ଡିଏଚ୍‌ଏଚ୍‌ରୁ ସିଏଚ୍‌ସି ସବୁଠି ଖାଲି, ଖାଲି ପଡ଼ିଛି ସମୁଦାୟ ୪୭ ପଦବୀ

ଝାରସୁଗୁଡ଼ା : ଶିଳ୍ପନଗରୀ ଝାରସୁଗୁଡ଼ା ଜିଲ୍ଲା ଆଗାମୀ ଦିନରେ ମେଡିକାଲ ହବ୍‌ ହେବାକୁ ଯାଉଥିବା ବେଳେ ଏଠାରେ ଡାକ୍ତରର ଅଭାବ ସାଧାରଣ ସ୍ବାସ୍ଥ୍ୟ ସେବାରେ ଅନ୍ତରାୟ ସୃଷ୍ଟି କରିଛି । ଝାରସୁଗୁଡ଼ା ଠାରେ ଆଉ କିଛି ମାସ ମଧ୍ୟରେ ଅତ୍ୟାଧୁନିକ କାର୍ଡିୟାକ କେୟାର ହସପିଟାଲ ଆରମ୍ଭ ହେବାକୁ ଯାଉଥିବା ବେଳେ ପାଥୋଲୋଜି ସେଣ୍ଟର ନିର୍ମାଣ ଯୋରସୋରରେ ଚାଲିଛି । ଏହା ବ୍ୟତୀତ କ୍ୟାନସର ହସପିଟାଲ ମଧ୍ୟ ନିର୍ମାଣ ହେବାକୁ ଯାଉଛି । ସ୍ବାସ୍ଥ୍ୟସେବା ପାଇଁ ଏଭଳି ବ୍ୟବସ୍ଥା ସ୍ବାଗତ ଯୋଗ୍ୟ ହୋଇଥିବାବେଳେ ଜିଲ୍ଲାରେ ଡାକ୍ତର ଅଭାବ ଆଗାମୀ ଦିନରେ ଏହି ବୃହତ ସ୍ବାସ୍ଥ୍ୟ ପ୍ରକଳ୍ପର ଭିବଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜିଲ୍ଲାର ବେଲପାହାଡ଼ ସହର ଓ ଲଖନପୁର ବ୍ଲକ ଅଞ୍ଚଳ‌ର ଲୋକ‌େ ସବୁବେଳେ ସ୍ବାସ୍ଥ୍ୟସେବା ପାଇଁ ଦାବି କରି ଆସୁଥିବା ବେଳେ ‌ଜିଲ୍ଲାରେ ଡାକ୍ତର ପଦବୀ ପୂରଣ ହେବା ନେଇ ଅନିଶ୍ଚିତତା ଲାଗି ରହିଛି । ସାରା ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁଁ  ଏଭଳି ସମସ୍ୟା ଦେଖା ଦେଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି । ଝ‌ାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନରୁ  ଡାକ୍ତର ଅଭାବ ସେହି ଅଞ୍ଚଳର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ବହୁଳ ଭାବରେ ପ୍ରଭାବିତ କରିଛି । ଯେଉଁଠି ଯେମିତି କିଛି ଡାକ୍ତର ରହିଛନ୍ତି ସେମାନେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରତି ବେଶୀ ମନୋନିବେଶ କରୁଥିବା ଅଭିଯୋଗ ହେଉଛି ।

ଜିଲ୍ଲାରେ ଏବେ ମଧ୍ୟ ୪୭ ଜଣ ଡାକ୍ତରଙ୍କ ଅଭାବ ରହିଛି । ଜିଲ୍ଲାରେ ମୋଟ ୧୪୩ ଗୋଟି ବିଭିନ୍ନ ଡାକ୍ତର ପଦବୀ ମଧ୍ୟରୁ  ୯୬ ଜଣ ଥିବା ବେଳେ ୪୭ ଗୋଟି ପଦବୀ ଖାଲି ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟରେ ମୋଟ ୮ ଗୋଟି ଡାକ୍ତରଙ୍କ ମଧ୍ୟରୁ ୬ ଜଣ ଥିବା ବେଳେ ଡିଏମ୍ଓ ଓ ଏଡିଏମ୍ଓ ୨ ଗୋଟି ପଦବୀ ଖାଲି ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୩ ଗୋଟି ଡାକ୍ତରଙ୍କ ମଧ୍ୟରୁ ୨୪ ଜଣ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ଗୋଟି ନିଶ୍ଚେତକ ବିଶେଷଜ୍ଞ, ଚକ୍ଷୁରୋଗ, ନିଦାନ, ରଞ୍ଜନରଶ୍ମି, ମାନସିକରୋଗ ବିଶେଷଜ୍ଞ ଓ ଏସ୍‌ଏନ୍‌ସିୟୁରେ ବିଭାଗରେ ୯ ପଦବୀ ଖାଲି ପଡ଼ିଛି । ଲଖନପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ଏହା ଅଧିନରେ ଥିବା ପିଏଚ୍‌ସିଗୁଡ଼ିକରେ ଥିବା ମୋଟ ୧୭ ଗୋଟି ଡାକ୍ତର ପଦବୀ ମଧ୍ୟରୁ  ୮ ଜଣ ଡାକ୍ତର ଥିବାବେଳେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ଭଳି ୭ ଗୋଟି ପଦବୀ ଖାଲି ରହିଛି । ଏହାର ଅଧିନରେ ଥିବା ଅଡ଼ାପଡ଼ା ପିଏଚ୍‌ସି ଓ ଗୋବିନ୍ଦପୁର ପିଏଚ୍‌ସି ମଧ୍ୟ ଡାକ୍ତର ନାହାନ୍ତି ।

ବ୍ରଜରାଜନଗର ସିଏଚ୍‌ସି ଓ ଏହା ଅଧିନରେ ଥିବା ପିଏଚ୍‌ସିରେ ମୋଟ ୧୪ ଗୋଟି ଡାକ୍ତର ପଦବୀ ମଧ୍ୟରୁ ୮ ଜଣ ଥିବା ବେଳେ ବ୍ରଜରାଜନଗର ସିଏଚ୍‌ସିର ଅଧିକ୍ଷକ, ଶିଶୁରୋଗ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ଭଳି ୬ ଗୋଟି ପଦବୀ ଖାଲି ପଡ଼ିଛି । ରାଜପୁର ସିଏଚ୍‌ସିର ୧୦ ପଦବୀ ମଧ୍ୟରୁ ୪ ଜଣ ଡାକ୍ତର ଥିବା ବେଳେ ଶିଶୁରୋଗ, ଭେଷଜ, ଶଲ୍ୟ ବିଶେଷଜ୍ଞ ଭଳି ୬ ଗୋଟି ପଦବୀ ଖାଲି ରହିଛି । ମୁନ୍ଦ୍ରାଯୋର ସିଏଚ୍‌ସି ଓ ଏହା ଅଧିନରେ ଥିବା ପିଏଚ୍‌ସିର ମୋଟ ୧୪ ଡାକ୍ତର ପଦବୀ ମଧ୍ୟରୁ ୬ ଜଣ ଥିବା ବେଳେ ବିପିଏଚ୍‌ଓ, ଅଧିକ୍ଷକ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଭଳି ୮ ଗୋଟି ଡାକ୍ତର ପଦବୀ ଖାଲି ପଡ଼ିଛି । କୋଲାବିରା ସିଏଚ୍‌ସିର ମୋଟ ୧୩ ଡାକ୍ତର ମଧ୍ୟରୁ ୭ ଜଣ ଥିବା ବେଳେ ବିପିଏଚ୍‌ଓ, ଅଧିକ୍ଷକ, ସ୍ତ୍ରୀ ଓ ପ୍ରସୂତୀ, ଭେଷଜ, ଶଲ୍ୟ ବିଶେଷଜ୍ଞ ପ୍ରଭୃତି ୬ ପଦବୀ ଖାଲି ପଡ଼ିଛି । କିର୍ମିରା ସିଏଚ୍‌ସିର ୧୩ ଡାକ୍ତରଙ୍କ ମଧ୍ୟରୁ  ୭ ଜଣ ଥିବାବେଳେ ବିପିଏଚ୍‌ଓ, ଶିଶୁରୋଗ, ଭେଷଜ ବିଶେଷଜ୍ଞ ପ୍ରଭୃତି ୬ ଡାକ୍ତର ପଦବୀ ଖାଲି ରହିଛି । ବେଲପାହାଡ଼ ହସପିଟାଲ‌, ପଞ୍ଚପଡ଼ା ଓ କୁକୁରିକାଳନି ୟୁପିଏଚ୍‌ସିରେ ୩ ଜଣ ଡାକ୍ତରଙ୍କ ମଧ୍ୟରୁ କେବଳ କୁକୁରିକାନି ଠାରେ ଜଣେ ଡାକ୍ତର ଥିବା ବେଳେ ବାକି ଦୁଇ ସ୍ଥାନରେ ଡାକ୍ତର ନଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *