ଅନିଶ୍ଚିତତାରେ ୧୩୯୬ କୋଟିର ମଧ୍ୟ କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ : ସର୍ଭେକୁ ୧୬ ବର୍ଷ ବିତିଲା, ଆରମ୍ଭ ହୋଇପାରିଲାନି ନିର୍ମାଣ କାର୍ଯ୍ୟ

କୋରାପୁଟ : ପ୍ରକଳ୍ପ ପରେ ପ୍ରକଳ୍ପକୁ ଅନୁମତି ମିଳୁଛି । ହେଲେ ଏହାକୁ କାର୍ଯ୍ୟକାରୀ କରୁନାହିଁ ଜଳସମ୍ପଦ ବିଭାଗ । କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଛି, ହେଲେ କାର୍ଯ୍ୟ ହୋଇପାରୁନାହିଁ । ତୃଣମୂଳରେ ରହିଥିବା କର୍ମଚାରୀ ରାତିଦିନ ଏକ କରି ଭୂଖନନ ଠାରୁ ଆରମ୍ଭ କରି ଡିପିଆର ପ୍ରସ୍ତୁତର କରୁଥିବାବେଳେ କାର୍ଯ୍ୟରେ ଲଗାଉନାହିଁ ଜଳସମ୍ପଦ ବିଭାଗ । ଦୀର୍ଘ ବର୍ଷ ଧରି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁ ନଥିବାରୁ ସେହି ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ୧୬ ବର୍ଷ ବିତିଲାଣି । ଦୀର୍ଘ ବର୍ଷ ଧରି ଡିପିଆର ପ୍ରସ୍ତୁତ ଶେଷ ହୋଇଥିବାବେଳେ ବ୍ୟୟ ବରାଦ ମଧ୍ୟ ହୋଇଛି । ଏହାସହ କେନ୍ଦ୍ର ଜଙ୍ଗଲ ବିଭାଗ, ରାଜ୍ୟ ଜଙ୍ଘଲ ବିଭାଗ ସହ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମଧ୍ୟ ମିଳିସାରିଛି । ଏହାସହ ବର୍ଷ‌େ ହେବ ସର୍ଭେ କାର୍ଯ୍ୟ ସହ ଡିଗିଂ କାର୍ଯ୍ୟ ହିଁ ଶେଷ ହୋଇଥିବାବେଳେ ଆଗ‌େଇ ପାରୁନି ନିର୍ମାଣ କାର୍ଯ୍ୟ। ଆଉ ଏହା ଫଳରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଆଉ ଏକ ମେଗା ଜଳବିଦ୍ୟୁତ ପ୍ରକଳ୍ପ ନାଲି ଫିତା ତଳେ ଲଟକିଛି । ସେହି ପ୍ରକଳ୍ପ ହେଉଛି ମଧ୍ୟକୋଲବ ଜଳବିଦ୍ୟୁତ ପ୍ରକଳ୍ପ । ଏହି ପ୍ରକଳ୍ପ ମାଧ୍ୟମରେ କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାର ୩୦,୦୦୦ ହେକ୍ଟର ଜମିରେ ହସିବ ଫସଲ ଓ ସୁନାର ଧାନ । କୋରାପୁଟ ଜିଲ୍ଲାର ବୈପାରିଗୁଡା ଓ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ଶୁଖିଲା ପଡୁଥିବା ଜମିରେ ପାଣି ମାଡିବ ।

ଖାଲି ଯେ ପାଣି ମାଡିବ ତାହା ନୁହେଁ ଏହି ଠାରୁ ରାଜ୍ୟ ସରକାର ବର୍ଷିକ ୧୫୫୪ ମେଗା ୟୁନିଟ ବିଜୁଳି ମଧ୍ୟ ଉତ୍ପାଦନ କରାଯାଇ ପାରିବ । ତେବେ ବର୍ଷିକ ୧୭୭ ମେଗା ୱାଟର ବିଜୁଳି ପ୍ରାୟ ୨୮୫ ଏମଡବ୍ଲୁର ଟରବାଇନ୍ ପ୍ରତିଷ୍ଠା ହେଲେ ହୋଇପାରିବ । ଏହି ପ୍ରକଳ୍ପକୁ ରାଜ୍ୟ ସରକାର ୨୦୦୬ ମସିହାରେ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ସେହି ବର୍ଷ କେନ୍ଦ୍ର ସରକାର ଅନୁମତି ଦେଇଥିବାବେଳେ ଏଥିପାଇଁ ପ୍ରସ୍ତାବିତ ପ୍ରାୟ ୧୩୯୬.୭୭ କୋଟିର ବ୍ୟୟବରାଦ ହୋଇଥିଲା । କେନ୍ଦ୍ରୀୟ ଜଳ ଆୟୋଗ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୭-୧୮ ବର୍ଷରେ ୱାପକୋସ୍ (ଡବ୍ଲ୍ୟୁଏପିସିଓସି) ପକ୍ଷରୁ ଡିପିଆର ପ୍ରସ୍ତୁତ କରି ଉପସ୍ତାପନ କରିଥିବାବେଳେ ଏଥିରେ ତ୍ରୁଟି ଥିବା ଦର୍ଶାଇ ରାଜ୍ୟ ସରକାରଙ୍କୁ ଫେରାଇଥିଲେ ସିଡବ୍ଲୁସି । ପରେ ଏବେ ରାଜ୍ୟସରକାରଙ୍କ ପକ୍ଷରୁ ଏହି ସଂସ୍ଥା କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାହାଡ ପର୍ବତଘେରା ବୈପାରିଗୁଡା ଓ ମାଥିଲି ବ୍ଲକରେ ସର୍ଭେ କାର୍ଯ୍ୟ ପୁଣି ଥରେ ଆରମ୍ଭ କରି ଶେଷ କରିଦେଇଥିବା ଜଣାପଡିଛି । ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଃବସତି ଓ ଥଇଥାନ ପାଇଁ ମଧ୍ୟ ଅନୁମତି ନିଆଯାଇଥିବା ଜଣାପଡିଛି ।

ତେବେ ଏହି ପ୍ରକଳ୍ପ ଅନୁଯାୟୀ ଦୁଇଟି ଡ୍ୟାମ ଓ ଦୁଇଟି ବ୍ୟାରେଜ ନିର୍ମାଣ ହେବ । ପ୍ରଥମ ଡ୍ୟାମ୍ କୋରାପୁଟ ଜିଲ୍ଲାର କୋଲାବର ଉପନଦୀ କଶାବାଲ ଓ ମୋଉଲିଯୋଡି ନଦୀ ଉପରେ ଖାସିଗୁଡା ଗାଁ ନିକଟରେ ୫୪୦ ମିଟର ପୂର୍ଣ୍ଣ ଜଳଧାରଣ କ୍ଷମତା ବିଶିଷ୍ଟ ଡ୍ୟାମ (୭୧୯ ହେକ୍ଟର ବୁଡି ଅଂଚଳ), ଦ୍ୱିତୀୟ ଡ୍ୟାମ୍ କେରାପଦର ଗାଁ  ନିକଟ ଶାଖା ନଦୀ କେରାଯୋଡି ନାଳରେ ପ୍ରାୟ ୫୨୮ ମିଟର ପୂର୍ଣ୍ଣ ଜଳଧାରଣ କ୍ଷମତା ବିଶିଷ୍ଟ ଡ୍ୟାମ(୫୫୦ ହେକ୍ଟର ବୁଡି ଜମି) ରହିଛି । ସେହିପରି ଆମଲାଭଟ୍ଟା ଗାଁ ନିକଟ କୋଲାବ ନଦୀ ଉପରେ ୫୪୨ ହେକ୍ଟର ଜମି ଉପରେ ନିର୍ମାଣ ହେବ ଏକ ବ୍ୟାରେଜ ଏହାସହ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଡୁକାଗୁଡା ନିକଟରେ କେରାଯୋଡି ନଦୀ ଉପରେ ୨୬୦ ମିଟର ବିଶିଷ୍ଟ ଏକ ବ୍ୟାରେଜ ନିର୍ମାଣ ହେବାକୁ ପ୍ରସ୍ତାବ ରହିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏହି ଦୁଇ କଶାବାହାଲ ଓ କୋରା ଯୋଡି ନଦୀକୁ ଯୋଡିବାକୁ ଏକ ୨୪ କିଲୋମିଟର ବିଶିଷ୍ଟ ଭୂମଧ୍ୟ କେନାଲ ସଂଯୋଗ କରାଯିବ । ଏହା ମଧ୍ୟରେ ଏକ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଖୋଲାଯିବ । ଏହିଠାରୁ ସରକାର ବର୍ଷିକ ୧୫୫୪ ମେଗା ୟୁନିଟ ବିଜୁଳି ମଧ୍ୟ ଉତ୍ପାଦନ କରାଯାଇ ପାରିବ । ତେବେ ବର୍ଷିକ ୧୭୭ ମେଗା ୱାଟର ବିଜୁଳି ପ୍ରାୟ ୨୮୫ ଏମଡବ୍ଲୁର ଟରବାଇନ୍ ପ୍ରତିଷ୍ଠା ହେଲେ ହୋଇପାରିବ ।

ତେବେ ଏହି ପ୍ରକଳ୍ପ ପାଇଁ ତିନିଟି ପାହାଡକୁ ଡେଇଁ କ୍ୟାଚମେଣ୍ଟ ଅଞ୍ଚଳରେ ପହଞ୍ଚିବାକୁ ପଡିବ । କୋରାପୁଟ ଜିଲ୍ଲା ଜଳ ସମ୍ପଦ ଅନୁସନ୍ଧାନ ବିଭାଗ ଏନେଇ ପ୍ରଥମେ ସର୍ଭେ କାର୍ଯ୍ୟ ଶେଷ କରିଥିଲା । ଏହାସହ ଯେଉଁ ଅଂଚଳରେ ଡ୍ୟାମ ଓ ବ୍ୟାରେଜ ପ୍ରସ୍ତୁତ ହେବ ସେହି ଅଂଚଳରୁ ମାଟି ଓ ପଥରର ନମୁନା ସଂଗ୍ରହ କରାଯାଇଛି । ଏହି କ୍ୟାଚମେଂଟ ଅଂଚଳ ଭୂପୃଷ୍ଠ ଠାରୁ ପ୍ରାୟ ୨୦୦୦ ମିଟର ଉଚ୍ଚତାରେ ରହିଥିବା ତୀଖ ପାହାଡ ହେତୁ ଯାତାୟତରେ ବହୁ ସମସ୍ୟା ହେଉଥିବା ଜଣାପଡିଛି । ତେବେ ଏକାଧିକ ଥର ବିଭାଗ ଏହି ଅଂଚଳକୁ ଯାଇ ନମୂନା ସଂଗ୍ରହ କରିଥିବା ଜଣାପଡିଛି । ଏବେ ବର୍ଷାଦିନ ଆରମ୍ଭ ହୋଇଥିବାବେଳେ ଏହିଠାରେ କେତେ ବର୍ଷାଜଳ ରହୁଛି ତାହା ଦେଖିବାକୁ ମଧ୍ୟ ଯନ୍ତ୍ରୀମାନେ ଯାଉଥିବା ଜଣାପଡିଛି । କୋରାପୁଟ ଜଳସଂମ୍ପଦ ବିଭାଗର ସୂଚନା ଅନୁସାରେ ପ୍ରକଳ୍ପ ହେଉଛି ମଧ୍ୟ ଉପର କୋଲବ ପ୍ରକଳ୍ପ । ଏହି ପ୍ରକଳ୍ପ ମାଧ୍ୟମରେ କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାର ୩୦,୦୦୦ ହେକ୍ଟର ଜମିରେ ହସିବ ଫସଲ ଓ ସୁନାର ଧାନ । କୋରାପୁଟ ଜିଲ୍ଲାର ବୈପାରିଗୁଡା ଓ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ଶୁଖିଲା ପଡୁଥିବା ଜମିରେ ମାଡି ମାଡିବାସହ ଏହିଠାରୁ ରାଜ୍ୟ ସରକାର ବର୍ଷିକ ୧୫୫୪ ମେଗା ୟୁନିଟ ବିଜୁଳି ମଧ୍ୟ ଉତ୍ପାଦନ କରାଯାଇ ପାରିବେ ବୋଲି କତ୍ତୃପକ୍ଷ କହିଛନ୍ତି ।

Leave a Reply

Your email address will not be published. Required fields are marked *