ବାଲିଆପାଳ : ପାଗ ଅନୁକୂଳ ଥିବାରୁ ବାହୁଡ଼ାଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖବାକୁ ମିଳିଥିଲା । ବାଲିଆପାଳ ଶ୍ରଦ୍ଧା କ୍ଷେତ୍ରର ରଥଯାତ୍ରର ୯ ଦିନ ପରେ ଆଜି ଥିଲା ବାହୁଡା ଯାତ୍ର। ଜନ୍ମ ବେଦିର ଲୀଳା ଖେଳା ସାରି ତିନି ଠାକୁର ରତ୍ନ ବେଦୀକୁ ବାହୁଡ଼ିଛନ୍ତି । ଆସନ୍ତା କାଲି ଶ୍ରୀ ଜୀଉମାନଙ୍କ ସୁନା ବେଶ ହେବ। ରଥ ଯାତ୍ରା ଦିନ ପାଗ ଖରାପ ଥିବାରୁ ସବୁ ପାଣିଚିଆ କରିଦେଇଥିଲା । ମାତ୍ର ବାହୁଡାରେ ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ବାଳିଆପାଳ ବଡ଼ ଦାଣ୍ଡକୁ ଜନ ସମୁଦ୍ରରେ ପୋତି ପକାଇଥିଲେ ।
ଜୟ ଜଗନ୍ନାଥ ଧ୍ୱନୀରେ ସତେ ଯେପରି ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିଲା । ମା ସୁଭଦ୍ରାଙ୍କ ରଥକୁ କେଵଳ ମହିଳାମାନେ ମାଉସୀ ମା ମନ୍ଦିରରୁ ଶ୍ରଦ୍ଧାକ୍ଷେତ୍ରକୁ ଟାଣି ନେଇଥିଲେ । ବାହୁଡା ଯାତ୍ରା ପାଇଁ ଶନିବାର ପୂର୍ବାହ୍ନରୁ ସମସ୍ତ ରୀତିନୀତି ପରେ ବ୍ରାହ୍ମ ମୁହୂର୍ତ୍ତ ଠାରୁ ମନ୍ଦିରର ପୂଜା ପଣ୍ଡାମାନେ ଶ୍ରୀ ଜୀଉମାନଙ୍କର ସମସ୍ତ ନୀତି କ୍ରାନ୍ତି ସମାପନ ପରେ ଦିବା ୫ଟା ରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ବଡ ଠାକୁର ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ମାଉସୀ ମା ମନ୍ଦିରରୁ ରଥାରୂଢ କରାଯାଇଥିଲା । ମନ୍ଦିର ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଠାକୁର ରାଜା ଜୟନାରାୟଣ ମହାନ୍ତି ତିନି ରଥରେ ଛେରା ପହଁରା କରିବା ପରେ ରଥ ଟଣା ହୋଇଥିଲା ।
କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ବ୍ରଜମୋହନ ଭୂୟାଁ, ମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୁଦନ ସାହୁ, ସୁଶାନ୍ତ ଚକ୍ରବର୍ତ୍ତୀ, ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ, ପୂର୍ବତନ ସରପଞ୍ଚ ମୁରଲୀ ମୋହନ ସାହୁ, ପ୍ରିୟନାଥ ସେଠି, କାଳିଚରଣ ଦେ, ସୁଶାନ୍ତ ଦାସ, ସତ୍ୟକାମ ମହାନ୍ତି, ସୁନୀଲ ପତ୍ର, ଶୁଭେନ୍ଦୁ ଗିରି, ହେମନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ରଥ ଟଣାକୁ ପରିଚାଳନା କରିଥିଲେ । ବାଲିଆପାଳ ବିଡ଼ିଓ ଦାୟିତ୍ୱରେ ଥିବା ତହସିଲଦାର ଦୀପକ କୁମାର ଦାଶ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବାବେଳେ ଏସଡିପିଓ ଜଳନ୍ଦର ଜାଲି, ଆଇଆଇସି ସୁବ୍ରତ ବେହେରା, ଏସଆଇ ସସ୍ମିତା ମଲ୍ଲିକ, ଏସଆଇ ଶାରଦା ପ୍ରସନ୍ନ ମୁଦୁଲିଙ୍କ ସହିତ ଅନ୍ୟାନ୍ୟ ପୁଲିସ ଫୋର୍ସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
