କଟକ : ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଥିବା ମୂଲ୍ୟବାନ ସରକାରୀ ଜମିକୁ ହାତେଇ ନେବା ପାଇଁ ହୋଇଥିବା ଏକ ବଡ଼ ଧରଣର ଚଞ୍ଚକତା ଧରା ପଡ଼ି ଯାଇଛି । ବୋର୍ଡ ଅଫ ରେଭିନ୍ୟୁର ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟରେ ଥିବା ଅତିରିକ୍ତ କମିସନରଙ୍କ କୋର୍ଟରେ ମିଥ୍ୟା ତଥ୍ୟ ଦେଇ ଜମିକୁ ହାତେଇ ନେବାକୁ ଜାଲ ବିଛା ଯାଇଥିବାବେଳେ ତାହାକୁ ଜଣେ ରେକର୍ଡ କିପର ଧରା ପକାଇ ଦେଇଛନ୍ତି । ସହରର ପ୍ରମୁଖ ଅଞ୍ଚଳରେ ଥିବା ଏହି ଜମିର ଆନୁମାନିକ ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନରଙ୍କ କୋର୍ଟରେ ହୋଇଥିବା ମାମଲା (୫୮୭/୨୦୧୫) ଅନୁଯାୟୀ, ଉପରୋକ୍ତ ମୌଜାରେ ସାବିକ ଖାତା ନ˚ ୧୦, ସାବିକ ପ୍ଲଟ ନ˚ ୪୧୬ ରେ ରେକର୍ଡଭୁକ୍ତ ହୋଇଥିବା ୩ ଏକର ୭ ଡିସିମିଲ ଜମି ରାଣୀହାଟର ରାମଚନ୍ଦ୍ର ସେନ୍ଙ୍କ ପୁଅ ପ୍ରାଣକୃଷ୍ଣ ସେନ୍ଙ୍କ ନାମରେ ରହିଥିଲା । ୧୯୩୧ ମସିହାରେ ପ୍ରକାଶିତ ସାବିକ ପଟ୍ଟାରେ ଏହା ନିଜଦଖଲରେ ରହିଥିବା ଦର୍ଶାଯାଇଥିଲା । କିନ୍ତୁ ଜମି ମାଲିକଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପାଣ୍ତୁରିକକ୍ଷ ସେନ୍ ଉକ୍ତ ଜମିରୁ ୨ ଏକର ୧୫ ଡିସିମିଲ ଜମିକୁ ଆବେଦନକାରୀ ପ୍ରଶାନ୍ତ କୁମାର ସାହୁଙ୍କ ବାପାଙ୍କୁ ବିକ୍ରି କରି ଦେଇଥିବା ଅତିରିକ୍ତ କମିସନରଙ୍କ କୋର୍ଟରେ କୁହାଯାଇଥିଲା । ମୋଟ ୩ ଏକର ୭ ଡିସିମିଲ୍ରୁ ହାଲ୍ ପ୍ଲଟ୍ ନ˚ ୨୨୫/୧୧୨୧ର ୨୯୭ ଡିସିମିଲ ଓ ପ୍ଲଟ ନ˚ ୮୪୫/୧୧୨୨ର ୩୩୪ ଡିସିମିଲର ମୋଟ ୬୩୧ ଡିସିମିଲ ଜମିକୁ ନିଜ ନାମରେ କରାଇବାକୁ ଆବେଦନ କରାଯାଇଥିଲା । ଉକ୍ତ ଜମିଗୁଡିକୁ ପୂର୍ବରୁ ବିକ୍ରି କବଲା ନ˚ ୩୭୨୯, ତା ୨୮.୬.୧୯୫୦ ଓ ୧୯୩୧ ମସିହାରେ ପ୍ରକାଶିତ ସାବିକ ପଟ୍ଟା ଏବ˚ ୧୯୭୫ ମସିହା ନଭେମ୍ବର ୧୦ ତାରିଖରେ ରାୟ ପ୍ରକାଶ ହୋଇଥିବା ଓଇଏ କେସ୍ ନ˚ ୫୪୮୮/୧୯୬୫-୬୬ ଧାରା ୬, ୭, ୮ ଅନୁଯାୟୀ ଅବେଦନକାରୀଙ୍କ ବାପାଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା । କିନ୍ତୁ ୧୯୯୦ ଡିସେମ୍ବର ୧୨ ତାରିଖରେ ପ୍ରକାଶିତ ହାଲ୍ ଖାତା ନ˚ ୬୯୨ର ହାଲ୍ ସେଟଲମେଣ୍ଟ ପଟ୍ଟାରେ ଜମି ସରକାରଙ୍କ ନାମରେ ଅନାବାଦି ଭାବେ ରେକର୍ଡ ହୋଇ ଯାଇଥିବା କୁହାଯାଇଥିଲା । ତେଣୁ ଅଲଗା ଖାତା ଓ ପ୍ଲଟ୍ରେ ଉପରୋକ୍ତ ଜମିକୁ ଆବେଦନକାରୀଙ୍କ ନାମରେ ରେକର୍ଡ କରିବାକୁ ପ୍ରାର୍ଥନା କରାଯାଇଥିଲା । ଏହାକୁ ବିଚାରକରି ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର ଆବେଦନକାରୀଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ ।
ଏହି ନିର୍ଦ୍ଦେଶ ପାଇବା ପରେ ସଦର ତହସିଲଦାର ମିସ୍ କେସ୍ (୩୮/୨୦) କରିବା ସହ ଅମିନଙ୍କ ମାଧ୍ୟମରେ ଜମି ପରିଦର୍ଶନ କରିଥିଲେ । ପରେ ଜମି ରେକର୍ଡରେ ସ˚ଶୋଧନ କରିବାକୁ ରେକର୍ଡ କିପରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କୋର୍ଟରେ ଆବେଦନକାରୀ ଦର୍ଶାଇଥିବା ଓଇଏ କେସ୍ ଓ ଅନ୍ୟ କାଗଜପତ୍ର ରେକର୍ଡ ରୁମ୍ରେ ଉପଲବ୍ଧ ଥିବା ରେକର୍ଡ ସହିତ ମେଳ ଖାଇ ନଥିଲା । କେସ୍ ରେକର୍ଡରେ ଆବେଦନକାରୀଙ୍କ ବାପାଙ୍କ ନାମରେ ଉପରୋକ୍ତ କବଲା ଓ ଓଇଏ କେସ୍ ନମ୍ବର କିଛି ନଥିବା ଦେଖାଯାଇଥିଲା । ବର˚ ଯେଉଁ ଓଇଏ କେସ୍ ନମ୍ବର କୋର୍ଟରେ ଦିଆଯାଇଥିଲା, ତାହାକୁ ଜଣେ ବସନ୍ତ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଦ୍ବାରା କରାଯାଇଥିବା ଦେଖାଯାଇଥିଲା । ତେଣୁ ଏଭଳି ଘଟଣା ସଂପର୍କରେ ରେକର୍ଡ କିପର ଜଣକ ରେକର୍ଡ ରୁମ୍ ଦାୟିତ୍ବରେ ଥିବା ଅଧିକାରୀ ଓ ତହସିଲଦାରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଏଭଳି ସ୍ଥିତିରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର ତାଙ୍କ ପୂର୍ବ ନିର୍ଦ୍ଦେଶରେ ସ˚ଶୋଧନ କରିବାକୁ ପୁଣି ଥରେ ତହସିଲଦାର ଏକ ମିସ୍ କେସ୍ (୪/୨୨) କରିଥିଲେ ଏବ˚ ସ˚ପୃକ୍ତ ଆର୍.ଆଇ.ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ଆର୍.ଆଇ. ତାଙ୍କ ତଦନ୍ତରେ ସ˚ପୃକ୍ତ ଜମି ଦୀର୍ଘଦିନ ଧରି ଫାଙ୍କା ପଡ଼ିଥିବା ବେଳେ କେହି ଦଖଲରେ ନେଇ ନଥିବା ରିପୋର୍ଟ ଦେଇଥିଲେ । ତହସିଲଦାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମୂଲ୍ୟବାନ ଜମିକୁ ହଡପ୍ କରିବାକୁ ମସୁଧା ହୋଇଥିବା ସରକାର ଜାଣିବାକୁ ପାଇଥିଲେ ।
