ବାଲିଆପାଳ : ନୂତନ ଜିଲ୍ଲାପାଳ ଦତ୍ତାତ୍ରେୟ ଭି ସିନ୍ଧେ ଗତ ୨୧ ତାରିଖରେ ବାଲିଆପାଳ ଗସ୍ତରେ ଆସି ଚଉମୁଖ କଙ୍କଡାପାଳ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ଅଞ୍ଚଳ ବୁଲି ଦେଖିଥିଲେ । ମାତ୍ର ସେଦିନ ନୂତନ ଜିଲ୍ଲାପାଳଙ୍କୁ କୌଣସି ବିରୋଧ କରାଯାଇ ନଥିଲା
ଯାହା ଫଳରେ ବନ୍ଦର ବିରୋଧୀ ଆନ୍ଦୋଳନ ଶିଥିଳ ହୋଇଥିବା ଖବର କେତେକ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବନ୍ଦର ବିରୋଧୀ ଭିଟା ମାଟି ସୁରକ୍ଷା କମିଟି ସଦସ୍ୟମାନେ ଆଜି ପୁଣି ବିରୋଧୀ ଆନ୍ଦୋଳନର ପ୍ରଭାବ ଦେଖାଇ ଜାଗ୍ରତ ଥିବାର ପ୍ରମାଣ ଦେଇଛନ୍ତି । ଯାହା ଫଳରେ ସୋମବାର ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତାବିତ ଅଞ୍ଚଳକୁ ଯିବା ବେଳେ ନିରାଶ ହୋଇ ଫେରିଛନ୍ତି । ଘଟଣା ସ୍ଥଳରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ, ବାଲିଆପାଳ ଆଇ ଆଇସି ପର୍ଶୁରାମ ସାହୁ ଓ ବସ୍ତା ଏସ ଡି ପିଓ ଜଳନ୍ଧର ଜାଲିଙ୍କ ସହିତ ବହୁ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥାଇ ବି କୌଣସି ସୁରକ୍ଷା ଦେଇ ପାରି ନଥିଲେ ।
ପ୍ରକାଶ ଥାଉକି ଦକ୍ଷିଣ ବାଲିଆପାଳ ଅଞ୍ଚଳର ଚଉମୁଖ କଙ୍କଡ଼ାପାଳ ଠାରେ ପ୍ରସ୍ତାବିତ ବନ୍ଦର ଓ ସମୁଦ୍ର କୂଳିଆ ଡଗରା, ବେତଗଡ଼ିଆ, ଅଳାଡିହା, ନୁଆଗାଁ, ଜମ୍ଭୀରାଇ ଆଦି ପଞ୍ଚାୟତର କେତେକ ଗ୍ରାମକୁ ନେଇ ପେଟ୍ରୋକେମିକାଲ୍ ପ୍ଲାଣ୍ଟ କରିବାର ସରକାର ପ୍ରସ୍ତାବ ରଖିବା ପରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବ୍ୟାପକ ବିରୋଧ କରାଯାଇ ଲଗାତାର ଭାବରେ ଜନ ଆନ୍ଦୋଳନ ଜାରି ରଖିଛନ୍ତି ।

ବାଲିଆପାଳ ପଟରୁ ଯିବା ମୁଖ୍ୟ ରାସ୍ତା ଡଗରା ବଡଗୁମୁଟି ଛକରେ ଛ ପଞ୍ଚାୟତର ଲୋକଙ୍କ ସହମତି କ୍ରମେ ମୁଖ୍ୟ ପ୍ରବେଶ ଦ୍ବାରକୁ ବନ୍ଦ କରାଯାଇ ଏଠାରେ ଗେଟ କରାଯାଇଛି ।
ଆଜି ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତାବିତ ବନ୍ଦର ଅଞ୍ଚଳ ଭିତରକୁ ଯିବା ବେଳେ ଶହ ଶହ ପୁରୁଷ ଓ ମହିଳାମାନେ ଉପସ୍ଥିତ ହୋଇ ଗେଟ ଭିରକୁ ଛାଡି ନଥିଲେ । ସେମାନେ ବନ୍ଦର ବିରୋଧୀ ନାରା ବାଜି କରି ଟାଟା କମ୍ପାନୀ ଫେରିଯାଅ, ମରିବୁ ପଛେ ଭିଟା ମାଟି ଛାଡିବୁ ନାହିଁ ଆଦି ସ୍ଲୋଗାନ ଦେଇ ତୀଵ୍ର ବିରୋଧ କରିଥିଲେ । ଯାହା ଫଳରେ ସମସ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା ।
