୫ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟର ସୁବିଧା ପାଉନାହାନ୍ତି ବିଦ୍ୟାର୍ଥୀ : ଅଧାରେ ଅଟକିଛି ପାଇଖାନା, ବିଦ୍ୟାଳୟ ଆଗରେ ଜମୁଛି ଆଣ୍ଠୁଏ ପାଣି

ଗୁରୁଡିଝାଟିଆ : ୫-ଟି ଯୋଜନାରେ ବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମ ଏକ ମହନୀୟ ପଦକ୍ଷେପ । ଯାହା ଦ୍ୱାରା ବିଦ୍ୟାଳୟର କଳେବର ସଂପୂର୍ଣ୍ଣ ବଦଳିଯାଇ ନୂଆ ରୂପରେ ଝଲସୁଛି । ଏଥିପାଇଁ ମଧ୍ୟ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ କେତେକ ସ୍ଥାନରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତଦାରଖର ଅବହେଳା ଓ ସ୍ଥାଣୁତା ପାଇଁ ବିଦ୍ୟାଳୟ ରୂପାନ୍ତରଣ ଶୁଭ ଉଦଘାଟନ ହୋଇସାରିଥିଲେ ମଧ୍ୟ ଅନେକ କାର୍ଯ୍ୟ ଅସଂପୂର୍ଣ୍ଣ ହୋଇ ପଡିରହିଛି । ଯାହା ଦ୍ୱାରା ବିଦ୍ୟାର୍ଥୀମାନେ ପ୍ରକୃତ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାର ଉଦାହରଣ ହେଉଛି ଖୁଣ୍ଟୁଣୀ ସ୍ଥିତ ରାଧାନାଥ ବିଦ୍ୟାପୀଠ । ଏବେବି ଶୌଚାଳୟଟି ଅଧାଗଢା ଅବସ୍ଥାରେ ପଡିରହିଥିବାରୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟାଳୟ ସମ୍ମୁଖଟି ସଠିକ୍ ଢଙ୍ଗରେ ମାଟି ପୁରଣ କରାଯାଇନଥିବାରୁ ଅସାରାଏ ବର୍ଷାରେ ଆଣ୍ଠୁଏ ପାଣି ଜମିରହିଛି । ଏହା ଦ୍ୱାରା ବିଦ୍ୟାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ବର୍ଷାବେଳେ ପାଣିକାଦୁଅରେ ପଚପଚ ହେବାକୁ ପଡୁଛି । ଦୀର୍ଘଦିନ ଧରି ସମ୍ମୁଖ ପାଚେରୀ ଜବରଦଖଲରେ ରହିଥିଲା । ପ୍ରଶାସନର ପଦକ୍ଷେପ ପରେ ପାଚେରୀ ଉପରୁ ଜବରଦଖଲ ମୁକ୍ତ ହୋଇଥିଲେ ମଧ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେବି ବାକି ରହିଛି ।

ତତ୍ସହିତ ବିଦ୍ୟାଳୟର ସମ୍ମୁଖ ଫାଟକଟି ନିମ୍ନମାନର ଲଗାଯାଇଛି ବୋଲି ଅଭିଭାବକମାନେ ଦାବି ଜରିଛନ୍ତି । ପ୍ରକାଶଯୋଗ୍ୟ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ରଙ୍ଗଲେପିବା, ପାଇଖାନାର ପୁନଃଉଦ୍ଧାର ଓ ନୂତନ ପାଇଖାନା ନିର୍ମାଣ ଆଦି କ୍ଷେତ୍ରରେ ଖର୍ଚ୍ଚ ପାଇଁ ୧୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ପଞ୍ଚାୟତ ନିଜସ୍ୱ ପାଣ୍ଠିରୁ ମଧ୍ୟ ୭ ଲକ୍ଷ ଟଙ୍କା ବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରଦାନ କରିଛି । ୧୯୬୨ ମସିହାରେ ପୂଣ୍ୟାତ୍ମା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ନାମରେ ନାମିତ ଏହି ବିଦ୍ୟାପୀଠଟି ଖୁଣ୍ଟୁଣୀ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ପ୍ରଜ୍ୱଳନ କରିଆସିଛି । ଏହି ପୁରାତନ ବିଦ୍ୟାପୀଠଟି ୫-ଟି ରୂପାନ୍ତରଣ କାର୍ଯ୍ୟ କରିବା ପାଇଁ ରାଜ୍ୟସରକାର ସ୍ୱୀକୃତି ଦେବା ସହିତ ଅର୍ଥ ପ୍ରଦାନ କରିଛନ୍ତି । ଠିକାଦାର କାର୍ଯ୍ୟାଦେଶ ପାଇ ନିର୍ମାଣ କାର୍ଯ୍ୟ ମଧ୍ୟ କରିଛି । ହେଲେ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ବିଦ୍ୟାର୍ଥୀମାନଙ୍କ ଉପକାରରେ ଆସିପାରୁନଥିବାରୁ ଅଭିଭାବକମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଠଗଡ ଉପଖଣ୍ଡ ପ୍ରଶାସନ ଏହାର ସଠିକ୍ ଅନୁଧ୍ୟାନ କରି ବିହୀତ ପଦକ୍ଷେପ ନେବା ପାଇଁ ବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନର କର୍ମକର୍ତ୍ତା ଓ ଅଭିଭାବକମାନେ ଦୃଢ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *