ଵଣାଇ : ଵଣାଇ ବନଖଣ୍ଡ ବରସୁଆଁ ରେଞ୍ଜ ଅନ୍ତର୍ଗତ, ବରସୁଆଁ ଠାରୁ ଟେନସାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଘାଟି ରାସ୍ତାରେ ବନ୍ୟପ୍ରାଣୀଙ୍କ ନିମନ୍ତେ ନିର୍ମିତ ଓଡ଼ିଶାର ପ୍ରଥମ କାନୋପି ସେତୁ ଆଜି ଉଦଘାଟିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ଅରୁଣ କୁମାର ମିଶ୍ର ଯୋଗଦେଇ ଫିତା କାଟିବା ସହିତ ସେତୁର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଟେନସା(ସେଲ) ଲୌହ ଖଣିର ଜି, ଏମ୍ ଙ୍କ ସହିତ ଜିନ୍ଦଲ ଲୈହ ଖଣି ବିଭାଗର ମୁଖ୍ୟ ପ୍ରମୋଦ କୁମାର ପାତ୍ର, ରଜନିଶ ଚତୁର୍ବେଦୀ, ଅନୁପମ ନାୟକ ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ ।

ଏହି ଘାଟି ରାସ୍ତାଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ବେଳେ, ବିଭିନ୍ନ ସମୟରେ ସରୀସୃପ, ଗୁଣ୍ଡୁଚି ମୂଷା ତଥା ମାଙ୍କଡମାନେ ଭାରୀଯାନ ଦ୍ଵାରା ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣହାନି ଘଟୁଥିଲା । ଏ ସମସ୍ୟାର ସମାଧାନକୁ ଦୃଷ୍ଟିରେ ରଖି ମୁଖ୍ୟ ଅତିଥିଙ୍କ ପରିକଳ୍ପନାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ସେଲ୍ ର ସହଯୋଗରେ ପରିକ୍ଷା ମୂଳକ ଭାବେ ଏହାକୁ ନିର୍ମିତ କରାଯାଇଛି । ଯଦ୍ଵାରା କି ଆଗାମୀ ଦିନରେ ରାସ୍ତା ଅତିକ୍ରମ କରିବା ସମୟରେ ପ୍ରାଣହାନି ଘଟୁଥିବା ସରୀସୃପ, ଗୁଣ୍ଡୁଚି ମୂଷା, ମାଙ୍କଡ ଇତ୍ୟାଦି ରାସ୍ତା ଅତିକ୍ରମ ନକରି କାନୋପି ସେତୁରେ ଏ ପାଖରୁ ସେ ପାଖକୁ ଉପରେ ଚଳ ପ୍ରଚଳ କରିବା ଦ୍ୱାରା ଯାନବାହାନ ଦ୍ଵାରା ପ୍ରାଣହାନି ଘଟୁଥିବା ବନ୍ୟଜୀବମାନେ ମୃତ୍ୟୁ ମୂଖରୁ ରକ୍ଷା ପାଇପାରିବେ ବୋଲି ଆଞ୍ଚଳିକ ମୁଖ୍ୟ ସଂରକ୍ଷକ ପ୍ରକାଶ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଣାଇର ଅତିରିକ୍ତ ବନ ସଂରକ୍ଷକ ସମୀର ପ୍ରକାଶ ତିର୍କି, ଵରସୁଆଁ ରେଞ୍ଜ ଅଧିକାରୀ ନବୀନ ଚନ୍ଦ୍ର ପ୍ରଧାନ, ଫରେଷ୍ଟର କୈାଳାସ କିସାନଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ଉପସ୍ଥିତ ରହିଥିଲେ ।
