ଶିଳ୍ପ ଗବେଷଣା କେନ୍ଦ୍ର ନାଁ’ରେ ଜମି ହାତେଇ ପାର୍‌, ଲିଜ୍‌ ନେଇଥିବା ଜମି ୨ ଥର ବିକ୍ରି ହୋଇସାରିଲାଣି

ରାଉରକେଲା : ଯେଉଁ କାରଣ ଦର୍ଶାଇ ଶିଳ୍ପସଂସ୍ଥା ଶାଗମାଛ ଦରରେ ବହୁ ମୂଲ୍ୟବାନ ପ୍ଲଟ୍‌ ହା‌ତେଇଥିଲେ, ତାହାର ଏବେ ଚିହ୍ନବର୍ଣ୍ଣ ନାହିଁ । ବରଂ, ସେହିସବୁ ଜମିକୁ ବନ୍ଧାପକାଇ ବ୍ୟାଙ୍କରୁ କୋଟିକୋଟି ଟଙ୍କା ଋଣ ଆଣିବା ସହିତ ଯେଝାଯେଝା ବ୍ୟବସାୟରେ ଲଗାଇଛନ୍ତି । ୧୦ ବର୍ଷ ଭିତରେ ପ୍ରକଳ୍ପ ନାଁ’ରେ ସରକାରଙ୍କ ଠାରୁ ନେଇଥିବା ଜମିର ମୂଲ୍ୟ ୪୦ କୋଟିରେ ପହଞ୍ଚିଲାଣି । ହେଲେ, ଏହି ମୂଲ୍ୟବାନ ପ୍ଲଟ୍‌ ଏବେ ପାଚେରି ଘେରାରେ ରହିଯାଇଛି । ଅବ୍ୟବହୃତ ଅବସ୍ଥ‌ାରେ ପଡ଼ିରହିଥିବା ଏହି ମୂଲ୍ୟବାନ ଜମିକୁ ନା ଜିଲ୍ଲା ପ୍ରଶାସନ ନିଜ ଖାତାକୁ ଆଣିବାକୁ କୌଣସି ପଦକ୍ଷେପ ନେଉଛନ୍ତି ନା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉଛନ୍ତି । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପ୍ଲଟ୍‌ ଲିଜ୍‌ ନେଇଥିବା ଏହି ଶିଳ୍ପସଂସ୍ଥା ଆଧୁନିକ ମେଟାଲିକ୍ସ କାରଖାନା ଇତି ମଧ୍ୟରେ ୨ ଥର ବିକ୍ରି ହୋଇସାରିଲାଣି । ସୁନ୍ଦରଗଡ଼ରୁ ବି ୪ ବର୍ଷ ପୂର୍ବରୁ ଚାଲିଯାଇସାରିଲାଣି ।

ସୂଚନା ଅନୁସାରେ, ୧୦ ବର୍ଷ ତଳେ କୁଆରମୁଣ୍ଡାସ୍ଥିତ ଆଧୁନିକ ମେଟାଲିକ୍ସ କାରଖାନା ରାଉରକେଲାର ସବୁଠାରୁ ଅଭିଯାତ ଇଲାକା ସିଭିଲ୍‌ ଟାଉନ୍‌ସିପ୍‌ରେ ଶିଳ୍ପ ଅନୁସନ୍ଧାନ କେନ୍ଦ୍ର (ଇଣ୍ଡଷ୍ଟ୍ରି ରିସର୍ଚ୍ଚ ସେଣ୍ଟର) ପ୍ରତିଷ୍ଠା କରିବ ବୋଲି ସରକାରଙ୍କ ଲ୍ୟାଣ୍ଡ ଆଲଟମେଣ୍ଟ କମିଟି (ଏଲ୍‌ଏସି) ଠାରୁ ୯୯ ବର୍ଷ ଲିଜ୍‌ରେ ୧ ଏକର ଜମି ନେଇଥିଲା । ବଜାର ମୂଲ୍ୟ ଠାରୁ ବହୁତ କମ୍‌ରେ କ୍ରୟ କରିଥିଲା । ଏଲ୍‌ଏସି ନିୟମ ଅନୁଯାୟୀ, ଜମି ନେବାର ୩ ବର୍ଷ ମଧ୍ୟରେ ସମ୍ପୃକ୍ତ ଜାଗାରେ ଶିଳ୍ପାଞ୍ଚଳ ଅନୁସନ୍ଧାନ କେନ୍ଦ୍ର ନିର୍ମାଣ ହେବା ବାଧ୍ୟତାମୂଳକ ଥିଲା । କିନ୍ତୁ ଆଜି ଯାଏ ଶିଳ୍ପାଞ୍ଚଳ ଅନୁସନ୍ଧାନ କେନ୍ଦ୍ର ନିର୍ମାଣ ପାଇଁ ଖଣ୍ଡିଏ ଇଟା ମଧ୍ୟ ପଡ଼ିନାହିଁ । କେବଳ ଚାରି ପାଖରେ ପାଚେରି ବେଢ଼ାଇ କାମ ସାରି ଦେଇଛନ୍ତି କାରଖାନା କର୍ତ୍ତୃପକ୍ଷ । ୩ ବର୍ଷରେ ନିର୍ମାଣ କାମ ନ ହେଲେ ଲିଜ୍‌ ବାତିଲ୍‌ ‌ହେବାର ସରକାରୀ ନିୟମ ରହିଛି । କିନ୍ତୁ, ଆଜି ଯାଏ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ବର୍ତ୍ତମାନ ସମ୍ପୃକ୍ତ ଇଲାକାରେ ଡିସିମିଲ୍‌ ପ୍ରତି ଜମିର ସରକାରୀ ମୂଲ୍ୟ ରହିଛି ପାଖାପାଖି ୨୨ ଲକ୍ଷ । ଅର୍ଥାତ୍‌ ଏ ପ୍ଲଟ୍‌ର ସରକାରୀ ମୂଲ୍ୟ ୨୨ କୋଟି । ବେସରକାରୀ ମୂଲ୍ୟ ତ ୪୦ କୋଟିରୁ ନିଶ୍ଚୟ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏ ସଂକ୍ରାନ୍ତରେ ଏଲ୍‌ଏସି ଅଧିକାରୀମାନେ ଅବଗତ ଅଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ମୂଲ୍ୟବାନ ଜମି କିପରି ଫେରିବ ଏଥିପାଇଁ କୌଣସି ଉଦ୍ୟମ କରାଯାଇନାହିଁ ।

ଆହୁରି ଉଦ୍‌ବେଗଜନକ କଥା ହେଉଛି, ଶିଳ୍ପାଞ୍ଚଳ ଅନୁସନ୍ଧାନ କେନ୍ଦ୍ର ନାଁରେ କାରଖାନା ହାତେଇଥିବା ଏହି ମୂଲ୍ୟବାନ ଜମି ଏବେ ବ୍ୟାଙ୍କରେ ବନ୍ଧାପଡ଼ିଛି । ଏହି ଜମିକୁ ବନ୍ଧାପକାଇ କାରଖାନା କର୍ତ୍ତୃପକ୍ଷ ବ୍ୟାଙ୍କରୁ କୋଟିକୋଟି ଟଙ୍କାର ଋଣ ନେଇ କାରଖାନାରେ ବିନିଯୋଗ କରିଥିବା ବି ଜଣାପଡ଼ିଛି । ଅନ୍ୟପକ୍ଷରେ, କାରଖାନା ବନ୍ଦ ହେବାସହିତ ଏହା ନିଲାମ ହୋଇ ଅନ୍ୟ ସଂସ୍ଥାର ହାତକୁ ବି ଚାଲି ଯାଇସାରିଲାଣି । ଏବେ ରାଉରକେଲା ବା କୁଆରମୁଣ୍ଡାରେ ମୂଳ କାରଖାନା ମାଲିକଙ୍କର କୌଣସି ଚିହ୍ନବର୍ଣ୍ଣ ନଥିବାବେଳେ ଏହି ମୂଲ୍ୟବାନ ଜମିର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆହୁରି ବି ଶୁଣିବାକୁ ମିଳୁଛି, କାରଖାନାର ପୁରୁଣା ମାଲିକ ଏହି ଜମିକୁ ନୂଆ ମାଲିକଙ୍କ ହାତକୁ ଟେକି ଦେବାକୁ ଏବଂ ମାଲିକାନା ପାଇବାପରେ ନୂଆ ମାଲିକ ଏହାକୁ ଆଉ କାହାକୁ ବିକ୍ରି କରିଦେଇ ବା ସର୍ତ୍ତ ବିପରୀତ ଅନ୍ୟ କୌଣସି କାମରେ ବିନିଯୋଗ କରି ମୋଟା ଅଙ୍କ ପକେଟରେ ଭର୍ତି କରିବାଲାଗି ଯୋଜନା କରୁଛି । ତେବେ, ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମା‌ନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *