ବାଲିଆପାଳ : ବାଲିଆପାଳ ବ୍ଲକର ବାଲିଆପାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡ଼ିଆରେ ସରକାରଙ୍କ ପକ୍ଷରୁ ନୂଆ ବସଷ୍ଟାଣ୍ଡ ନିର୍ମାଣକୁ କେନ୍ଦ୍ର କରି ଉପୁଜିଥିବା ଉତ୍ତେଜନା ଦିନଙ୍କୁ ଦିନ ନୂଆ ମୋଡ଼ ନେଉଛି । କେତେକ ବସ ଷ୍ଟାଣ୍ଡକୁ ବିରୋଧ କରୁଥିବା ବେଳେ ଏବେ ବାଲିଆପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ବନଲତା ଦାସଙ୍କ ନେତୃତ୍ୱରେ ବାଲିଆପାଳ ପଞ୍ଚାୟତବାସୀ ଏକ ହେବାରେ ଲାଗିଛନ୍ତି । ଖେଳ ପଡ଼ିଆରେ ସୋମବାର ବସଷ୍ଟାଣ୍ଡ କାର୍ଯ୍ୟ ଚାଲୁ ଥିବା ବେଳେ କଂଗ୍ରେସ ନେତା ବିଜନ ନାୟକଙ୍କ ନେତୃତ୍ୱରେ ବନ୍ଦ କରିବା ପାଇଁ ସୋମବାର କିଛି ବିରୋଧିଙ୍କୁ ନେଇ ବିରୋଧି ପରିଚାଳନା କମିଟି ଗଠନ କରିଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ଦାସଙ୍କ ନେତୃତ୍ବରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଶ୍ରୀ ଦାସ ବାଲିଆପାଳ ପଞ୍ଚାୟତବାସୀନଙ୍କୁ ଏକ କରି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ।
