ଚାଲିଛି ଅବାଧ ଗୋଚାଲାଣ, ମାଫିଆଙ୍କ ଚ୍ୟାଲେଞ୍ଜକୁ ସାମ୍‌ନା କରିପାରୁନି ପୁଲିସ

ବାଲେଶ୍ବର : ଅବାଧ ଗୋଚାଲାଣର ମୁକୁଳା ଦ୍ବାର ଭାବେ ବାଲେଶ୍ବର ଜିଲ୍ଲା ସବୁବେଳେ ଅପବାଦ ମୁଣ୍ଡାଉଛି । ପାଟି  ଖୋଲିଲେ ଗୋ ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି । ନା ପୁଲିସ, ନା ଅଞ୍ଚଳବାସୀ କେହି ବର୍ତ୍ତୁନାହାନ୍ତି । ଗୋ ମାଫିଆମାନେ ‌ପୁଲିସକୁ ଚ୍ୟାଲେଞ୍ଜ ଦେଇ ସେମାନଙ୍କ କାରବାର ଚଳାଇଛନ୍ତି । ଏହା ଉପରେ ରୋକ ଲଗାଇବା ପାଇଁ ନା ବାଲେଶ୍ବର ଜିଲ୍ଲା ପ୍ରଶାସନ ନା ପୁଲିସ କେହି ତତ୍ପର ହେଉନି । ଏଥିରୁ ମାଫିଆଙ୍କ ଚ୍ୟାଲେଞ୍ଜକୁ ପୁଲିସ ସାମ୍‌ନା କରିପାରୁନଥିବା ସ୍ପଷ୍ଟ ହୋଇଛି । ଅଧିକାଂଶ ସମୟ‌ରେ ଗୋମାଫିଆଙ୍କ ସହ ସରକାରୀ ବାବୁମାନଙ୍କ ଭିତିରିଆ ସଲାସୁତୁରା ରହୁଥିବାରୁ ଖାଲି ନାଁକୁ କାଁଭାଁ କାର୍ଯ୍ୟାନୁଷ୍ଠାନ ହେଉଥିବା କୁହାଯାଉଛି । ଫଳରେ ସାଧାରଣ ଜନତା ତଥା ତଳିଆ ପୁଲିସ କର୍ମଚାରୀମାନେ ଗୋରୁଗାଡ଼ି ଜବତ ବେଳେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ଉଠୁଛି ।

ଗୁରୁବାର ବିଳମ୍ବିତ ରାତିରେ ବସ୍ତା ଥାନା ଅଞ୍ଚଳରେ ଏକ ଗୋରୁଗାଡ଼ି ଜବତ କରିବାକୁ ଯାଇଥିବା ଜଣେ ପୁଲିସକର୍ମୀଙ୍କୁ ଉକ୍ତ ଗାଡ଼ିର ଡ୍ରାଇଭର ମାରଣାସ୍ତ୍ରରେ ଆକ୍ରମଣ କରିଥିବାବେଳେ ପୁଲିସକର୍ମୀ ଜଣକ ଚଳନ୍ତାଗାଡ଼ିରୁ ତଳକୁ ଡିଆଁ ମାରି ଗୁରୁତର ଆହତ ହେବା ଘଟଣା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ । ସମ୍ପୃକ୍ତ ପୁଲିସକର୍ମୀ ଜଣକ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଏ ପର୍ଯ୍ୟନ୍ତ ଫେରାର ହୋଇଥିବା ଗୋରୁଗାଡ଼ି କିମ୍ବା ତା’ର ଡ୍ରାଇଭରକୁ ଗିରଫ କରାଯାଇନାହିଁ କି ବିଭାଗ ତରଫରୁ ଏହି ଘଟଣାକୁ ନେଇ କୌଣସି ତତ୍ପରତା ଦେଖାଯାଉନାହିଁ । ଫଳରେ ଅବାଧ ଗୋଚାଲାଣ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମାଫିଆଙ୍କ ସହ ଅଧିକାରୀମାନଙ୍କ ସଲାସୁତୁରା ଚାଲିଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି । ଏହି କାରଣରୁ ତଳିଆ ପୁଲିସ କର୍ମଚାରୀମାନେ ମଧ୍ୟ ଅନେକ ଅପରାଧିକ ଘଟଣାରେ ଚୁପ୍‌ ରହିବାକୁ ଏବେ ବାଧ୍ୟ ହେଉଥିବା କୁହାଯାଉଛି । ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ବରେ ୮ଟି ଥାନା ଏବଂ ୫ଟି ଫାଣ୍ଡି ରହିଥିବା ସତ୍ତ୍ବେ ଅବାଧ ଗୋଚାଲାଣ ଉପରେ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଆଖି ବୁଜିଦେଇଛି ।

ଖାଲି ଏତିକି ନୁହେଁ ଏନେଇ ବିଭିନ୍ନ ସମୟରେ‌ ଲୋକ ପ୍ରତିନିଧି ଓ ସଂଗଠନ ତରଫରୁ ଜିଲ୍ଲାର ଏସ୍‌ପି ଓ ଆଇଜିଙ୍କୁ ଭେଟି ଅବଗତ କରିବା ସହ ଲିଖିତ ଅଭିଯୋଗ କରାଯାଇଛି । ହେଲେ ଏକ୍ଷେତ୍ରରେ ସେମାନଙ୍କ ତରଫରୁ କୌଣସି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇନଥିବା ଜଣାଯାଇଛି । ଏଥିସହ ଜିଲ୍ଲା ଦେଇ ଅବାଧ ଗୋଚାଲାଣର ରିପୋର୍ଟକୁ ଯଦି ଅନୁଧ୍ୟାନ କରାଯିବ ତା’ହେଲେ ଏମିତି କୌଣସି ଦିନ ନଥିବ ଯେଉଁଦିନ ବାଲେଶ୍ବର ଜିଲ୍ଲା ଦେଇ ଶତାଧିକ ଗୋରୁମାନଙ୍କୁ ଅତି ଅମାନୁଷିକ ଭାବେ ବାହାର ରାଜ୍ୟକୁ ଚାଲାଣ କରାଯାଇନଥିବ ।

ଏପରିକି ଯେଉଁ ସମୟରେ କରୋନା ସଂକ୍ରମଣ ଉପରକୁ ଉଠିଥିଲା ଏବଂ ବାହାର ରାଜ୍ୟକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ରହିଥିଲା ସେତେବେଳେ ମଧ୍ୟ ଜାତୀୟ ରାଜପଥ ଦେଇ ଶହଶହ ସଂଖ୍ୟାରେ ଅବାଧ ଗୋଚାଲାଣ ହୋଇଥିବ‌ା ଦେଖାଯାଇଥିଲା । ୨୦୨୧ ମସିହା ଫେବ୍ରୁଆରି ୨୧ ତାରିଖ ଭୋର୍‌ ସମୟରେ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ସହ ଏକ  ଦୁର୍ଘଟଣାଗସ୍ତ ‌ହୋଇ ୩୫ ରୁ ଊର୍ଦ୍ଧ୍ବ ଗୋରୁଙ୍କର ମୃତ୍ୟୁ ହୋଇଥିଲା ଗାଡ଼ି ଭିତରେ ଚାପି ହୋଇ ୩ ଜଣ ଗୋରୁ ଦଲାଲଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । କଣ୍ଟେନରରେ ଗୋରୁ ବୋଝେଇ କରି ଦ୍ରୁତ ଯାଉଥିବା ଏହି ଗାଡ଼ିଟି ସେଠାରେ ଏକ ବୋଲେରୋକୁ ଧକ୍କା ଦେବା ସହ ୩୦ ଫୁଟ ତଳକୁ ଓଲଟି ପଡ଼ିଥିଲା । ଏ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକଙ୍କ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ଦେଇ ବେଆଇନ ଗୋଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଥିଲେ । ଏହାପ‌ରେ ତତ୍କାଳୀନ ଜିଲ୍ଲାପାଳ, ଏସ୍‌ପି ଏବଂ ଆଇଜି ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗୋମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଏ ଘଟଣାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୋଚାଲାଣ ନେଇ ପୁଲିସ ପ୍ରଶାସନର ସ୍ଥାଣୁତା ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ ।

ଶ୍ରୀ ଷଡ଼ଙ୍ଗୀ ରାଜ୍ୟରେ ବଢୁଥିବା ବେଆଇନ ଗୋଚାଲାଣ ଉପରେ ରୋକ ଲଗାଇବା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ଗୋହତ୍ୟା ନିବାରଣ ଆଇନ, ପଶୁ କ୍ରୁରତା ନିବାରଣ ଆଇନ ଓ ପଶୁଚାଲାଣ ଅଧିନିୟମର ଖୋଲାଖୋଲି ଉଲଂଘନ ହେଉଥିବା ଉଲ୍ଲେଖ କରିଥିଲେ । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟର ଖୋଲା ଉଲ୍ଲଂଘନ କରି ଅବିରତ ଗୋଚାଲାଣ ଓ ଗୋହତ୍ୟା ଚାଲୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବ‌ା ସହ ପ୍ରଶାସନ ଏହି ଆଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ସାଂସଦ ଶ୍ରୀ ଷଡ଼ଙ୍ଗୀ । ଏହାପରେ ସିମୁଳିଆ ଠାରେ ଜାତୀୟ ରାଜପଥ ଉପରେ ଏକ ଅସ୍ଥାୟୀ କ୍ୟାମ୍ପ ପକାଇ ସଶସ୍ତ୍ର ପୁଲିସଙ୍କୁ ନିୟୋଜିତ କରାଗଲା । ଗୋଚାଲାଣ ମଧ୍ୟ କିଛିମାତ୍ରା‌େର କମିଲା । ହେଲେ ଏ‌ ବେ ସେଠାରେ ଆଉ ସଶସ୍ତ୍ର ପୁଲିସଙ୍କୁ ନିୟୋଜିତ କରାଯାଉନାହିଁ । ଫଳରେ ପୁଣିଥରେ ଗୋଚାଲାଣ ଲଗାତାର ଭାବେ ଜାତୀୟ ରାଜପଥ ପଟେ ବଢ଼ିବାରେ ଲାଗିଛି । ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଗୋଚାଲାଣ ଉପରେ ପୁଲିସ ପ୍ରଶାସନ ପୁଣିଥରେ ଆଖିବୁଜି ଦେଇଛି ।

ଫଳ ସ୍ବରୂପ ଜିଲ୍ଲାରେ ଏବେ ସ୍ଥିତି ଏପରି ହୋଇଛି ଯେ, ଅବାଧ ଗୋଚାଲାଣ ବେଳେ ପୁଲିସ ଅଭିଯୋଗ ପାଇବା ପରେ ଯାଇ ସ୍ପଟ୍‌କୁ ଯାଉଛି । ନହେଲେ ଜାତୀୟ ରାଜପଥକୁ ଯାଇ ଗୋମାଫିଆଙ୍କ ଠାରୁ ମୋଟାଅଙ୍କର ବଟି ନେଇ ସେମାନଙ୍କୁ ଛାଡ଼ି ଦିଆଯାଉଛି । ଅନ୍ୟଥା ଯେଉଁ ପୁଲିସ କର୍ମୀ ଗୋଚାଲାଣ ରୋକିବାକୁ ଟିକେ ତତ୍ପରତା ଦେଖାଉଛନ୍ତି ସେମାନେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଥିବା ଜଣାଯାଇଛି । ମାଫିଆଙ୍କ ସହ ବଡ଼ବାବୁମାନଙ୍କର ଏହି ସଲାସୁତୁରା ବିଭାଗରେ କାର୍ଯ୍ୟରତ ପୁଲିସକର୍ମୀଙ୍କର ମନୋବଳ ଦୁର୍ବଳ କରୁଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *