠିକାଦାର ମିଶି ଉପର ଠାଉରିଆ ଭାବେ କିଛି କରି ସିଂହ ଭାଗ ଅର୍ଥ ଚଳୁ କରିବା ପାଈଁ କୁଆଡେ ଚଳୁ କରିଥିବା ନେଇ ଗ୍ରାମର ବିନୋଦ ଘଡେଇ, ଲେଙ୍ଗରା ପ୍ରଧାନ, ରମେଶ ନାୟକ, ପ୍ରମୁଖ ଅଭିଯୋଗ କରିଛନ୍ତି । ହେଲେ ଗ୍ରାମଵାସୀ ଲଗାତାର ନିର୍ବାହୀ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ କାଳେ ତଦନ୍ତ ହେବ ଆଉ ସବୁ ଗୁମର ଖୋଲିଯିବ ଭାବି ଯନ୍ତ୍ରୀ ଅଭିଯୋଗକୁ ରଫାଦଫା କରିବାଲାଗି ଉଦ୍ୟମ କରୁଥିବା ନେଇ ଆଲୋଚନା ହେଉଛି ।

ରାସ୍ତାକାମ ଏପରି ହୋଇଛି ଯେ ଗୋଡ଼ ଘସାରିଲେ ଗୁଡ଼ି ଉଠିଯାଉଛି, ହାତରେ ରାମ୍ପିଲେ ବି ଉଠିଯାଉଛି ରାସ୍ତାରୁ ଗୁଡ଼ି । କୋଟଗଡ଼ରେ ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀପ୍ରାୟତଃ ରହୁନାହାନ୍ତି, ବେଳେ ବେଳେ ଆସୁଛନ୍ତି । ସେଥିପାଇଁ ଠିକାଦାରମାନଙ୍କ ମନମାନି ଚାଲିଛି । ଦୁର୍ନିତୀ ନିବାରଣ ବିଭାଗ ମଧ୍ୟରାସ୍ତା କାମର ଭିତିରିଆ ତଦନ୍ତ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହାଯାଉଛି ।

ସେହିପରି ଦାରିଂବାଡ଼ି ବ୍ଲକ ବ୍ରାହ୍ମଣୀ ଗାଁ ନିକଟ କୁମ୍ଭାରୀଗାଁ ପଂଚାୟତ ର ସାରଗୁଡି-କାତିଙ୍ଗିଆ ରାସ୍ତା କାମରେ ବି ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି । ତେଵେ ବାଲିଗୁଡା ଆରଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ କୁଆଡେ ଅଧିକା ପିସି ଦାବି କରିବା ଯୋଗୁ କାମ ସବୁ ନିମ୍ନ ମାନର ହେଉଥିବା ନେଇ ମାଳମାଳ ଅଭିଯୋଗ ପହଂଚିବାରେ ଲାଗିଛି । ଏଥିପ୍ରତି ବିଭାଗୀୟ ମନ୍ତ୍ରୀ, ସଚିବ, ଭିଜିଲାନ୍ସ କର୍ତ୍ତୃପକ୍ଷ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ l

Leave a Reply

Your email address will not be published. Required fields are marked *