ରାଜନଗର : ଶିକ୍ଷୟିତ୍ରୀ ଦରମା ପାଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ କେରେଡ଼ାଗଡ଼ସ୍ଥିତ ଶ୍ରୀଜଗନ୍ନାଥ ନୋଡାଲ୍ ଉଚ୍ଚ ବିଦ୍ୟାଳୟରୁ । ପାଠ କିନ୍ତୁ ପଢ଼ାଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ତଳୀ ଭଂଟି ଗ୍ରାମର ଶ୍ରୀରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ । ଏହି କାରଣରୁ ଦୀର୍ଘ ୧୩ ମାସ ହେଲା ଶ୍ରୀଜଗନ୍ନାଥ ହାଇସ୍କୁଲର ଛାତ୍ରଛାତ୍ରୀ ସଂସ୍କୃତ ବିଷୟ ପଢ଼ି ପାରୁନାହାନ୍ତି । ବିନା ଶିକ୍ଷକରେ ଛାତ୍ରଛାତ୍ରୀ ସଂସ୍କୃତ ପାଠ ପଢୁଥିଲେ ମଧ୍ୟ ଏଥିପ୍ରତି ଶିକ୍ଷାବିଭାଗ ଉଦାସୀନ । ସଂପୃକ୍ତ ଶିକ୍ଷୟିତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ତଳୀର ହୋଇଥିବାରୁ ସମସ୍ୟା ପ୍ରତି ନା ଗଣଶିକ୍ଷା ବିଭାଗ ଦୃଷ୍ଟି ଦେଉଛି ନା ଶୁଣୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ରାଜନଗର ବ୍ଲକ୍ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ୬ଷ୍ଠ ରୁ ୧୦ମ ଶ୍ରେଣୀ ମଧ୍ୟରେ ୫୪୨ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ୬ଷ୍ଠ ଶ୍ରେଣୀରେ ୧୦୪ ଜଣ, ୭ମରେ ୧୦୩, ୮ମରେ ୭୪, ୯ମରେ ୧୫୩ ଓ ୧୦ମ ଶ୍ରେଣୀରେ ୧୦୮ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ୫୪୨ ଜଣ ପିଲାଙ୍କ ପାଇଁ ୪ ଜଣ ଏଲିମେଣ୍ଟାରି କ୍ୟାଡର୍ର ଶିକ୍ଷକ, ଜଣେ ପିସିଏମ୍ ଓ ଅନ୍ୟ ଜଣେ ହିନ୍ଦୀ ଶିକ୍ଷକ ଅଛନ୍ତି । ମାତ୍ର ଏହି ବିଦ୍ୟାଳୟରୁ ଦରମା ପାଉଥିବା ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ପରିଡ଼ା ଗତ ୧୩ ମାସ ହେଲା ଏଠାରେ ପାଠ ପଢ଼ାଉ ନାହାନ୍ତି । ସେ ଏହି ବିଦ୍ୟାଳୟରେ ଚାକିରି କରିଥିବା ନେଇ ଦରମା ପାଉଥିଲେ ମଧ୍ୟ ଜୁନ ୨୦୨୧ ରୁ ପୁରୀ ଜିଲ୍ଲା ନିମାପଡା ବିଧାନସଭା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଭଂଟି ଗ୍ରାମସ୍ଥିତ ଶ୍ରୀରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ ପାଠ ପଢ଼ାଉଛନ୍ତି । ତାଙ୍କୁ ଡାଇରେକ୍ଟର୍ ଅଫିସ୍ ଚିଠି ବଦଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ରିଲିଭ୍ କରିଛନ୍ତି । ଶିକ୍ଷୟିତ୍ରୀ ‘ଡେପ୍ଲଏମେଣ୍ଟ୍ ଅର୍ଡର୍’ ବଳରେ ପୁରୀ ଜିଲ୍ଲାକୁ ଯାଇଥିବା ବେଳେ ସରକାରୀ ରେକର୍ଡରେ ସେ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ନୋଡାଲ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟିତ୍ରୀ ଥିବା ଦର୍ଶାଉଛି । ସେଇ କାରଣରୁ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ । ଫଳସ୍ବରୂପ, ବିନା ପାଠପଢାରେ ଛାତ୍ରଛାତ୍ରୀ ସଂସ୍କୃତ ପରୀକ୍ଷା ଦେଉଛନ୍ତି ।
ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ତାଙ୍କୁ ପଚାରିବାରୁ ୨୦୧୧ରେ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ପରିଡା ଯୋଗ ଦେଇଥିଲେ । ୨୦୧୧ ଜୁନ ମାସରେ ଡାଇରେକ୍ଟର ଅଫିସ୍ ଚିଠି ବଳରେ ତାଙ୍କୁ ଶ୍ରୀରାମ ଚନ୍ଦ୍ର ନୋଡାଲ ହାଇସ୍କୁଲ, ଭଂଟି ଗ୍ରାମ, ନିମାପଡା, ପୁରୀକୁ ଡେପୁଟେସନରେ ନିଆଯାଇଛି । ଆମ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ପଦରେ ‘ଭ୍ୟାକାନ୍ସି’ ଦେଖାଉ ନ ଥିବାରୁ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉନି । ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛି ବୋଲି କହିଛନ୍ତି । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମନ୍ତ୍ରୀଙ୍କ ନିର୍ବାଚନମଣ୍ତଳୀର ଶିକ୍ଷୟିତ୍ରୀ ବୋଲି ଡେପୁଟେସନରେ ଜିଲ୍ଲା ପାର ହୋଇପାରିବେ କି ? ଏଥିପ୍ରତି ଗଣଶିକ୍ଷା ମନ୍ତ୍ରୀ ଦୃଷ୍ଟି ଦେବା ସହ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି ।
