ପୁରୀ : ହଜିଗଲାଣି ଚାନ୍ଦୁଆ ନଗରୀର ପରିଚୟ । ଗ୍ରାହକଙ୍କ ବାଟକୁ ଚାହିଁ ବସିଛନ୍ତି ଚାନ୍ଦୁଆ କାରିଗର । ଦିନେ ଯେଉଁଠି ଶହଶହ ଗାଡ଼ି ଅଟକି ଯାଉଥିଲା, ଆଜି ସେଠି ଖାଁ ଖାଁ । ବାଇପାସ୍ ଯେମିତି ଚାନ୍ଦୁଆ ନଗରୀ ପାଇଁ ଅଭିଶାପ ପାଲଟିଗଲା । କାରିଗର ଚାନ୍ଦୁଆରୁ ମୁହଁ ଫେରାଇ ଅନ୍ୟ କର୍ମକୁ ଆଦରି ନେଲେଣି । ସ୍ଥିତି ଏମିତି ଯେ ୮ ଶହ ବର୍ଷର ଏହି ପାରମ୍ପରିକ କାରିଗରୀର ସତ୍ତା ୮ ବର୍ଷରେ ହଜିଯିବାକୁ ବସିଲାଣି ।
ଚାନ୍ଦୁଆ କାରିଗରୀ ପ୍ରତି ପର୍ଯ୍ୟଟକଙ୍କ ଆଦର ଯୋଗୁ ଧୀରେଧୀରେ ପିପିଲିର ବହୁ ବ୍ୟକ୍ତି ଏହି କାରିଗରୀକୁ ଆଦରି ନେଇଥିଲେ । ୧୨୦୦ ଖ୍ରୀଷ୍ଟାବ୍ଦରୁ ଚାନ୍ଦୁଆ କାରିଗରୀ ଚାଲିଆସୁଛି । ତେବେ ଦିନେ ଯେଉଁ କଳାକୁ ପ୍ରାୟ ୧୦ ହଜାର ବ୍ୟକ୍ତି ଆପଣାଇଥିଲେ ଏବେ ସେଠାରେ କାରିଗରଙ୍କ ସଂଖ୍ୟା ୨ ଶହ ତଳକୁ ଖସି ଆସିଲାଣି । ସବୁଠୁ ବଡ଼କଥା ହେଲା ବାଇପାସ୍ ହେବା ପରଠୁ ଧୀରେଧୀରେ ବ୍ୟବସାୟର ଗ୍ରାଫ୍ ନିମ୍ନଗାମୀ ହୋଇଛି । ତେଣୁ ପ୍ରାୟ ୮୦ ପ୍ରତିଶତ ବ୍ୟବସାୟ ପ୍ରଭାବିତ ହୋଇଛି । ପିପିଲିରେ ୨୦୧୯ ପୂର୍ବରୁ ୧୪୦ ରୁ ଅଧିକ ଚାନ୍ଦୁଆ ଦୋକାନ ରହିଥିଲେ ହେଁ ଏବେ ଏହା ୩୫ଟି ମଧ୍ୟରେ ସୀମିତ ରହିଛି ।
ବାସ୍ତବରେ ବାଇ ପାସ୍ ଯିବା ପରେ ପର୍ଯ୍ୟଟକମାନେ ଆଉ ପିପିଲି ବାଟ ଦେଇ ଯିବାକୁ ପସନ୍ଦ କଲେ ନାହିଁ । ବାଟ ସୁଗମ ହେବା ଯୋଗୁ ପ୍ରାୟ ସବୁ ଗାଡ଼ି ବାଇ ପାସ୍ ଦେଇ ପୁରୀକୁ ଯାତାୟାତ କଲେ । ୨୦୧୨ ମସିହାରେ ବାଇପାସ୍ କାମ ଆରମ୍ଭ ହେବା ପରଠୁ ଚାନ୍ଦୁଆ କାରିଗରମାନେ ନିଜର କୌଳିକ ବୃତ୍ତିକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ । ବସ୍ ଓ ଚାରିଚକିଆ ଯାନରେ ଏହି ବାଟ ଦେଇ ପର୍ଯ୍ୟଟକ ଯାଉଥିବା ବେଳେ ପିପିଲି ହାଟରେ ପହଞ୍ଚିବା ମାତ୍ରେ ଗାଡ଼ି ଝରକାରୁ ମୁଣ୍ଡ ଉଠାଇ ବାଟରେ ଦୋକାନରେ ଛିଡ଼ା ହୋଇଥିବା ଚାନ୍ଦୁଆକୁ ଉପଭୋଗ କରୁଥିଲେ । କିଣିବା ପାଇଁ ଅଟକିଯାଉଥିଲେ । ମାତ୍ର ଆଲୁଅ ମାଳାରେ ଝଲମଲ କରୁଥିବା ଚାନ୍ଦୁଆ ହାଟ ଏବେ ଗ୍ରାହକଙ୍କ ବାଟ ଚାହିଁ ବସିଛି ସିନା ପର୍ଯ୍ୟଟକଙ୍କ ଦେଖା ମିଳୁନାହିଁ ।
ଦୀର୍ଘ ବର୍ଷ ହେଲା ଚାନ୍ଦୁଆ ନଗରୀ ଏଭଳି ଦୁର୍ଦ୍ଦିନ ସମୟ ଦେଇ ଗତି କରୁଥିଲେ ହେଁ କେବେ ବି ପ୍ରଶାସନର ନଜର ପଡ଼ିଲା ନାହିଁ । ବ୍ୟବସାୟୀଙ୍କ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଯେଉଁ ବ୍ୟବସ୍ଥା କରାଯାଇଥିଲା, ତାହା ମଧ୍ୟ ତ୍ରୁଟିପୂର୍ଣ୍ଣ ପ୍ରମାଣିତ ହେବାରୁ କାରିଗରମାନେ ହାତବାନ୍ଧି ବସିଛନ୍ତି । ତେଣୁ ବାଇପାସଖ୍ରେ ବସଷ୍ଟପ୍ କରାଯିବା ସହ ଚାନ୍ଦୁଆ କାରିଗରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇପାରିଲେ ଏକ ପାରମ୍ପରକି ହସ୍ତଶିଳ୍ପ ତିଷ୍ଠିପାରିବ ବୋଲି ବହୁ କାରିଗର କହିଛନ୍ତି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଅଞ୍ଚଳର ସନ୍ତାନ ଭାବେ ବିଧାନସଭାରେ ଏ ପ୍ରସଙ୍ଗ ଉତ୍ଥାପନ କରି ଚାନ୍ଦୁଆ କାରିଗରୀରେ ଭବିଷ୍ୟତ ନେଇ ଆଶଙ୍କା ବ୍ୟକ୍ତ କରିବା ପରେ ଆଶା କରାଯାଉଛି, ସରକାର ଏହି ପରମ୍ପରିକ ହସ୍ତଶିଳ୍ପର ଉଦ୍ଧାର ପାଇଁ କିଛି ପଦକ୍ଷେପ ନେବେ ।
