କଟକ : କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏଯାଏ ଖୋଲି ପାରୁନି ଅତ୍ୟନ୍ତ ଗୁରୁତ୍ବପୂଣ୍ଣ ଥୋରାସିକ୍ ଅଙ୍କୋଲୋଜି ବିଭାଗ । ଚଳିତବର୍ଷ ୪ଟି ନୂଆ ବିଭାଗ ଖୋଲିଥିଲେ ବି ଲଙ୍ଗ୍ସ କ୍ୟାନ୍ସର୍ ରୋଗର ସଫଳ ଚିକିତ୍ସାରେ ଉପଯୋଗୀ ଥୋରାସିକ୍ ଅଙ୍କୋଲୋଜି ବିଭାଗ ଖୋଲି ନ ପାରିବା କାରଣରୁ ରୋଗୀଙ୍କୁ ଆବଶ୍ୟକ ସହଜ ଚିକିତ୍ସା ମିଳିପାରୁନି । ଅଙ୍ଗହାନୀ ନକରି (ହାତ ବା ଗୋଡ଼ ନକାଟି) କିପରି କର୍କଟ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବ, ସେ ବ୍ୟବସ୍ଥା ଏହି ବିଭାଗ ଦ୍ବାରା ସମ୍ଭବ ହେବ । ଦେଶରେ ଲଙ୍ଗ୍ସ କ୍ୟାନସର୍ ରୋଗୀଙ୍କ ସ୍ଥିତି ଚିନ୍ତାଜନକ ଭାବେ ବଢି ଚାଲିଛି । ଆଶଙ୍କା କରାଯାଇଛି ଯେ, ଆଗମୀ ୫ ବର୍ଷ ଭିତରେ ୧ ଲକ୍ଷରୁ ଅଧିକ ନୂଆ ଲଙ୍ଗ୍ସ କ୍ୟାନସର୍ ରୋଗୀ ସୃଷ୍ଟି ହେବେ ।
ସାଧାରଣ ଭାବେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ୭୦ ପ୍ରତିଶତ ହେଖାଯାଉଥିବାବେଳେ, ଗତ ୧୦ ବର୍ଷ ହେଲା ଦେଖାଯାଉଛି ଯେ, ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହି ରୋଗ ବଢିବାରେ ଲାଗିଛି । କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର କର୍କଟ ରୋଗୀ ନିର୍ଭର କରନ୍ତି । ପରିସଂଖ୍ୟାନ କହୁଛି କର୍କଟ କେନ୍ଦ୍ର ଓପିଡିକୁ ୨୦୧୫-୧୬ ରେ ୩୬,୪୬୧ ରୋଗୀ ଆସିଥିବା ବେଳେ, ସେଥିରୁ ୨୨,୮୩୪ ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ୨୦୧୯- ୨୦ରେ ଏହି ସଂଖ୍ୟା ପାଖାପାଖି ତିନିଗୁଣ ବଢି ଓପିଡିକୁ ୯୦ ହଜାର ରୋଗୀ ଆସିଥିବାବେଳେ ୨୬,୫୮୬ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଆଚାର୍ଯ୍ୟ ହରିହରରେ ଲଙ୍ଗ୍ସ କ୍ୟାନ୍ସର, ସର୍ଜିକାଲ ଅଙ୍କୋଲୋଜି, ଗାଏନିକ୍ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ହେଡ଼୍ ଏଣ୍ଡ ନେକ୍ ଅଙ୍କୋଲୋଜି, ପାଥୋଲୋଜି, ରେଡିଓଲୋଜି, ଆନାସ୍ଥେସିଆ, ପେନ୍ ପାଲିଟିଭ୍ କେୟାର ୟୁନିଟ୍, ମେଡିକାଲ ଫିଜିକ୍ସ, ୟୁରୋଲୋଜି, ପ୍ଲାଷ୍ଟିକ୍ ସର୍ଜରି ଆଦି ବିଭାଗ ରହିଛି । କିନ୍ତୁ ଥୋରାସିକ୍ ଅଙ୍କୋଲୋଜି (ଫୁସ୍ଫୁସ୍, ମେଡିଆ ଷ୍ଟେନମ୍, ଇସୋଫାଗସ୍ କ୍ୟାନସର୍) ବିଭାଗ ଖୋଲାଗଲେ ଏଠାରେ ରୋଗର ଚିକିତ୍ସା ସହ ସର୍ଜରି ମଧ୍ୟ ହୋଇପାରନ୍ତା ।
ଏଠାରେ ଏବେ ଲଙ୍ଗସ୍ କ୍ୟାନ୍ସର ପାଇଁ କେମୋ ଓ ରେଡିଏସନ୍ ଥେରାପି ମିଳୁଥିବାବେଳେ ସର୍ଜରି ହୋଇପାରୁନି । ଏଠାରେ ଅସ୍ତ୍ରୋପଚାର ବ୍ୟବସ୍ଥା କରାଗଲେ ଲଙ୍ଗ୍ସ କ୍ୟାନସର୍ ରୋଗୀ ଗୋଟିଏ ସ୍ଥାନରେ ସବୁ ଚିକିତ୍ସା ପାଇପାରନ୍ତେ । ତେବେ ଯେ ପର୍ଯ୍ୟନ୍ତ ସିଟିଭିଏସ୍ ବିଭାଗ ଆଚାର୍ଯ୍ୟ ହରିହରରେ ଖୋଲାଯାଇନି ସେ ପର୍ଯ୍ୟନ୍ତ ଥୋରାସିକ୍ ଅଙ୍କୋଲୋଜି ବିଭାଗ ଖୋଲାଯିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିଶେଷଜ୍ଞମାନେ । ଏ ସଂପର୍କରେ କର୍କଟ କେନ୍ଦ୍ରର ଜଣେ ବରିଷ୍ଠ ବିଶେଷଜ୍ଞଙ୍କ କହିବା କଥା ହେଲା କର୍କଟ କେନ୍ଦ୍ରରେ ଲଙ୍ଗ୍ସ କ୍ୟାନସର୍ ରୋଗୀଙ୍କୁ ବିକିରଣ ଓ କେମୋଥେରାପି ଚିକିତ୍ସା ଦିଆଯାଉଛି । କିନ୍ତୁ ସର୍ଜରି ବ୍ୟବସ୍ଥା ହୋଇପାରିନି । ଏପଟେ ଏସ୍ସିବି ପଲ୍ମ୍ୟୁନାରୀ ବିଭାଗରେ ଫୁସ୍ଫୁସ୍ ବା ଲଙ୍ଗ୍ସ ଅସ୍ତ୍ରୋପଚାର ଆରମ୍ଭ ହେବ । ଏଥିପାଇଁ ନେଗେଟିଭ୍ ପ୍ରେସର୍ ଆଇସିୟୁ ଓ ମଡ୍ୟୁଲାର୍ ଓଟି ପାଇଁ ୫.୪ କୋଟି ଟଙ୍କା ମଂଜୁର ହୋଇଥିବା ସୂଚନା ମିଳିଛି ।
