ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ଥାନା ଭିତରେ ରବିବାର ଦିନ କାର୍ଯ୍ୟରତ ମହିଳା ପୁଲିସ ସବ୍ ଇନ୍ସେପେକ୍ଟରଙ୍କୁ ଜଣେ ମହିଳା ମାଡ଼ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି । ପୁଲିସ ଆକ୍ରମଣକାରୀ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ମହିଳା ଏସ୍.ଆଇ ହେଲେ, ମମତା ବିଶ୍ବାଳ । ଗୋପ ଗ୍ରାମର ଏକ ଜମିବାଡ଼ି ବିବାଦ ମାମଲାରେ ସେ ଉଭୟ ପକ୍ଷଙ୍କୁ ଥାନାକୁ ଡାକିଥିଲେ । ଗୋପ ଗ୍ରାମ ନିବାସୀ ଭାସ୍କର ପଲାଇ ଓ ଅପରପକ୍ଷର ଆରତୀ ପରିଡ଼ାଙ୍କ ଠାରୁ ପୁଲିସ ଅଧିକାରୀ ଶ୍ରୀମତୀ ବିଶ୍ବାଳ ଜମିବାଡ଼ି ବିବାଦ ଘଟଣା ସଂପର୍କରେ ପଚାରି ବୁଝୁଥିଲେ । ବୁଝାସୁଝା ସମୟରେ ଆରତୀ ହଠାତ୍ ଉତ୍କ୍ଷିପ୍ତ ହୋଇ ପୁଲିସ ଏସ୍.ଆଇ ମମତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ଚୁଟିକୁ ଭିଡ଼ି ଆଣି ମାଡ଼ ମାରିଥିଲେ । ଥାନାରେ ଉପସ୍ଥିତ ଅନ୍ୟ ପୁଲିସ କର୍ମଚାରୀମାନେ ଏସ୍.ଆଇ ମମତାଙ୍କୁ ଆକ୍ରମଣକାରୀ ମହିଳା ଆରତୀଙ୍କ କବଳରୁ ମୁକୁଳାଇଥିଲେ । ଏସ୍.ଆଇ ବିଶ୍ବାଳଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା (୨୩୯/୨୨) ରୁଜୁ କରି ଆକ୍ରମଣକାରୀ ମହିଳା ଆରତୀ ପରିଡ଼ାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଥି ସହିତ ଆରତୀଙ୍କ ପରିବାରର ରାଜେନ୍ଦ୍ର ପରିଡ଼ା ଓ ଜୟନ୍ତୀ ପରିଡ଼ାଙ୍କୁ ମଧ୍ୟ ଜମିବାଡ଼ି ମାମଲାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି ।
