ଶୁଣିଲାନି ସରକାର, ଶେଷରେ ନିଜର ଶ୍ରମ ଓ ଅର୍ଥ ଦାନରେ ଗାଁ ଲୋକେ ତିଆରି କଲେ କାଠ ପୋଲ

କେନ୍ଦୁଝର : ସରକାର ଶୁଣିଲେନି । ଗାଁ ଲୋକେ ମିଶି ତିଆରି କଲେ କାଠ ପୋଲ । ସରକାର ସମସ୍ତ ଗ୍ରାମ/ସାହିକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି । ହେଲେ କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତା ସୁବିଧା ପାଇ ପାରୁନାହାନ୍ତି । ବିଶେଷକରି ବର୍ଷା ଦିନରେ ଅଧିକ ସମସ୍ୟା ଭୋଗୁଛନ୍ତି । ତେଲକୋଇ ବ୍ଲକ ଅଞ୍ଚଳରେ ଏବେ ବି ଏଭଳି ଏକ ଗ୍ରାମ ରହିଛି, ଯେଉଁଠିକୁ ସବୁଦିନିଆ ରାସ୍ତା ପାଇଁ ପ୍ରଶାସନ ନିକଟରେ ଲୋକେ ବାରମ୍ବାର ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ।

ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଅର୍ଥ ଓ ଶ୍ରମଦାନରେ କଙ୍କ୍ରିଟ ଓ କାଠର ପୋଲ ନିର୍ମାଣ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେଲକୋଇ ବ୍ଲକ ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ଦାମଦରଗୌଣୀ ଗ୍ରାମରେ ହନୁମନ୍ତିଆ ନାଳ ପ୍ରବାହିତ ହେଉଛି । ବଣପାହାଡ ଅଞ୍ଚଳ ହୋଇଥିବାରୁ ବର୍ଷ ତମାମ ପାଣି ରହୁଥିବାବେଳେ ବର୍ଷା ଦିନେ ପାହାଡ ଓ ଜଙ୍ଗଲ ପାଣି ପ୍ରବାହିତ ହୋଇ ପ୍ରଖର ହୋଇଯାଏ । ଏହି ପୋଲ ଉପରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ପ୍ରାୟ ୮ ରୁ ୧୦ ଗାଁ ଲୋକେ ନିର୍ଭର କରୁଛନ୍ତି । ଏଠାରେ ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ ନଶୁଣିବାରୁ ସ୍ଥାନୀୟ ଲୋକେ ନିଜେ ଏହି ପୋଲ ନିର୍ମାଣ କରିଛନ୍ତି । କଙ୍କ୍ରିଟ ପିଲାର ଉଠାଇ ଏହା ଉପରେ କାଠ ପୋଲ ନିର୍ମାଣ କରିଛନ୍ତି ।

ଏଥିପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆଦାୟ କରି ଖର୍ଚ୍ଚ କରିଥିବାବେଳେ ଗ୍ରାମବାସୀ ମିଳିମିଶି ଶ୍ରମଦାନ କରି ନିର୍ମାଣ କରିଥିବା କହିଛନ୍ତି ।  ପାଖାପାଖି ୧୧ ଟି କଙ୍କ୍ରିଟ ପିଲାର ନିର୍ମାଣ କରି ଏହା ଉପରେ ପ୍ରାୟ ୬୦ ଫୁଟ୍ ଲମ୍ବର କାଠର ପୋଲ ନିର୍ମାଣ କରିଛନ୍ତି । ଏଥିପାଇଁ ଗାଁ ପିଲାଠୁ ବୁଢା ସମସ୍ତେ ଶ୍ରମଦାନ କରିଥିବାବେଳେ, କାମ ଶେଷ ହେବାକୁ ମାସେ ଉପରେ ଲାଗିଥିଲା । ହେଲେ ପୋଲଟି ଅଣଓସାରିଆ ହୋଇଥିବାରୁ କେବଳ ଦୁଇ ଚକିଆ ଯାନ ଯିବା ଆସିବା କରିପାରୁଛି । ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଯାଇପାରୁନି । ଫଳରେ ପ୍ରଶାସନ ଯଦି ସମ୍ପୂର୍ଣ୍ଣ କଙ୍କ୍ରିଟ ପୋଲଟିଏ ନିର୍ମାଣ କରେ ତେବେ ଆମ୍ବାଲାନ୍ସ ମଧ୍ୟ ଯାଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।

Leave a Reply

Your email address will not be published. Required fields are marked *