ପୁରୀ : ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି । ଅନୁକୂଳ ପାଗ ଯୋଗୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି । ସଞ୍ଜ ନଇଁଲେ ମେଳା ପରିସର ଲୋକାରଣ୍ୟ ପାଲଟୁଛି । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ପରେ ମେଳା ବୁଲି କିଣାକିଣି କରିବା ପରେ ରାସ୍ତାକଡ଼ରେ ଖୋଲିଥିବା ଖାଦ୍ୟ ଷ୍ଟଲ୍ରୁ ଚଟପଟି ଖାଦ୍ୟ ଖାଉଛନ୍ତି । ହେଲେ ଅଧିକାଂଶ ଚାଟ୍ ଓ ଜଳଖିଆ ଦୋକାନୀ ବାସି ଖାଦ୍ୟ ବିକ୍ରି କରୁଛନ୍ତି । ଠେଲାରେ ବିକ୍ରି ହେଉଥିବା ଖଜାରେ ମାଛି ଭଣଭଣ ହେଉଥିଲେ ହେଁ ସାଧାରଣ ଭକ୍ତଙ୍କୁ ସେଇ ଖଜା ବିକ୍ରି କରାଯାଉଛି । ବାରମ୍ବାର ତାଗିଦ୍ ପରେ ବି ବ୍ୟବସାୟୀମାନେ କର୍ଣ୍ଣପାତ କରୁନାହାନ୍ତି । ଖଜା ପାଇଁ ପ୍ରସିଦ୍ଧି ଥିବାରୁ ଲୋକେ ଖଜା କିଣି ନେଉଥିଲେ ହେଁ ଅନେକ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ରଥଯାତ୍ରାରେ ଖାଦ୍ୟ ଓ ପାନୀୟର ମାନ ଯାଞ୍ଚ ପାଇଁ ୧୫ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନେଇ ଗଠିତ ୩ଟି ଟିମ୍ ଦାୟିତ୍ବ ନେଇଛନ୍ତି । ମାତ୍ର ନାକଚଣା ମନ୍ଦିର ସମ୍ମୁଖରେ ଧାଡ଼ିଧାଡ଼ି ହୋଇ ବିକ୍ରି ହେଉଥିବା ଖଜା ଡାଲାରେ ଜାଲି ଘୋଡ଼ା ଯାଉନାହିଁ । କେବଳ ଯେ ମାଛି ବସୁଛନ୍ତି, ତାହା ନୁହେଁ ବରଂ ରାସ୍ତାକଡ଼ରେ ଲକ୍ଷଲକ୍ଷ ଭକ୍ତଙ୍କ ଯା’ଆସ ଭିତରେ ଧୂଳି ଉଡ଼ି ଖଜାରେ ମିଶୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଖୋଲାମେଲାରେ ବିକ୍ରି କରୁଥିବା ଖଜା ଦୋକାନୀଙ୍କୁ କିଛିଦିନ ତଳେ ତାଗିଦ୍ କରାଯାଇଥିଲା । ଖଜାକୁ ଜାଲି ମାଧ୍ୟମରେ ଘୋଡ଼ାଇ ରଖିବା ସହ ପଞ୍ଜୀକରଣ ପ୍ରମାଣପତ୍ର ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ପରବର୍ତ୍ତୀ ସମୟରେ ଚଢ଼ଉ ବେଳେ ଯେଉଁ ବ୍ୟବସାୟୀମାନେ ନିୟମ ଅନୁସରଣ କରିନଥିବେ, ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ମାତ୍ର ତାହା ହେଲା ନାହିଁ । ଫଳରେ ଅନେକ ଭକ୍ତ ଦର୍ଶନ କରି ଫେରିବା ବେଳେ ପୁରୀର ପ୍ରସିଦ୍ଧ ଖଜା କିଣି ନେବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ସ୍ବଚ୍ଛତାକୁ ଧ୍ୟାନ ଦେଉନଥିବାରୁ ଅନେକ ନାକ ଟେକୁଛନ୍ତି ।
କେବଳ ଖଜା ଦୋକାନୀ ନୁହଁନ୍ତି, କିଛି ବ୍ୟକ୍ତି ଚାଟ୍, ଚାଓମିନ୍ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିଲେ ହେଁ ଦୋକାନ ସମ୍ମୁଖ ଭାଗକୁ ଜରି ଦ୍ବାରା ଢାଙ୍କୁ ନାହାନ୍ତି । କେହି ବି ଏହି ନିୟମ ପାଳନ କରୁନାହାନ୍ତି । ଗତକାଲି ଏକ ଦୋକାନରେ ବାସି ପିଆଜି ଓ ଉପମାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଯାଞ୍ଚ ହେଉନଥିବାରୁ ବ୍ୟବସାୟୀମାନେ ଜିନିଷ ବଳିପଡ଼ିଲେ ସେସବୁକୁ ଫ୍ରିଜ୍ରରେ ସାଇତି ରଖି ପରଦିନ ବିକ୍ରି କରୁଛନ୍ତି । ଯେଉଁମାନେ ଖାଦ୍ୟ ଖାଇବା ପରେ ଜାଣିପାରୁଛନ୍ତି ଯୁକ୍ତିତର୍କ କରୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନିୟମିତ ଯାଞ୍ଚ ହେଉନଥିବାରୁ ବ୍ୟବସାୟୀମାନେ ସଚେତନ ହେଉନାହାନ୍ତି । ଲାଭଖୋର ମନୋଭାବ ରଖି ଲୋକଙ୍କୁ ଅଖାଦ୍ୟ ପରସିବାକୁ ବି ପଛାଉନାହାନ୍ତି । ଅନ୍ୟ ପକ୍ଷରେ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଖାଦ୍ୟର ମାନ ଯାଞ୍ଚ କରି ଚେତାବନୀ ଦେଉଥିଲେ ବି ଅନେକ ବ୍ୟବସାୟୀ ଫାଇନ୍ ଦେଇଦେବା ପରେ ପୁଣି ଯଥା ପୂର୍ବଂ ତଥା ପର ନୀତି ଆପଣାଉଛନ୍ତି । ଏବେ ଗୁଣ୍ଡିଚା ମନ୍ଦିର ଠାରୁ ବଡ଼ଶଙ୍ଖ ଯାଏ ବ୍ୟାପକ ଭିଡ଼ ଜମୁଥିବାରୁ, ଅନ୍ତତଃ ଏହି ଅଞ୍ଚଳ ମଧ୍ୟରେ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ନିୟମିତ ଯାଞ୍ଚ କରନ୍ତୁ ବୋଲି ପର୍ଯ୍ୟଟକମାନେ ଦାବି କରିଛନ୍ତି ।
