ପୁରୀ : ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି । ରଥାରୂଢ଼ ପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି । ଏଣେ ରଥଯାତ୍ରା ପରିପ୍ରେକ୍ଷୀରେ ଆରମ୍ଭ ହୋଇଯାଇଛି ମେଳା । ଗୁଣ୍ଡିଚା ମନ୍ଦିର ନିକଟରୁ ନେଇ ବଡ଼ଶଙ୍ଖ ପର୍ଯ୍ୟନ୍ତ ପଡ଼ିଥିବା ଷ୍ଟଲ୍ ସମେତ ପଲ୍ଲିଶ୍ରୀ ମେଳାରେ ବିକ୍ରିବଟା ଆରମ୍ଭ ହୋଇଛି । ରାସ୍ତାକଡ଼ରେ ବି ବ୍ୟବସାୟୀଙ୍କ ଭିଡ଼ ଜମିଛି । ତେବେ ରାଜସ୍ଥାନରୁ ଆସିଥିବା କିଛି ବଞ୍ଜାରା ଶିଶୁଙ୍କୁ ବେଲୁନ ଓ ଖେଳଣା ବିକ୍ରି କରୁଛନ୍ତି । ଏନେଇ ସମ୍ପୃକ୍ତ ଶିଶୁମାନଙ୍କୁ ପଚାରିବାରେ ଜଣାପଡ଼ିଛି, ସେମାନଙ୍କ ପିତାମାତାମାନେ ହିଁ ସେମାନଙ୍କ ହାତରେ ବେଲୁନ କିମ୍ବା ଖେଳଣା ଧରାଇ ବିକ୍ରି ପାଇଁ ପଠାଇଛନ୍ତି । ଗୋଟେ ପଟେ ଶିଶୁ ଯତ୍ନ ଓ ସୁରକ୍ଷା ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ବିଭିନ୍ନ ଷ୍ଟଲ୍ରେ ଶିଶୁ ଶ୍ରମିକ ବିରୋଧରେ ସଚେତନତା କରାଯାଉଛି । ହେଲେ ଘନଘନ ସଚେତନ କରାଯାଉଥିବା ମେଳା ମଧ୍ୟରେ ପିଲାମାନେ ନିଜ ପେଟକୁ ଦାନା ଯୋଗାଡ଼ିବାକୁ ପସରା ମେଲାଇବାକୁ ବାଧ୍ୟ ହେଉଛନ୍ତି । କେବଳ ବଞ୍ଜାରାମାନେ ନୁହଁନ୍ତି, ବରଂ ନିଜ ସମ୍ପର୍କୀୟଙ୍କ ସାଙ୍ଗରେ କିଛି ଶିଶୁ ଦୀପ ବିକ୍ରି କରୁଛନ୍ତି । ଭକ୍ତମାନଙ୍କ ପଛରେ ଦୌଡ଼ି ସେମାନଙ୍କୁ ଦୀପ କିଣିନେବାକୁ ନିବେଦନ କରୁଛନ୍ତି । ଶିଶୁଙ୍କ କ୍ଷେତ୍ରରେ ଏଭଳି ବିକଳ ଚିତ୍ର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁଠି ପିଲାଙ୍କ ହାତ ଧରି ଶିଶୁମାନେ ରଥଯାତ୍ରା ମେଳା ବୁଲି ଉପଭୋଗ କରୁଛନ୍ତି, ସେଠାରେ କିଛି ଶିଶୁ ସେମାନଙ୍କ ପରିବାର ସହ ପେଟ ପାଇଁ ସଂଘର୍ଷ କରୁଛନ୍ତି । କିଛି ବଞ୍ଜାରା ଶିଶୁଙ୍କ କହିବା ମୁତାବକ, ସେମାନେ ରଥଯାତ୍ରା ପୂର୍ବରୁ ନିଜ ପିତାମାତାଙ୍କ ସାଙ୍ଗରେ ଆସି ରୁହନ୍ତି । ନିଜ ଅଞ୍ଚଳର ସ୍କୁଲ୍ରେ କିଛି ପିଲା ପାଠ ମଧ୍ୟ ପଢ଼ନ୍ତି ବୋଲି କହୁଛନ୍ତି । ମାତ୍ର ରଥଯାତ୍ରାରେ ଯେ ସେମାନେ ନିଜ ପେଟ ଚାଖଣ୍ଡକ ପାଇଁ ଶ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ତାହା ସ୍ପଷ୍ଟ ଅନୁମେୟ ।
ଗତକାଲି ପୁଲିସ୍ ୫ ଜଣ ବଞ୍ଜାରା ଶିଶୁଙ୍କୁ ବିକ୍ରିବଟା କରୁଥିବା ବେଳେ ଉଦ୍ଧାର କରି ନେଇ ଶିଶୁ ଯତ୍ନ ଅନୁଷ୍ଠାନକୁ ହସ୍ତାନ୍ତର କରିଥିଲେ । ମାତ୍ର କିଛି ସମୟ ପରେ ସେମାନଙ୍କ ପିତାମାତା ଆସି ସେମାନଙ୍କୁ ନେଇ ଯାଇଥିଲେ । କେବଳ ଚେତାବନୀ ଦେଇ ଛାଡ଼ିବା ଛଡ଼ା ଅନ୍ୟ ନ୍ୟାୟିକ ପଦକ୍ଷେପ ନେବାରେ ଯେମିତି ପୁଲିସ୍ ଓ ସରକାରୀ ବ୍ୟବସ୍ଥା ନାଚାରା ହୋଇ ପଡ଼ିଛି । ଥାନା ବାବୁଙ୍କ ତାଗିଦ୍ ଓ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ କାଉନ୍ସେଲିଂ ସତ୍ତ୍ବେ ସେମାନେ ପୁଣି ନିଜ ପିଲାମାନଙ୍କୁ ବ୍ୟବସାୟରେ ସମ୍ପୃକ୍ତ କରୁଛନ୍ତି ।
