ଜୋତା, ଗାଡ଼ି ଷ୍ଟାଣ୍ଡ୍‌ରେ ଫି’ ଜୁଲୁମ, ପୁରୀରେ ଭକ୍ତଙ୍କ ଠାରୁ ଅସୁଲ ହେଲା ଚଢ଼ା ଦର

ପୁରୀ : ଯାହା ଆଶଙ୍କା କରାଯାଉଥିଲା, ସେୟା ହେଲା । ଜୋତା ଓ ମୋବାଇଲ୍‌ ରଖିବା ପାଇଁ ଭକ୍ତଙ୍କ ଠାରୁ ଚଢ଼ା ଦର ଅସୁଲ ହେଲା । ବିଡ଼ମ୍ବନା ଏହି ଯେ ମୁକ୍ତାକାଶ ରଙ୍ଗମଞ୍ଚ ସୂଚନା କେନ୍ଦ୍ର ନିକଟରେ ଥିବା ଜୋତା ଷ୍ଟାଣ୍ଡରେ ନିର୍ଦ୍ଧାରିତ ଦର ଠୁ ୫ ଗୁଣା ଫି’ ଅସୁଲ ହେଉଥିଲେ ହେଁ ପ୍ରଶାସନ ନାଚାର ପାଲଟି ଯାଇଥିଲା । ଜୋତା ପାଇଁ ୫ ଟଙ୍କା, ମୋବାଇଲ୍‌ ଓ ବ୍ୟାଗ୍‌ ରଖିବା ପାଇଁ ୧୦ ଟଙ୍କା ରୁ ଅଧିକ ଦିଅ ନାହିଁ ବୋଲି ଭକ୍ତମାନଙ୍କୁ ସୂଚନା କେନ୍ଦ୍ରରେ ସଚେତନ କରାଯାଉଥିଲା । ଅଥଚ ସେଇଠୁ ଦଶ ପାଦ ଦୂରରେ ମୋବାଇଲ୍‌ ରଖିବା ପାଇଁ କାହାଠୁ ୩୦ ଟଙ୍କା ତ କାହାଠୁ ୫୦ ଟଙ୍କା ଅସୁଲ କରାଯାଉଥିଲା ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରଥଯାତ୍ରାରେ ‌ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜୋତା ଷ୍ଟାଣ୍ଡ ନିଲାମ କରାଯାଇଥିଲା । ଏହି ସମୟରେ ଜୋତା ପାଇଁ ୫ ଟଙ୍କା, ମୋବାଇଲ୍‌ ରଖିବା ପାଇଁ ୧୦ ଟଙ୍କା ଓ ବ୍ୟାଗ୍‌ ରଖିବା ପାଇଁ ୧୦ ଟଙ୍କା ସ୍ଥିର କରାଯାଇଥିଲା । ଗୁଣ୍ଡିଚା ମନ୍ଦିରର ଚତୁଃପାର୍ଶ୍ବରେ ୬ ରୁ ଅଧିକ ଜୋତା ଷ୍ଟାଣ୍ଡ କରାଯାଇଛି । ମାତ୍ର ସୂଚନାକେନ୍ଦ୍ର ସଂଲଗ୍ନ ଜୋତା ଷ୍ଟାଣ୍ଡର ଅଧିକ ଚାହିଦା ରହିଥିଲା । ଭକ୍ତମାନେ ସେଇବାଟ ଦେଇ ଦର୍ଶନ ପାଇଁ ବ୍ୟାରିକେଡ୍‌ରେ ଗୁଣ୍ଡିଚା ମନ୍ଦିରକୁ ଯାଉଥିବାରୁ ଅଧିକାଂଶ ଭକ୍ତ ସେଇଠାରେ ଜୋତା, ମୋବାଇଲ୍‌ ରଖିବା ପାଇଁ ଭିଡ଼ ଜମାଇଥିଲେ । ଏହାର ଫାଇଦା ଉଠାଇଥିଲେ ଜୋତା ‌ଷ୍ଟାଣ୍ଡର କର୍ମକର୍ତ୍ତାବୃନ୍ଦ । କାହା ଠାରୁ ମୋବାଇଲ୍‌ ରଖିବା ପାଇଁ ୩୦ ତ କାହା ଠାରୁ ବ୍ୟାଗ୍‌ ରଖିବା ପାଇଁ ୫୦ ଟଙ୍କା ନେଉଥିଲେ । ତେଣୁ ଏନେଇ ବହୁ ଭକ୍ତ ଆସି ସୂଚନା କେନ୍ଦ୍ରରେ ଅଭିଯୋଗ କରିଥିଲେ । ସେଠାରେ କିଛି ସମୟ‌ ପରେ ପୌରପାଳିକାର ଏଇଓ ମନୋଜ ବେହେରା ପହଞ୍ଚି ମାଇକ୍ରୋଫୋନ ଧରି ଧାର୍ଯ୍ୟ ମୂଲ୍ୟ ବାବଦରେ ସଚେତନ କରାଇଥିଲେ । ଅଧିକ ଦର ଅସୁଲ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ କଳା ତାଲିକା ଭୁକ୍ତ କରାଯିବ ବୋଲି କହିଥିଲେ । ମାତ୍ର ସେତିକିରେ ସେ ଦାୟିତ୍ବ ସାରି ଚାଲିଯାଇଥିଲେ । ତେଣୁ ଭକ୍ତଙ୍କ ଉପରେ ଜୁଲୁମ କମିନଥିଲା । ଭକ୍ତମାନେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ଅଧିକାରୀ ଶୁଣିବାକୁ ନଥିବାରୁ କାନମୁଣ୍ଡା ଆଉଁଶି ଫେରୁଛୁ ବୋଲି ନୟାଗଡ଼ର ସଂଘମିତ୍ରା ସ୍ବାଇଁ କହିଛନ୍ତି ।

କେବଳ ସେତିକି ନୁହେଁ, ବାଇକ୍‌ ଓ ଚାରିଚକିଆ ଗାଡ଼ି ଷ୍ଟାଣ୍ଡ୍‌ରେ ଗାଡ଼ି ରଖିବା ପାଇଁ ମଧ୍ୟ ଦର ଧାର୍ଯ୍ୟ ହୋଇ ନିଲାମ ଦିଆଯାଇଥିଲା । ଚାରିଚକିଆ ଯାନ ରଖିଲେ ୫୦ ଟଙ୍କା ପାର୍କିଂ ଫି ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା । ଅଥଚ କିଛି ବ୍ୟକ୍ତିବିଶେଷଙ୍କ ଠାରୁ ଚାରିଚକିଆ ପାର୍କିଂ ପାଇଁ ୧୦୦ ଟଙ୍କା ଅସୁଲ କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସିଦ୍ଧମହାବୀର ପାର୍କିଂ ହେଲିପ୍ୟାଡ୍‌ ଓ ମା’ ଜାଗୁଳାଇ ପାର୍କିଂ ଭୂଦାନ ପଡ଼ିଆରୁ ୧୦୦ ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ବ‌େଳେ ସେହି ରସିଦରେ ବି ୧୦୦ ଟଙ୍କା ପାର୍କିଂ ଫି‌ ବୋଲି ଲେଖାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜୋତା ଷ୍ଟାଣ୍ଡ ଓ ପାର୍କିଂ ଷ୍ଟାଣ୍ଡରେ ନିର୍ଦ୍ଧାରିତ ରେଟ୍‌ ଚାର୍ଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କେଉଁଠାରେ ବି ଧାର୍ଯ୍ୟ ଦର ତାଲିକା ଲଗାଯାଇନାହିଁ । ତେଣୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ଦେଖିବାକୁ ମିଳିଛି । କିଛି ଭକ୍ତ ନିଜ ରସିଦର ଫଟୋ ସୋସିଆଲ ମିଡିଆରେ ସେୟାର କରି ପ୍ରଶାସନର ନିଷ୍କ୍ରିୟତା ବାବଦରେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଅନ୍ତତଃ ବାକି ୬ ଦିନ ଭକ୍ତଙ୍କୁ ଶୋଷଣ ନକରିବା ପାଇଁ ଭକ୍ତମାନେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *