ଦାନା ବାନ୍ଧୁଛି ଲଘୁଚାପ, ଶନିବାର ଠାରୁ ରାଜ୍ୟରେ ବର୍ଷା ଆରମ୍ଭ

ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ଉତ୍ତର ଓଡ଼ିଶା ଓ ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ । ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିପାରେ । ଆଞ୍ଚଳିକ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।

୪ ବା ୫ ତାରିଖରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ବର୍ଷା ବଢ଼ିବ । ୬ ଓ ୭ ତାରିଖରେ ଅଧିକ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ । ଘୂର୍ଣ୍ଣିବଳୟ ଯୋଗୁ ୨ ତାରିଖରୁ କିଛି ଜିଲ୍ଲାରେ ବର୍ଷା ବଢ଼ିବ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ଗଞ୍ଜାମରେ ବର୍ଷା ହେବ ।

ପାଣିପାଗ ବିଭାଗର ବୁଲେଟିନ୍‌ ଅନୁସାରେ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା ଅଛି ।

ଆସନ୍ତା ୫ ତାରିଖ ଯାଏ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୩ ଜିଲ୍ଲାରେ ଆଜି କୌଣସି ବର୍ଷା ହୋଇନି । ଢେଙ୍କାନାଳରେ ୨୭.୪, ବାଲେଶ୍ୱରରେ ୨୩.୯ ମିଲିମିଟର, କୋରାପୁଟରେ ୧୧, ଝାରସୁଗୁଡାରେ ୯.୬ ଓ କେନ୍ଦୁଝରରେ ୫.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *