୨୦ ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ, ଦକ୍ଷିଣ ଓଡ଼ିଶା ପାଇଁ ବିପଦ ଆଶଙ୍କା

ଭୁବନେଶ୍ବର : ରାଜ୍ୟରେ ଏ ପର୍ଯ୍ୟନ୍ତ ଠିକ୍‌ରେ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ । ହେଲେ ୨୦ ଜିଲ୍ଲାକୁ ଡେଙ୍ଗୁ ବ୍ୟାପି ଗଲାଣି । ଉପକୂଳ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାକୁ ବାଦ୍ ଦେଲେ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲା ଏବେ ଡେଙ୍ଗୁ କବଳରେ ରହିଛି । ଏବେ ଠାରୁ ଯଦି ଡେଙ୍ଗୁ ନିୟନ୍ତ୍ରଣ ନେଇ ପଦକ୍ଷେପ ନିଆ ନଯାଏ ଆସନ୍ତା ୩/୪ ମାସ ଡେଙ୍ଗୁ ବିସ୍ଫୋରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଡେଙ୍ଗୁ ଏବେ ବି ଓଡ଼ିଶା ପାଇଁ ଏକ ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟା ହୋଇ ରହିଛି । କେଉଁ ବର୍ଷ କମୁଛି ତ ଆଉ କେଉଁ ବର୍ଷ ମାଡ଼ୁଛି । ହେଲେ ସ୍ବାଇନ୍ ଫ୍ଲୁ କିମ୍ବା ଜେଇ ଭଳି ନିୟନ୍ତ୍ରଣକୁ ଆସିନାହିଁ । ରାଜ୍ୟ ସରକାର ମ୍ୟାଲେରିଆ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ବ ଦେଉଥିବା ବେଳେ ଡେଙ୍ଗୁ ପାଇଁ ସେଭଳି ପଦକ୍ଷେପ ନିଆଯାଇନି । ମ୍ୟାଲେରିଆ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘ଦମନ’ ଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ହେଲେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ‌ସ୍ବାସ୍ଥ୍ୟ କେବଳ ଚିଠି ଲେଖି ସଚେତନ କରୁଥିବା ବେଳେ ଜିଲ୍ଲାସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । ଗତମାସ ୨୧ ତାରିଖ ଠାରୁ ୩ ମାସ ଯାଏ ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ୍‌ ଡିଜିଜ୍ ସର୍ଭେଲାନ୍‌ସ ଆରମ୍ଭ କରିଛନ୍ତି । ଏଥିରେ ଅନ୍ୟ ରୋଗ ସହ ଡେଙ୍ଗୁର ଚିହ୍ନଟ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ସେହିପରି ରାଜ୍ୟରେ ଡେଙ୍ଗୁର ନମୁନା ପରୀକ୍ଷାକୁ ନେଇ ବର୍ଷ ବର୍ଷ ଧରି ବିବାଦ ଜାରି ରହିଛି । ଯାହା ଫଳରେ ଡେଙ୍ଗୁରେ ମୃତ୍ୟୁ ହେଲେ ମଧ୍ୟ ତାହାକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି ।

ଚଳିତ ବର୍ଷ ଜୁନ୍ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୩୫୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ କୋରାପୁଟ ଜିଲ୍ଲାରୁ ସର୍ବାଧିକ ୮୬ ଥିବାବେଳେ ଖୋର୍ଦ୍ଧା ୮୨ ଓ ମାଲକାନଗିରିରୁ ୮୧ ଜଣ ଆକ୍ରାନ୍ତ ବାହାରିଛନ୍ତି । ରାୟଗଡ଼ା ୪୭, ପୁରୀ ୨୩, କଟକ ୫ ଓ ଭଦ୍ରକରୁ ୪ଜ ଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି । କେବଳ ୨୦୨୦ ମସିହାକୁ ବାଦ୍ ଦେଲେ ଅନ୍ୟ ବର୍ଷଗୁଡ଼ିକରେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦ୍ରୁତ ସହରୀକରଣ ଡେଙ୍ଗୁ ସଂକ୍ରମଣର ମୁଖ୍ୟ କାରଣ । ସହରରେ ଲୋକମାନଙ୍କ ଯିବାଆସିବା ଲାଗି ରହିଥିବାରୁ ସଂକ୍ରମଣକୁ ସଂପୂର୍ଣ୍ଣ ଶୂନ କରିବା ସମ୍ଭବ ହେଉନାହିଁ।  ଚା’କପ୍, ଟାୟାର, ପଇଡ଼ ଖୋଳ, ଖାଲଖମାରେ ଏଡିସ ମଶା ବଂଶ ବିସ୍ତାର କରିଥାଏ । ମୌସୁମୀ ବର୍ଷା ଆସିବା ପୂର୍ବରୁ ଏସବୁର ସଫା କରାଯିବା ଜରୁରୀ । ଲୋକମାନେ ମଧ୍ୟ ଅନ୍ୟ ରୋଗ ପାଇଁ ଯେତିକି ସଚେତନ ହେଉଛନ୍ତି, ଡେଙ୍ଗୁ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ । ଠିକ୍ ସମୟରେ ପରୀକ୍ଷା ନକରିବା କାରଣରୁ ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *