ପାଓ୍ୱାର ଫାଇନାନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ : ବିଦ୍ୟୁତ୍ ସଂସ୍କାର ଲାଭ ପାଇଲାନି ଓଡ଼ିଶା, ଜାତୀୟ ହାର ଠୁ ଓଡ଼ିଶାରେ ମହଙ୍ଗା

ଭୁବନେଶ୍ବର : ଦେଶର ପ୍ରଥମ ରାଜ୍ୟ ଭାବେ ୧୯୯୬ ମସିହାରେ ବିଦ୍ୟୁତ୍ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଇଥିଲା ଓଡ଼ିଶା । ଉଦ୍ଦେଶ୍ୟ ଥିଲା, ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବା । ଇତି ମଧ୍ୟରେ ଓଡ଼ିଶାର ବିଦ୍ୟୁତ୍ ସଂସ୍କାରକୁ ୨୫ ବର୍ଷ ପୂରିଗଲାଣି । ହେଲେ ସଂସ୍କାର ପଛର ଉଦ୍ଦେଶ୍ୟ ସାଧିତ ହେବା ପରିବର୍ତ୍ତେ ସୁଦୂର ପରାହତ ହୋଇଛି । ବରଂ ବ୍ୟବସ୍ଥା ଦିଗଭ୍ରଷ୍ଟ ହୋଇଛି; ଗ୍ରାହକ ଶୋଷିତ ହେଉଛନ୍ତି, ଏକଥାକୁ ଅସ୍ବୀକାର କରିହେବ ନାହିଁ । ସବୁଠାରୁ ବଡ଼ କଥା ହେଲା, ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କଥା ଦୂରେ ଥାଉ, ସୁଲଭ ମୂଲ୍ୟରେ ଓଡ଼ିଶାରେ ବିଦ୍ୟୁତ୍ ଉପଲବ୍ଧ ହେଉନାହିଁ । ଓଡ଼ିଶାର ବିଦ୍ୟୁତ୍ ବିଲ୍ ଏବେ ଜାତୀୟ ହାର ଠାରୁ ଯଥେଷ୍ଟ ମହଙ୍ଗା । ଏପରିକି ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଆମ ବିଦ୍ୟୁତ୍ ବିଲ୍ ଖୁବ୍ ଅଧିକ ବୋଲି ଭାରତ ସରକାରଙ୍କ ଅଧୀନରେ ଥିବା ପାଵାର ଫାଇନାନ୍ସ କର୍ପୋରେସନ୍ ତାର ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ।

୨୦୧୯-୨୦ ବର୍ଷ ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଆବଣ୍ଟନ କମ୍ପାନିମାନେ ଦେଇଥିବା ତଥ୍ୟକୁ ଆଧାର କରି ନିକଟରେ ଏହି ସଂସ୍ଥା ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ କହୁଛି ଯେ ସର୍ବଭାରତୀୟ ସ୍ତରରେ ଆବଣ୍ଟନ କମ୍ପାନିମାନେ ଉପଭୋକ୍ତାମାନଙ୍କ ଠାରୁ ୟୁନିଟ୍ ପିଛା ହାରାହାରି ୫ ଟଙ୍କା ୧୧ ପଇସା ବିଦ୍ୟୁତ୍ ବିଲିଂ କରୁଥିବା ବେଳେ ଓଡ଼ିଶାରେ ଗ୍ରାହକଙ୍କୁ ୟୁନିଟ୍ ପିଛା ୫ ଟଙ୍କା ୨୨ ପଇସା ହିସାବରେ ବିଲ୍ ପ୍ରଦାନ କରାଯାଉଛି । ଅର୍ଥାତ୍ ଓଡ଼ିଶା ଗୋଟିଏ ବିଦ୍ୟୁତ୍ ଉତ୍ପାଦନ ପାଇଁ ଅନୁକୂଳ ରାଜ୍ୟ ହୋଇଥିଲେ ହେଁ ଏବଂ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ଏହାକୁ ବିଦ୍ୟୁତ କ୍ଷେତ୍ରରେ ଗୋଟିଏ ବଳକା ରାଜ୍ୟ ବୋଲି ଘୋଷଣା କରିବା ସତ୍ତ୍ବେ ରାଜ୍ୟର ଉପଭୋକ୍ତାମାନେ ସୁଲଭ ଦରରେ ବିଦ୍ୟୁତ୍ ପାଇପାରୁନାହାନ୍ତି ।

ପାଓ୍ୱାର ଫାଇନାନ୍ସ କର୍ପୋରେସନର ରିପୋର୍ଟକୁ ଅନୁଶୀଳନ କରିବା ପରେ ଦେଖାଯାଉଛି ଯେ ଭାରତରେ ଆଠଟି ରାଜ୍ୟ (ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଟିମବଙ୍ଗ, କେରଳ, ଉତ୍ତରାଖଣ୍ଡ, ଆସାମ, ତ୍ରିପୁରା)କୁ ବାଦ୍‌ଦେଇ ଅନ୍ୟ ସବୁ ରାଜ୍ୟଗୁଡ଼ିକ ଓଡ଼ିଶା ତୁଳନାରେ ୟୁନିଟ୍ ପିଛା ବେଶ୍ କମ୍ ମୂଲ୍ୟରେ ଉପଭୋକ୍ତାମାନଙ୍କୁ ବିଜୁଳି ଯୋଗାଉଛନ୍ତି । ତାମିଲନାଡୁ ରାଜ୍ୟର ଆବଣ୍ଟନ କମ୍ପାନିମାନେ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ହାରାହାରି ୪ ଟଙ୍କା ୪୦ ପଇସା ବିଲିଂ କରୁଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ୪ ଟଙ୍କା ୫୬ ପଇସା, କର୍ଣ୍ଣାଟକ ୪ ଟଙ୍କା ୯୮ ପଇସା, ତେଲେଙ୍ଗାନା ୪ ଟଙ୍କା ୭୯ ପଇସା, ଗୋଆ ୪ ଟଙ୍କା ୮୫ ପଇସା, ଛତିଶଗଡ ୩ ଟଙ୍କା ୭୭ ପଇସା, ଝାଡ଼ଖଣ୍ଡ ୩ ଟଙ୍କା ୯୪ ପଇସା, ବିହାର ୪ ଟଙ୍କା ୫୨ ପଇସା, ପଞ୍ଜାବ ୪ ଟଙ୍କା ୬୮ ପଇସା, ରାଜସ୍ଥାନ ୪ ଟଙ୍କା ୩୯ ପଇସା ଓ ହରିୟାଣା ୪ ଟଙ୍କା ୭୯ ପଇସାରେ ବିଦ୍ୟୁତ ବିଲ୍ କରୁଛନ୍ତି, ଯାହା ଓଡ଼ିଶା ଠାରୁ ଯଥେଷ୍ଟ କମ୍ । ଏହି ତାଲିକାରେ ଆଉ କିଛି ରାଜ୍ୟ ବି ଅଛନ୍ତି । ସେମାନେ ହେଲେ ଅରୁଣାଚଳ ପ୍ରଦେଶ ୪ ଟଙ୍କା ୬୫ ପଇସା, ହିମାଚଳ ପ୍ରଦେଶ ୫ ଟଙ୍କା, ଜମ୍ମୁ ଓ କାଶ୍ମୀର ୩ ଟଙ୍କା ୫୮ ପଇସା, ମଣିପୁର ୪ ଟଙ୍କା ୬୧ ପଇସା, ମେଘାଳୟ ୪ ଟଙ୍କା ୫୭ ପଇସା, ମିଜୋରାମ ୪ ଟଙ୍କା ୩୪ ପଇସା, ନାଗାଲାଣ୍ଡ ୩ ଟଙ୍କା ୯୫ ପଇସା ଏବଂ ସିକ୍କିମ ୪ ଟଙ୍କା ୨୯ ପଇସାରେ ବିଲ୍ କରୁଛନ୍ତି । ମଧ୍ୟପ୍ରଦେଶ ୟୁନିଟ୍ ପିଛା ମାତ୍ର ୩ ଟଙ୍କା ୬୪ ପଇସା ବିଲ୍ କରୁଛି ।

ଗୋଟିଏ ପଟେ ତାପଜ ବିଦ୍ୟୁତ୍ ଉପରେ ଓଡ଼ିଶାର ନିର୍ଭରଶୀଳତା ଯୋଗୁଁ ରାଜ୍ୟବାସୀ ପ୍ରଦୂଷଣର ଜ୍ବାଳା ସହିତ ବିଷାକ୍ତ ପାଣି, ପବନ ଗିଳୁଛନ୍ତି । ଅନ୍ୟପଟରେ ଅଧିକ ବିଦ୍ୟୁତ୍ ଦର ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । କେବଳ ସେତିକି ନୁହେଁ, ସଂସ୍କାର ପରେ ବିଦ୍ୟୁତ୍ ବ୍ୟବସ୍ଥାର ଓଲଟା ଗତି ରାଜ୍ୟର କୋଟିଏ ଉପଭୋକ୍ତା ପରିବାରକୁ ଆନ୍ଦୋଳିତ କଲାଣି । ହେଲେ ଏ ଦିଗରେ ଆୟୋଗ କିମ୍ବା ସରକାର ଯେତିକି ତନାଘନା କରିବା କଥା ତାହା ପରିଲକ୍ଷିତ ନ ହେବା ଘଟଣା ଏକ ଯୋଜନାବଦ୍ଧ ଦୁରଭିସନ୍ଧିର ସୂଚନା ଦେଉଛି । ଉପଭୋକ୍ତାଙ୍କୁ ଯେଉଁ ପ୍ରଶ୍ନ ବେଶୀ ବିବ୍ରତ କରୁଛି ତାହା ହେଉଛି, ରାଜ୍ୟ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଗରିବ କଲ୍ୟାଣ ଯୋଜନା ଜାରି ରଖିଛନ୍ତି । ହେଲେ ଶସ୍ତା ବିଜୁଳି ଯୋଗାଇବାରେ କାହିଁକି ବିଫଳ, ତାହାର ସନ୍ତୋଷଜନକ ଉତ୍ତର ଏଯାଏ କେହି ଦେଇପାରୁନାହାନ୍ତି ।

ଅନ୍ୟପଟରେ ମହଙ୍ଗା ବିଦ୍ୟୁତ୍ ପଛରେ ଥିବା କାରଣ ସଂପର୍କରେ ଶକ୍ତି ସମୀକ୍ଷକମାନେ ଦଶଟି ପ୍ରମୁଖ ଦିଗକୁ ଇଙ୍ଗିତ କରୁଛନ୍ତି । ଏହି ମହଲର କହିବା କଥା ହେଉଛି, ମୂଲ୍ୟଭିତ୍ତିକ ବିଦ୍ୟୁତ୍ ଦର ନିର୍ଣ୍ଣୟ ନ କରି ଓଇଆରସି ରାଜସ୍ବ ଭିତ୍ତିକ ମୂଲ୍ୟ ନିର୍ଧାରଣ କରୁଥିବା କାରଣରୁ ଏହାର ପ୍ରଭାବ ସିଧାସଳଖ ଟାରିଫ୍ ଉପରେ ପଡୁଛି । ଅର୍ଥାତ୍ ୟୁନିଟ୍ ପିଛା ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ ଯାହା ତା’ ଆଧାରରେ ଦର ନିର୍ଧାରଣ ପରିବର୍ତ୍ତେ ଆୟୋଗ ଆବଣ୍ଟନ କଂପାନିଙ୍କ ରାଜସ୍ବ ଆବଶ୍ୟକତା ଆବେଦନକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଏଣୁ ଏସବୁ କଂପାନିମାନଙ୍କ ବକେୟା ଆର୍ଥିକ ବୋଝ ଠାରୁ ଆରମ୍ଭ କରି ପରିଚାଳନାଗତ ଅପରାଗତାର ସମସ୍ତ କୁ-ପରିଣାମ ବିଜୁଳି ବିଲ୍ ଆକାରରେ ଉପଭୋକ୍ତାଙ୍କ ମୁଣ୍ଡକୁ ଯାଉଛି । ଆହୁରି ମଧ୍ୟ, ରାଜ୍ୟରେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ଘରୋଇ କଂପାନିମାନେ ହ୍ରାସ କରିବାରେ ବିଫଳ ହୋଇଛନ୍ତି । କୌତୂହଳ କଥା ହେଲା, ଆୟୋଗ କିନ୍ତୁ ବିଫଳତାର ଏହି ବୋଝକୁ ସାଙ୍କେତିକ ଭାବେ ଘରୋଇ କଂପାନିକୁ ଦେଇ ବଡ ବୋଝ ଗ୍ରାହକଙ୍କ ଆଡକୁ ଠେଲି ଦେଉଛନ୍ତି । ଗତ ୧୨ ବର୍ଷ ଭିତରେ ଏଭଳି ୩୦ ହଜାର କୋଟି ଟଙ୍କାର ବୋଝ ଗ୍ରାହକଙ୍କ ମୁଣ୍ଡକୁ ଯାଇଥିବା ଆକଳନ କରାଯାଉଛି ।

ସେହିଭଳି ରାଜ୍ୟ ସରକାରଙ୍କ ପୁଞ୍ଜି ବିନିଯୋଗ (ଗତ ଦଶ ବର୍ଷରେ ୨୦ ହଜାର କୋଟିରୁ ଅଧିକ) ଜରିଆରେ ବିଜୁଳି ଭିତ୍ତିଭୂମିର ଯେଉଁ ବିକାଶ ସାଧିତ ହେଉଛି, ତାର କୌଣସି ସୁପ୍ରଭାବ ବିଜୁଳି ବିଲରେ ପରିଦୃଷ୍ଟ ହେଉନାହିଁ । ନା ଗୁଣାତ୍ମକ ବା ନିରବଚ୍ଛିନ୍ନ ବିଜୁଳି ଯୋଗାଣ ହେଉଛି ନା ଉପଭୋକ୍ତା ଶସ୍ତା ବିଦ୍ୟୁତ୍ ପାଉଛନ୍ତି । ଆଉ ଏକ ପ୍ରମୁଖ କାରଣ ଦର୍ଶାଇ ସମୀକ୍ଷକମାନେ କହିଛନ୍ତି ଯେ ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା (ଆଇପିପି) ସହ ହୋଇଥିବା ବିଦ୍ୟୁତ୍ କିଣା ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର କୋଟା ଜନିତ ଶସ୍ତା ବିଦ୍ୟୁତ୍‌କୁ ହାତଛଡ଼ା କରିଆସୁଛନ୍ତି । ଚତୁର ଚତୁରେ କୋଳାକୋଳି ନ୍ୟାୟରେ ସରକାର ଏ କ୍ଷେତ୍ରରେ ନିରବତା ଅବଲମ୍ବନ କରୁଛନ୍ତି । ଫଳରେ ପିକ୍ ଆଵାରରେ ରାଜ୍ୟ ଯଥେଷ୍ଟ ଅଧିକ ମୂଲ୍ୟରେ ବିଦ୍ୟୁତ୍ କିଣିବାକୁ ବାଧ୍ୟ ହେଉଛି ଏବଂ ୟୁନିଟ୍ ପିଛା ବିଦ୍ୟୁତ୍ ଦର ବଢୁଛି ।

ଆହୁରି ଗୁରୁତ୍ବପୂର୍ଣ୍ଣ ହେଲା, ସବୁଜ ଶକ୍ତି ଉତ୍ପାଦନ ବର୍ତ୍ତମାନ ସମୟର ସବୁଠାରୁ ବଡ ଆହ୍ବାନ । ହେଲେ ରାଜ୍ୟରେ ଜଳ ବିଦ୍ୟୁତ୍, ସୌର ଶକ୍ତି, ପବନ ଚାଳିତ ଶକ୍ତି ଆଦି ଉତ୍ସରୁ ଯଥେଷ୍ଟ ଶସ୍ତା ବିଦ୍ୟୁତ୍ ଉତ୍ପାଦନ ଅନୁକୂଳ ସୁଯୋଗ ଥିଲେ ମଧ୍ୟ ଓଡ଼ିଶା ସେଥିପ୍ରତି ଆଦୌ ତତ୍ପର ଦେଖାଉନାହିଁ । ଏହା ବ୍ୟତୀତ ରାଜ୍ୟ ମାଲିକାନାରେ ଥିବା ବିଦ୍ୟୁତ୍ ସଂସ୍ଥାର ଉତ୍ପାଦନ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ହେବା, ଓପିଟିସିଏଲ୍ କ୍ଷେତ୍ରରେ ବେଆଇନ ତଥା ଅତି ପୁରୁଣା ଟାରିଫ୍ ନିର୍ଧାରଣ ପଦ୍ଧତି ଆପଣାଇବା ବିଦ୍ୟୁତ୍ ବିଲ୍ ବୃଦ୍ଧି ପଛର ଗୋଟିଏ ଗୋଟିଏ କାରଣ ବୋଲି କୁହାଯାଇପାରେ ।

ସେହିଭଳି ଗ୍ରିଡ୍‌କୋ ତାର ନିଜର ଗୁରୁଦାୟିତ୍ବ ପ୍ରତି ପ୍ରତିବଦ୍ଧତା ପ୍ରକଟ କରିବା ବଦଳରେ ବିଦ୍ୟୁତ୍ ଶୁଣାଣି ପ୍ରକ୍ରିୟାରେ ସାମିଲ ହୋଇ ନିଜ ପାଇଁ ଗୋଟିଏ ପାଇକାରୀ ଦର ନିର୍ଧାରଣ କରାଇନେବା କାରଣରୁ ଏହାର କୁ-ପ୍ରଭାବ ମଧ୍ୟ ଉପଭୋକ୍ତାଙ୍କ ଉପରେ ପଡୁଛି । କୋଟା ଭିତ୍ତିକ ଶସ୍ତା ବିଦ୍ୟୁତ୍ ଆଣି ଖୋଲା ବଜାରରେ ତାହାକୁ ଅଧିକ ଦରରେ ବିକ୍ରି କରିବା ପାଇଁ ଗ୍ରିଡ୍‌କୋ ଚେଷ୍ଟା କରୁନଥିବା ଚିନ୍ତାର ବିଷୟ । ସୂଚନାଯୋଗ୍ୟ, ୨୦୦୧ରେ ଶୋଭନ୍ କାନୁନଗୋ କମିଟି ବହୁ ବର୍ଷୀୟ ଟାରିଫ୍ ନିର୍ଧାରଣକୁ ଗୁରୁତ୍ବ ଦେଇଥିଲେ । ଏହାର ଦୁଇ ବର୍ଷ ପରେ ପ୍ରଣୀତ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ଏବଂ ଜାତୀୟ ଟାରିଫ୍ ନୀତିରେ ଏହାକୁ ଗ୍ରହଣ କରାଯାଇଥିଲା । ଓଇଆର୍‌ସି ମଧ୍ୟ ୨୦୦୨ ରୁ ଏହାକୁ ଅନୁସରଣ କରିଥିଲେ । ତେବେ କେଉଁ ବୃହତ୍ତର ସ୍ବାର୍ଥକୁ ଗୁରୁତ୍ବ ଦେଇ ୨୦୧୦ ରୁ ଏହି ବ୍ୟବସ୍ଥାକୁ ବନ୍ଦ କରି ଆୟୋଗ ବର୍ଷିକିଆ ଟାରିଫ୍ ସଂଶୋଧନ ନୀତି ଆପଣାଇ ନିୟମିତ ଦର ବୃଦ୍ଧି କରି ଚାଲିଲେ ତାହା ବୁଝାପଡ଼ୁନାହିଁ ।

ବର୍ଷିକିଆ ଟାରିଫ୍ ନିର୍ଧାରଣ ପ୍ରକ୍ରିୟାରୁ ଅନୈତିକ ଫାଇଦା ଉଠାଇ ଘରୋଇ ଆବଣ୍ଟନ କଂପାନିମାନେ ଆୟୋଗଙ୍କ ଦ୍ବାରା ଅନୁମୋଦିତ ହାରାହାରି ଟାରିଫ୍ ଦର ଠାରୁ ଅଧିକ ବିଲ୍ କରି ଆଦାୟ କରୁଛନ୍ତି । ଯାହା ପରବର୍ତ୍ତୀ ବର୍ଷରେ ହିସାବକୁ ନେଇ ଆୟୋଗ ଟାରିଫ୍ ନିର୍ଧାରଣ କରିବା କଥା । ମାତ୍ର ଏହି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପ୍ରସଙ୍ଗକୁ ଆୟୋଗ ୨୦୧୨-୧୩ ରୁ ଦୀର୍ଘ ୮ ବର୍ଷ ଧରି ଏଡ଼ାଇ ଆସିଛନ୍ତି । ୨୦୨୨-୨୩ ବର୍ଷ ପାଇଁ ବିଦ୍ୟୁତ୍ ଜନଶୁଣାଣି ବେଳେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହି ନିର୍ଦିଷ୍ଟ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଥିଲେ । ପରିଣାମ ହେଲା, ଅକଳରେ ପଡି ସରକାର ବିଜୁଳି ବିଲ୍ ନ ବଢ଼ାଇବା ଲାଗି ଚଳିତ ବର୍ଷ ନିଜ ଆଡୁ ପ୍ରସ୍ତାବ ଦେଲେ ଓ ଆୟୋଗ ମଧ୍ୟ ଏହାକୁ ଗ୍ରହଣ କଲେ । ତେବେ ଆଗକୁ ତ୍ରୁଟି ସୁଧୁରିବ ନା ବିଗି଼ଡ଼ିବ ଏବେ ଦେଖିବା କଥା ।

Leave a Reply

Your email address will not be published. Required fields are marked *