ଵଣାଇ ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା, ବାରମ୍ବାର ଗୁହାରି ସତ୍ତ୍ୱେ ସରକାର ନିରବ

ଵଣାଇ : ଵଣାଇ ସହର ସଦର ମହକୁମା ଠାରେ ଥିବା ତହସିଲ କାର୍ଯ୍ୟାଳୟରେ ଆଜକୁ ଦୀର୍ଘ ୮ ମାସ ହେବ ତହସିଲଦାର ପଦବୀ ଖାଲି ପଡିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ କୈାଣସି ସ୍ଥାୟୀ ଅଧିକାରୀ ନଥିବାରୁ ଵଣାଇ ଉପଖଣ୍ଡର ଜନସାଧାରଣ ବିଭିନ୍ନ ପ୍ରକାରର ସରକାରୀ ସେବା ପାଇବାରୁ ବଞ୍ଚିତ ହୋଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ଆଜକୁ ଦୀର୍ଘ ୬ ମାସ ତଳେ ଏଠାରେ ଅବସ୍ଥିତ ଥିବା ତହସିଲଦାର ଶୁଶିଲ କୁଜୁରଙ୍କୁ ସରକାର ଅଚାନକ ନିଲମ୍ବିତ କରିବା ସହିତ ବଣାଇରୁ ବଦଳି କରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ସରକାର ଏଠାରେ କୈାଣସି ତହସିଲଦାରଙ୍କୁ ଅବସ୍ଥାପିତ କରିନାହାନ୍ତି । କେବଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଵଣାଇ ବିଡ଼ିଓ ସ୍ବଦୀପ ଟପ୍ପୋଙ୍କୁ ଅସ୍ଥାୟୀ ଭାବେ ଵଣାଇ ତହସିଲର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ, ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପୂର୍ଣ୍ଣ ସମୟ ଦେଇ ଦାୟିତ୍ଵ ତୁଲାଇବା ସମ୍ଭବ ପର ହେଉନଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସରକାରଙ୍କ ସମସ୍ତ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ କରାଯାଉଥିବା ବେଳେ ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣ ପତ୍ର, ଜମି ବାଡ଼ି ଚିହ୍ନଟ ଆଦି ବିଭିନ୍ନ କାର୍ଯ୍ୟ ଅମିମାଂସିତ ହୋଇ ପଡ଼ିରହୁଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରମାଣ ପତ୍ର ନପାଇ ଶିକ୍ଷାଦାନ, ଚାକିରି ଆବେଦନ ଇତ୍ୟାଦି କାର୍ଯ୍ୟରେ ବାଧାପ୍ରାପ୍ତ ହୋଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ଵଣାଇର ଜନସାଧାରଣଙ୍କ ସମେତ ବଣାଇର ଜନପ୍ରତିନିଧି ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଵଣାଇରେ ସ୍ଥାୟୀ ତହସିଲଦାର ନିଯୁକ୍ତି କରିବା ନିମନ୍ତେ ଅନେକ ଥର ସରକାରଙ୍କ ଠାରେ ଗୁହାରି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ନିଦ ଭାଙ୍ଗୁ ନଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *